*ଅର୍ଥନୀତିଜ୍ଞମାନେ ମଧ୍ୟ ଅଗ୍ନିରେ ଘିଅ ଢାଳିଲେ*
ଅର୍ଥନୀତିଜ୍ଞ ମାନଙ୍କ ଅର୍ଥ ସିଦ୍ଧାନ୍ତ ମଧ୍ୟ ସେମାନଙ୍କ ପାଇଁ ସହାୟକ ସିଦ୍ଧ ହେଲା। Adam Smith ନାମକ ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ କହିଲେ, "ଭଲ କରିବାର ଚେଷ୍ଟା କର ନାହିଁ। ସ୍ୱାର୍ଥ ସିଦ୍ଧିପାଇଁ ଭଲକାମ ତ୍ୟାଗ କର। ତାଙ୍କ ଠାରୁ ଆଉ ଚାରି ପାଦ ଆଗକୁ ଯାଇ John Maynard Keynes ନାମକ ଆଉ ଜଣେ ଅର୍ଥନୀତିଜ୍ଞ ବାହାରିଲେ ଯାହାଙ୍କ ସିଦ୍ଧାନ୍ତର କୁପରିଣାମ ଆଜି ଯାଏ ପାଶ୍ଚାତ୍ୟ ଜଗତକୁ ଭୋଗକରିବାକୁ ପଡୁଛି। ସେ କହିଲେ ଯଦି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଆମେ ଭଲକୁ ଖରାପ ମାନିବା, ଲୋଭ ଓ ସାହୁକାରୀକୁ ଆଦର୍ଶ ବୋଲି ମାନିବା, ତେବେ ଆମେ ଗରିବୀର ସୁଡ଼ଙ୍ଗରୁ ବାହାରି ଆସି ପାରିବା। ଏହାକୁ ଆମକୁ ବୁଝିବାକୁ ପଡ଼ିବ ଓ ଅନ୍ୟକୁ ବୁଝାଇବାକୁ ପଡ଼ିବ।
ଅର୍ଥାତ୍ ସାମ୍ପ୍ରଦାୟିକତା, ବିଜ୍ଞାନ ଓ ଅର୍ଥଶାସ୍ତ୍ର ଏଇ ତିନିହେଁ ମିଳିମିଶି ଜଣେ ଅନ୍ୟକୁ ସମର୍ଥନ କରି ସେଠିକାର ସମାଜକୁ ଏପରି ଭୟଙ୍କର ରାକ୍ଷସ ସମାଜ ରୂପେ ତିଆରି କରିଦେଲେ ଯାହା ବିଶ୍ୱ ପାଇଁ ଭୟଙ୍କର ସଙ୍କଟ ହୋଇ ଠିଆ ହୋଇଛି।
ଆମର ଏଠି ଗୋଟିଏ ଶ୍ଳୋକରେ କୁହାଯାଇଛି ଯେ, ଗୋଟିଏ ମାଙ୍କଡ଼ ଥିଲା ତାକୁ ମଦ ପିଆଇ ଦିଆଗଲା। ତା ଉପରେ ବିଚ୍ଛା ଛାଡ଼ି ଦିଆଗଲା ପୁଣି ତା ମୁଣ୍ଡରେ ଭୂତ ଚଢ଼ିଗଲା। ଏବେ କଳ୍ପନା କରନ୍ତୁ, ସେ ମାଙ୍କଡ଼ର ଅବସ୍ଥା କ'ଣ ହୋଇଥିବ ! ଠିକ୍ ଏଇଆ ଚାଲିଛି ପାଶ୍ଚାତ୍ୟ ଜଗତରେ। ପ୍ରଥମରୁ ତ ସେମାନେ ସ୍ୱାର୍ଥୀ ଓ ଭୋଗବାଦୀ। ସେମାନଙ୍କୁ ପ୍ରଥମେ ସାମ୍ପ୍ରଦାୟିକତାର ମଦ ପିଆଇ ଦିଆଗଲା। ତା ପରେ ସେମାନଙ୍କ ଉପରେ ବିଜ୍ଞାନର ବିଚ୍ଛା ଛାଡ଼ି ଦିଆ ଗଲା। ପୁଣି ଅର୍ଥଶାସ୍ତ୍ରର ଭୂତ ସେମାନଙ୍କ ମୁଣ୍ଡରେ ଭର୍ତ୍ତି ହେଲା। ସେମାନେ ନିଜ କର୍ତ୍ତୃତ୍ୱ ଦ୍ୱାରା ସମ୍ପୂର୍ଣ୍ଣ ମାନବ ସମାଜକୁ ନେଇ କେଉଁଠି ପହଞ୍ଚାଇ ଦେଲେ ! ଯାହା ମାନବ ସମାଜ ପାଇଁ ଭୟଙ୍କର ଅଭିଶାପ ହୋଇ ଠିଆ ହୋଇଛି।
Aleksander Solzhenitsyn Isayevich ନାମକ ରୁଷର ଜଣେ ବିଶିଷ୍ଟ ଔପନ୍ୟାସିକ ଥିଲେ। ତାଙ୍କୁ ପଶ୍ଚାତ୍ୟ ଲୋକେ ନୋବେଲ ପୁରସ୍କାର ଦେଇଥିଲେ। ସେ ରୁଷରେ ଅନେକ ବର୍ଷ ପର୍ଯ୍ୟନ୍ତ ସେଠାକାର ଅଧିକାରୀଙ୍କ ଦ୍ୱାରା ନିର୍ଯାତନା ସହିବା ପରେ ସେଥିରୁ ମୁକ୍ତି ପାଇବା ପାଇଁ ଆମେରିକା ପଳେଇ ଯିବାକୁ ଚିନ୍ତା କଲେ। ସେ ଆମେରିକା ଚାଲିଗଲେ। ସ ଭାବିଥିଲେ ଯେ ସେଠାରେ ତାଙ୍କୁ ସ୍ୱାଧୀନତା ମିଳିବ, ସ୍ୱର୍ଗ ମିଳିବ, କିନ୍ତୁ ଆମେରିକା ଆସିବା ପରେ ସେ ଲେଖିଛନ୍ତି ଯେ ସ୍ୱାଧୀନତା କି ପ୍ରକାର, ଯେଉଁଠି ପିଲାମାନଙ୍କ ପାଇଁ ଓ ଯୁବକ ମାନଙ୍କ ପାଇଁ ମନର କୌଣସି ସ୍ୱାଧୀନତା ନାହିଁ।
ଯେଉଁଠି ଦେଖିବ ସେଠି ସେମାନଙ୍କ ମନ ଉପରେ ଆଘାତ କରିବା ଭଳି ବିଜ୍ଞାପନ, ଅଶ୍ଳୀଳ ସାହିତ୍ୟ, କାମନା, କ୍ରୋଧ, ଅସୂୟାକୁ ପ୍ରୋତ୍ସାହିତ କରୁଥିବା ସାହିତ୍ୟ, ଚିତ୍ର ଓ ଚଳଚିତ୍ର ଉପଲବ୍ଧ। ଚତୁର୍ପାର୍ଶ୍ୱରେ ଏହି ବାତାବରଣରେ ସେମାନଙ୍କ ମନକୁ କିପରି ଶାନ୍ତି ମିଳିବ ?
ଏଇଭଳି ସେଠାରେ ବଡ଼ ବଡ଼ ଚିନ୍ତାନାୟକମାନେ, ତତ୍ତ୍ୱଜ୍ଞାନୀମାନେ ସମସ୍ତଙ୍କର ଚିନ୍ତା ଓ ଗବେଷଣାର ଏକମାତ୍ର ବିଷୟ - ପାଶ୍ଚାତ୍ୟ ସଭ୍ୟତା ଯେଉଁ ରାସ୍ତାରେ ଚାଲିଛି ତାହା ମାନବ ସମାଜ ପାଇଁ ହିତକାରୀ ନା ବିଷାକ୍ତ ? ଏହା ଉପରେ ବଡ଼ ପ୍ରବନ୍ଧ, ବଡ଼ ପୁସ୍ତକ ଲେଖାଯାଉଛି। କିପରି ଏହା ବିଶ୍ୱପାଇଁ ଅନିଷ୍ଟକାରୀ ଅଣୁ ଅସ୍ତ୍ରର ନିର୍ମାଣ କରିଛି ? ଯଦି ତୃତୀୟ ବିଶ୍ୱଯୁଦ୍ଧ ହେବ ତେବେ ଏହା ଏହି ଅଣୁ ଅସ୍ତ୍ରରେ ଲଢ଼ାଯିବ। ତେବେ ଏହା କେତେ ସମୟ ପାଇଁ ଚାଲିବ ? ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪-୧୯୧୮ ଚାରି ବର୍ଷ ଚାଲିଥିଲା, ଦ୍ଵିତୀୟ ୧୯୩୯-୧୯୪୫ ଛ' ବର୍ଷ ଚାଲିଥିଲା, କିନ୍ତୁ ତୃତୀୟ ଏତେ ସମୟ ନେବ ନାହିଁ। ମାତ୍ର ୩୫ ମିନିଟରେ ଯୁଦ୍ଧ ଶେଷ ହୋଇଯିବ। ୩୫ ମିନିଟ ଭିତରେ ଅଧିକାଂଶ ମନୁଷ୍ୟ ସଫା ହୋଇଯିବେ। ଗଛ ପତ୍ର ପଶୁ ପକ୍ଷୀଙ୍କ କଥା ପଚାରେ କିଏ ? ଏହିପରି ସଭ୍ୟତା ସେମାନେ ବିକଶିତ କରିଛନ୍ତି। ମଣିଷ ପାଇଁ ବିନାଶକାରୀ ବିଜ୍ଞାନ ଓ ତନ୍ତ୍ରଜ୍ଞାନର ସେମାନେ ବିକଶିତ କଲେ। ଏହାଠୁ ବଳି ଅଧିକ ରାକ୍ଷସ ସମାଜର କଳ୍ପନା କରାଯାଇ ନ ପାରେ ! ଏହା ମାନବ ଜୀବନର ପୋଷକ ହେବା ପରିବର୍ତ୍ତେ ଅଭିଶାପ ହୋଇଛି।

No comments:
Post a Comment