*ସମାନତା ଓ ସ୍ୱାଧୀନତା ମଧ୍ୟରେ ସଂଘର୍ଷ*
ଆମେ ଏବେ ପାଶ୍ଚାତ୍ୟ ଦେଶମାନଙ୍କ କଥା ଆଲୋଚନା କରିବା। ସେଠାରେ କେବଳ ଅଧିକାରର ଉଦ୍ଘୋଷ ଶୁଣିବାକୁ ମିଳେ। ସମସ୍ତେ ନିଜ ନିଜର ଅଧିକାର ସାବ୍ୟସ୍ତ କରିବାପାଇଁ ପରସ୍ପର ଭିତରେ ପ୍ରତିଯୋଗିତା ଚଳାଇଛନ୍ତି, ଆନ୍ଦୋଳନ କରୁଛନ୍ତି। ଆମର ତ ଏଠି ସମସ୍ତେ ସ୍ବଧର୍ମ ଅନୁସାରେ ଚାଲୁଛନ୍ତି। ପ୍ରଜା ଧର୍ମ, ରାଜ ଧର୍ମ, ବେପାରୀ ଧର୍ମ, ବ୍ୟକ୍ତି ଧର୍ମ....ଆଦି ପାଳନ କରୁଛନ୍ତି। ଏଠାରେ ଧର୍ମ ମାନେ କର୍ତ୍ତବ୍ୟ। ସମସ୍ତେ ନିଜ ନିଜର କର୍ତ୍ତବ୍ୟ ପାଇଁ ସଚେତନ ଥିବାରୁ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ହୋଇପାରୁଛି। କିନ୍ତୁ ପାଶ୍ଚାତ୍ୟ ଦେଶରେ ଧର୍ମର କଳ୍ପନା ନାହିଁ। ଆଧ୍ୟାତ୍ମିକ ସାଧନାର ଦୃଷ୍ଟି ନାହିଁ। କେବଳ ଭୌତିକବାଦ ଆଧାରରେ ବିକାଶ ଚାଲିଛି। ମୋର ସୁଖ ମାନେ ଶରୀର ସୁଖ। ଏଇଭଳି ଜୀବନର କେବଳ ଭୌତିକ ଦୃଷ୍ଟିକୋଣକୁ ସେମାନେ ପ୍ରାଧାନ୍ୟ ଦେଉଛନ୍ତି। ଏହା କେବଳ ସେଠିକାର ସାଧାରଣ ବ୍ୟକ୍ତିଙ୍କ କଥା ନୁହଁ, ତାଙ୍କ ସମୁଦାୟର ମୁଖ୍ୟ ପ୍ରେରଣାସ୍ରୋତ ପୋପ ମଧ୍ୟ ଲୋକମାନଙ୍କୁ ଶୋଷଣ କରୁଥିଲେ। ସମ୍ପୂର୍ଣ୍ଣ ୟୁରୋପ ତାଙ୍କ ଅଧୀନରେ ଥିଲା। ସେ ହିଁ ସବୁ ରାଜନୀତିର ସୂତ୍ରଧର ଥିଲେ। ୟୁରୋପର ରାଜାମାନେ ତାଙ୍କ ବିରୋଧରେ ଏକାଠି ହେଲେ। ଅନେକ ଦିନ ଚାଲିଲା ରାଜତନ୍ତ୍ର।
ପୁଣି ଯେତେବେଳେ ରାଜାମାନଙ୍କର ଶୋଷଣ ଚାଲିଲା ସେତେବେଳେ ତାଙ୍କ ବିରୋଧରେ ଲୋକେ ବିଦ୍ରୋହ କଲେ। ପ୍ରଜାତନ୍ତ୍ରର ଘୋଷଣା ହେଲା। ତା'ର ଆଧାର ହେଲା ସମାନତା, ସ୍ୱାଧୀନତା ଓ ବନ୍ଧୁତା। ଏହାକୁ ଲାଗୁ କରିବା ସମୟରେ ଭେଦ ନିର୍ମାଣ ହେଲା। ସ୍ୱାଧୀନତାକୁ ସେମାନେ ସ୍ବେଚ୍ଛାଚାର ଭଳି ବ୍ୟବହାର କଲେ। ଯାହା ପାଖରେ ବୁଦ୍ଧି ଥିଲା, ବିଜ୍ଞାନ ଥିଲା ଓ ଧନ ଥିଲା ସେମାନେ ଗରିବଙ୍କୁ ଶୋଷଣ କରିବା ଆରମ୍ଭ କରିଦେଲେ। ଭୟଙ୍କର ବିଷମତା ସୃଷ୍ଟି ହେଲା। ପରିଣାମ ସ୍ୱରୂପ ସାମ୍ୟବାଦ (କମ୍ୟୁନିଜମ) ର ଜନ୍ମ ହେଲା। ସ୍ୱାଧୀନତା ନଷ୍ଟ କରାଗଲା। ମଣିଷକୁ ପଶୁଭଳି ବ୍ୟବହାର କରାଗଲା। କ୍ରମଶଃ ସଙ୍ଘର୍ଷ ଚାଲିଆସିଲା। ସୁଖ ଶାନ୍ତି ଉଭେଇ ଗଲା। ଯାହାକୁ ସ୍ୱାଧୀନତା ଦିଆଗଲା ସେ ବାକି ଲୋକଙ୍କୁ ଶୋଷଣ କଲେ। ଏବେ ସଙ୍ଘର୍ଷ କିଛି ମାତ୍ରାରେ କମିଛି। ଗରିବଙ୍କୁ ଆଇନ ଦ୍ୱାରା କିଛି ମାତ୍ରାରେ ସଂରକ୍ଷଣ ଦିଆଯାଇଛି। ତଥାପି ସଙ୍ଘର୍ଷ ଚାଲିଛି। ଗରିବ ଧନୀ ଭିତରେ ପୁଞ୍ଜିବାଦର ଯେଉଁ ଅଭିଶାପ ଥିଲା ତାହା ଏ ଯାଏ ଚାଲୁ ରହିଛି। ଯେଉଁଠି ସମାନତା ପାଇଁ ସ୍ୱାଧୀନତା ନଷ୍ଟ କରାଗଲା ସେଠାରେ ତ ଅବସ୍ଥା ବଡ଼ ଭୟାନକ। ସୋଭିଏତ ରୁଷ ପୂରା ଧ୍ୱସ୍ତ ହୋଇଗଲା। ଅର୍ଥାତ୍ ସେମାନେ କ'ଣ କରିବେ କିଛି ସ୍ଥିର କରିପାରିଲେ ନାହିଁ। ଏପଟ ଧରିଲେ ହେଲା ନାହିଁ ସେପଟ ଧରିଲେ ବି ହେଲା ନାହିଁ। ଉଭୟ ସ୍ୱାଧୀନତା ଓ ସମାନତା ତାଙ୍କୁ ଅଶାନ୍ତି ଦେଲା।
ଏହାର କାରଣ ବଡ଼ ସ୍ପଷ୍ଟ। ଯଦି କୌଣସି ବ୍ୟକ୍ତିର ଅଣ୍ଟା ବ୍ୟଥା ହେଉଛି ତେବେ କେଉଁଥି ପାଇଁ ଏପରି ହେଲା ତାହାର କାରଣ ଜଣା ନ ପଡ଼ିବା ପର୍ଯ୍ୟନ୍ତ ସେ ବ୍ୟକ୍ତିକୁ ବାମ କଡ଼ ମାଡ଼ି ଶୋଇଲେ ଟିକେ ଭଲ ଲାଗେ ସେ ଭାବେ ଏବେ ମୁଁ ଠିକ୍ ହୋଇଗଲି। କିନ୍ତୁ କିଛି ସମୟ ପରେ ତାକୁ କଷ୍ଟ ହୁଏ ସେ କଡ଼ ବଦଳେଇ ଦିଏ। ଏବେ ତାକୁ ଡାହାଣ କଡ଼ ଭଲ ଲାଗେ ସେ ଭାବେ ଏବେ ମୁଁ ଠିକ୍ ହୋଇଗଲି। କିନ୍ତୁ ନା ବାମ କଡ଼ ନା ଡାହାଣ କଡ଼ ଠିକ୍। ଉଭୟ ପଟ କଷ୍ଟ ଦିଏ। ସେଥିରେ ସୁଖ ଓ ଶାନ୍ତିର କୌଣସି ଚିହ୍ନ ନ ଥାଏ।
ଥରେ ଗୋଟିଏ ଗାଁରେ ଜୁଆ ଖେଳ ହେଲା। ଜଣେ ୧୦୦ ଟଙ୍କା ବାଜି ଲଗେଇଲା। ସେ କହିଲା ଆମ ଗାଁର କେହି ଯଦି ଶହେଟି ଲଙ୍କା ଖାଇଦେବ ତାକୁ ମୁଁ ଏଇ ଶହେ ଟଙ୍କା ଦେଇଦେବି। କିନ୍ତୁ ଗୋଟିଏ ସର୍ତ୍ତରେ ଏହା ମିଳିବ। ଯିଏ ବାଜି ହାରିବ ସିଏ 100 ପ୍ରହାର ଖାଇବ। ଜଣେ ଲୋଭୀ ଶସ୍ତାରେ ଟଙ୍କା ହାତେଇବାକୁ ଖେଳିବା ପାଇଁ ବାହାରିଲା। ସେ ଭାବିଲା ଏଇଟା କୋଉ ବଡ଼ କଥା ଯେ...। ଶହେ ଲଙ୍କା ତ ସେମିତି ମୁଁ ଖାଇଦେବି। ତେଣୁ ସେ ଖେଳ ମଞ୍ଚକୁ ଆସିଲା ଓ ଲଙ୍କା ଖାଇବା ଆରମ୍ଭ କଲା। ୮ - ୧୦ ଟା ଲଙ୍କା ଖାଇବା ପରେ ତା'ର ମୁହଁ, ଜୀଭ, ପେଟ ଜଳିଲା .. । ସେ ଆଉ ଖାଇ ପାରିଲା ନାହିଁ। ସେ କହିଲା ମୁଁ ପ୍ରହାର ମାଡ଼ ଖାଇବାକୁ ପ୍ରସ୍ତୁତ କିନ୍ତୁ ଲଙ୍କା ଆଉ ନୁହେଁ...। ତା' ଲୁଗାପଟା ଖୋଲାଗଲା। ତା' ଫୁଙ୍ଗୁଳା ପିଠିକୁ ଚାବୁକରେ ପ୍ରହାର କଲାବେଳେ ଚମଡ଼ା ଫାଟିଗଲା। ରକ୍ତ ବାହାରି ତାକୁ ଭୀଷଣ କଷ୍ଟ ହେଲା। ସେ ଗୋଡ଼ ହାତ ଧରି କହିଲା ଆଉ ପ୍ରହାର ଖାଇ ପାରିବି ନାହିଁ। ଏବେ ମୋତେ ଲଙ୍କା ଦିଅ ଖାଇବି। ଏହି କ୍ରମ ଚାଲିଲା। ସେ 100 ଚାବୁକ ପ୍ରହାର ଖାଇଲା। 100 ଲଙ୍କା ବି ଖାଇଲା। ଏହା ହେଲା ପଶ୍ଚାତ୍ୟର ସ୍ୱାଧୀନତା ଓ ସମାନତାର କାହାଣୀ। ଉଭୟ ସ୍ଥିତି ସେମାନଙ୍କର ନିଦ ହଜେଇ ଦେଇଛି।

No comments:
Post a Comment