*ଭାରତର ଦର୍ଶନ ଓ ଆଚରଣ*
ଏବେ ଆମେ ଆମ ଦେଶ କଥା ବିଚାର କରିବା। ଆମର ରାଷ୍ଟ୍ରୀୟ ପ୍ରାର୍ଥନା, ଧ୍ୟେୟ ବାକ୍ୟ, ଆକାଂକ୍ଷା - ଏହା ସୃଷ୍ଟିର ସମସ୍ତ ପ୍ରାଣୀ ମାତ୍ରର କଲ୍ୟାଣ ପାଇଁ ଅର୍ପିତ। ସର୍ବୋପି ସୁଖିନଃ ସନ୍ତୁ - ଏହା ଆମର ସମସ୍ତଙ୍କୁ ମଙ୍ଗଳ କାମନାର ବାର୍ତ୍ତା। ବସୁଧୈବ କୁଟୁମ୍ବକମ୍, ସ୍ବଦେଶୋ ଭୁବନ ତ୍ରୟମ - ଏହା ମଧ୍ୟ ଥିଲା ଆମ ପୂର୍ବଜ ମାନଙ୍କ ଦୃଷ୍ଟିକୋଣ।
"କୃଣ୍ୱନ୍ତୋ ବିଶ୍ୱମାର୍ଯ୍ୟମ୍" - ସାରା ବିଶ୍ୱକୁ ସୁସଂସ୍କୃତ କରିବା। ଏହି ଆଦର୍ଶକୁ ନେଇ ବିଶ୍ୱ ସାରା ଆମ ଶ୍ରେଷ୍ଠପୁରୁଷମାନେ ବିଚରଣ କଲେ। ଆମ ଆଧ୍ୟାତ୍ମିକ ଦାର୍ଶନିକ ଯୋଗୀ, ମୁନି ବହୁ ଦୂର ପର୍ଯ୍ୟନ୍ତ ଗଲେ। ବେଦ ଓ ବୁଦ୍ଧର ଧାର୍ମିକ ସନ୍ଦେଶ ବିଶ୍ୱସାରା ପ୍ରସାରିତ କରିବା ପାଇଁ ତାଙ୍କ ହାତରେ ତରବାରୀ ନ ଥିଲା।
"ଏକମ୍ ସତ୍ ବିପ୍ରାଃ ବହୁଧା ବଦନ୍ତି" ଏହା ହେଉଛି ହିନ୍ଦୁ ମାନଙ୍କର ଆଧ୍ୟାତ୍ମିକ ତଥା ଦାର୍ଶନିକ ଦର୍ଶନ। ଏଥିପାଇଁ ନିଜର ମତକୁ ଅନ୍ୟ ଉପରେ ଲଦି ଦେବା ବା ଅନ୍ୟକୁ ଜିତିବା ପାଇଁ ତାକୁ ଯେ କୌଣସି ଉପାୟରେ ଡରେଇ ଧମକେଇ ପ୍ରଲୋଭନ ଦେଇ ନିଜ ଆଡ଼କୁ ଟାଣି ନେବାର ଅପଚେଷ୍ଟା ସେ କରେ ନାହିଁ। ଭାରତରେ ଅନ୍ୟ ମତାଵଲମ୍ବୀ ଇହୁଦୀ, ଖ୍ରୀଷ୍ଟିଆନ, ମୁସଲମାନ ଯେଉଁମାନେ ଅତିଥି ବା ଆଶ୍ରୟ ନେବାପାଇଁ ବା ବେପାର ବଣିଜ କରିବା ପାଇଁ ଏଠାକୁ ଆସିଲେ, ସେମାନଙ୍କୁ ମଧ୍ୟ ଏଠାରେ ଉଦାରତାର ସହ ସ୍ୱାଗତ କରାଗଲା। ସାରା ବିଶ୍ୱରେ ଭାରତ ହିଁ ଏକମାତ୍ର ଦେଶ ଯେଉଁଠି ଇହୁଦୀ ଶରଣାର୍ଥୀମାନେ କୌଣସି ପ୍ରକାର ଅତ୍ୟାଚାରିତ ହୋଇ ନାହାନ୍ତି। ଭାରତକୁ ଜଗନ୍ମାତା, ଜଗଦ୍ଗୁରୁ, ଅନ୍ନପୂର୍ଣ୍ଣା ଆଦି ବିଶେଷଣରେ ସମ୍ବୋଧିତ କରାଯାଏ। ଏହା ସାର୍ଥକ ଅଟେ। ବିଶ୍ୱସାରା ଆମ ସଂସ୍କୃତିର ଅତ୍ୟନ୍ତ ମଙ୍ଗଳକାରୀ ପ୍ରଭାବ ପଡିଛି। ବିଶ୍ୱରେ ଯେଉଁ ବଡ଼ ବଡ଼ ପ୍ରମୁଖ ସାମ୍ରାଜ୍ୟ ରହିଛି, ତାର ଉଦ୍ଗମ ସ୍ଥାନ ମଧ୍ୟ ଭାରତ। ଏବେ ଏବେ କରାଯାଇଥିବା ଗବେଷଣା ଅନୁସାରେ ଏହା ସ୍ପଷ୍ଟ ଭାବେ ଲୋକ ଲୋଚନକୁ ଆସିଛି। ମିଶର ଯାହା ଏକ ସମୟରେ ବଡ଼ ସାମ୍ରାଜ୍ୟ ଓ ବଡ଼ ସଭ୍ୟତା ବୋଲି କୁହାଯାଉଥିଲା, ସେଠାରେ ସର୍ବ ପ୍ରଥମେ ପହଞ୍ଚି ଥିବା ଲୋକ ହିନ୍ଦୁ ହିଁ ଥିଲେ। ଆଠ ହଜାର ବର୍ଷ ପୂର୍ବେ ହିନ୍ଦୁଙ୍କ କାରଣରୁ ହିଁ ସେଠାରେ ସଭ୍ୟତାର ଅଙ୍କୁରୋଦ୍ଗମ୍ ହୋଇଥିଲା।
ରୋମ ଯାହା ଏକ ସମୟରେ ବିଶ୍ୱରେ ଖ୍ୟାତି ଅର୍ଜନ କରିଥିଲା, ଯାହାର ବହୁତ ବଡ଼ ସାମ୍ରାଜ୍ୟ ଥିଲା, ତାର ନାଁ ମଧ୍ୟ ରାମଙ୍କ ନାମର ସାମାନ୍ୟ ରୂପାନ୍ତର।
ଗ୍ରୀକ, ଲାଟିନ ଆଦି ଭାଷା ମଧ୍ୟ ସଂସ୍କୃତରେ ପରିପୋଷିତ ହୋଇଛି। ସେହି ସବୁ ଭାଷା ମାନଙ୍କ ଉପରେ ସଂସ୍କୃତର ପ୍ରଭାବ ସର୍ବାଗ୍ରେ ରହିଛି।
ସାରା ବିଶ୍ୱରେ ଗଣିତରେ, ବିଜ୍ଞାନରେ ଭାରତର ଅବଦାନ କେତେ ଏହା ଅନେକ ଥର ଆମେ ଶୁଣିଛନ୍ତି। କିନ୍ତୁ ଯେଉଁଠି ସାରା ଦେଶ ମୁସଲମାନ ହୋଇଗଲେ ସେହି ଇଣ୍ଡୋନେସିଆ ଦେଶରେ ମଧ୍ୟ ଭାରତ ପ୍ରତି କୃତଜ୍ଞତାର ଭାବ ରହିଛି। ସେମାନେ ଆଜି ମଧ୍ୟ ଭାରତର ହିନ୍ଦୁ ସଂସ୍କୃତିକୁ ମାନୁଛନ୍ତି। ଭାରତକୁ ଆସୁଥିବା ସେ ଦେଶର ମୁସଲମାନମାନେ କେବଳ ପ୍ରବାସୀ ହୋଇ ଆସୁ ନାହାନ୍ତି। ସେମାନେ ଭାରତକୁ ତୀର୍ଥ ସ୍ଥାନ ବୋଲି ମାନୁଛନ୍ତି। ଭାରତରୁ ଫେରିବାବେଳେ ଟିକେ ଗଙ୍ଗାଜଳ ନେଇ ଆସିବ ବୋଲି ତାଙ୍କ ପରିବାର ଲୋକେ ମନେ ପକେଇ ଦେଇଥାଆନ୍ତି। ଅର୍ଥାତ୍ ଭାରତ ପ୍ରତି ତାଙ୍କର ଶ୍ରଦ୍ଧା ଭାବ ଅଛି। ଆପଣ ପୃଥିବୀର ଯେ କୌଣସି ସ୍ଥାନକୁ ଯାଆନ୍ତୁ ସେଠାରେ ପାଇବେ ଭାରତର ଛାପ। ମେକ୍ସିକୋରେ ଲୋହିତ ଭାରତୀୟ କିଛି ଅଛନ୍ତି। ବାକି ସମସ୍ତଙ୍କୁ ସାମ୍ରାଜ୍ୟବାଦୀ ଗୋରା ଲୋକମାନେ ହତ୍ୟା କରିଦେଲେ। ଯେଉଁମାନେ ବଞ୍ଚି ଗଲେ ସେମାନେ କୁହନ୍ତି ହିନ୍ଦୁ ମରିବା ବେଳେ ମଧ୍ୟ ତା ସହିତ କୁକୁରକୁ ସ୍ୱର୍ଗକୁ ନେଇଯାଏ। (ମହାଭାରତରେ ଯୁଧିଷ୍ଠିରଙ୍କ ସମ୍ବନ୍ଧରେ ଏ କଥା ପ୍ରଚଳିତ।) କିନ୍ତୁ ଏ ଗୋରା ଲୋକ ତ ବଞ୍ଚି ଥାଉଁ ଥାଉଁ ତାଙ୍କ ମହା ମାନବଙ୍କୁ ନର୍କରେ ପକାଇ ଦିଅନ୍ତି।
ପ୍ରାଚୀନ ସମୟରେ ଭାରତ ଯାତ୍ରାରେ ଆସିଥିବା ପ୍ରତ୍ୟେକ ମହାନୁଭଵ ଏ ଦେଶର ଅତ୍ୟୁଚ୍ଚ ନୈତିକ ବ୍ୟବହାରକୁ ଦେଖି ସ୍ତମ୍ଭିତ ହୋଇଯାଉଥିଲେ। ଏଠାକାର ବ୍ୟବସାୟୀ ବର୍ଗ କିପରି ଶତ ପ୍ରତିଶତ ପ୍ରାମାଣିକ ଓ ବିଶ୍ୱସନୀୟ ଥିଲେ, ରାଜା କିପରି କଠୋରତାର ସହ ରାଜଧର୍ମ ପାଳନ କରୁଥିଲେ, ସାଧାରଣ କାରିଗର, କଳାକାର, ବିଦ୍ୟାର୍ଥୀ ବା ଗୃହସ୍ଥ .. ସମସ୍ତେ ନିଜ ନିଜ ଧର୍ମ ପାଳନରେ କେତେ ତତ୍ପର ଥିଲେ, ଏଠିକାର ସାମାନ୍ୟ ଲୋକର ବ୍ୟବହାର କେତେ ଶାଳୀନ ଓ ସ୍ୱଚ୍ଛ ଥିଲା - ଏହା ସେମାନେ ଆଦର ଓ ଆଶ୍ଚର୍ଯ୍ୟର ସହ ବର୍ଣ୍ଣନା କରିଛନ୍ତି।
ଇଂରେଜ ଯେତେବେଳେ ଭାରତକୁ ପରାଧୀନ କଲେ ସେତେବେଳେ ସେମାନେ କହିଥିଲେ ଏଠାରେ ଥିବା ସମସ୍ତ କଳା ଓ ହଳଦିଆ ଲୋକଙ୍କୁ ସଭ୍ୟ କରିବା ହେଲା ଆମ ଗୋରା ଲୋକମାନଙ୍କର ଉତ୍ତରଦାୟିତ୍ୱ। ଏହାକୁ ସମ୍ପନ୍ନ କରିବା ପାଇଁ ଆମେ ଆସିଛୁ। ସେତେବେଳେ ୧୮୯୨ ରେ ଇଂଲଣ୍ଡର ଏଡ଼ିନବରୋ ରେନ୍ୟୁ ଲେଖିଛନ୍ତି ଯେ ହିନ୍ଦୁ ବିଶ୍ୱରେ ସବୁଠୁ ପୁରୁଣା ରାଷ୍ଟ୍ର ଯାହାର ସଭ୍ୟତା ଓ ସଂସ୍କୃତି ଅତୁଳନୀୟ।
ଯିଏ ଭାରତର ଶିକ୍ଷା ପଦ୍ଧତି ପରିବର୍ତ୍ତନ କରିବା ସମୟରେ ନିଜ ବାପାଙ୍କ ପାଖକୁ ଚିଠି ଲେଖିଥିଲେ ଆଉ ୩୦ ବର୍ଷ ଭିତରେ ବଙ୍ଗଳାରେ ଗୋଟେ ବି ମୂର୍ତ୍ତି ପୂଜକ ରହିବେ ନାହିଁ, ସେଇ ମେକେଲେ ହିଁ ନିଜେ ଲେଖିଥିଲେ ଖ୍ରୀଷ୍ଟିଆନଙ୍କ କେତେ ଶତାବ୍ଦୀ ବର୍ଷ ପୂର୍ବରୁ ଯେତେବେଳେ ଇଂଲଣ୍ଡର ଲୋକେ ଗୁମ୍ଫାରେ ରହୁଥିଲେ, ନିଜ ଶରୀରରେ ବିଭିନ୍ନ ପ୍ରକାର ରଙ୍ଗ ଚଢ଼ାଉ ଥିଲେ, ଜଙ୍ଗଲରେ ପଶୁଭଳି ବୁଲୁଥିଲେ ସେତେବେଳେ ଭାରତର ସଭ୍ୟତା ଅତ୍ୟୁଚ୍ଚ ଶିଖରରେ ପହଞ୍ଚି ଥିଲା।
ଚୀନର ହୁଶିହ ଜୋ ଆମେରିକାରେ ରାଜଦୂତ ଥିବା ବେଳେ କହିଥିଲେ ଭାରତ ଚୀନ୍ ଉପରେ ଦୁଇ ହଜାର ବର୍ଷ ପର୍ଯ୍ୟନ୍ତ ନିଜ ସାମ୍ରାଜ୍ୟ ଚଳାଇ ଥିଲା। କିନ୍ତୁ ଜଣେ ବି ସୈନ୍ୟ ପଠାଇ ନ ଥିଲା। କିମ୍ବା ଚୀନକୁ କିଛି ବାଧ୍ୟ କରି ନ ଥିଲା। ଚୀନର ବିଦ୍ୟାର୍ଥୀ ଗବେଷଣା ପାଇଁ, ଶିକ୍ଷା ପାଇଁ ଭାରତ ଯାଉଥିଲେ। ଚୀନ୍ ପାଇଁ ଏହା ଏକ ତୀର୍ଥ ଯାତ୍ରା ଥିଲା।
ଜାପାନରେ ମଧ୍ୟ ଭାରତ ପ୍ରତି ଏହି ଭାବନା ରହିଛି। ଆମେରିକାର ମେକ୍ସିକୋ ଠାରୁ ଆରମ୍ଭ କରି ଜାପାନ ପର୍ଯ୍ୟନ୍ତ ସମସ୍ତ ବଡ଼ ବଡ଼ ଦେଶକୁ ହିନ୍ଦୁ ଲୋକ ଜଳ ଜାହାଜ ଦ୍ୱାରା ଯାଉଥିଲେ। "କୃଣ୍ୱନ୍ତୋ ବିଶ୍ୱମାର୍ଯ୍ୟମ" କେବଳ ନାମକୁ ମାତ୍ର ନ ଥିଲା। ଆମ ସଂସ୍କୃତି ବିଶ୍ୱ ବିଜୟୀ ଥିଲା। ଏହାର ପ୍ରମୁଖ କାରଣ ହେଲା ଆମ ଦର୍ଶନ। ଯାହାର ସନ୍ଦେଶ ହେଉଛି ନିଜ ଆତ୍ମାର ଅଧିକାଧିକ ବିକାଶ ପାଇଁ ଅଧିକାଧିକ ବିସ୍ତୃତି ପାଇଁ ମାନବ ସମାଜ ହିତକୁ ନିଜ ହିତ ମାନିବା। ଆମେ ମାନବ ମାତ୍ର ପାଇଁ ଯେଉଁ ସର୍ବୋଚ୍ଚ ଆଦର୍ଶ ମାନିଲୁ ତାହା ହେଲା "ଆତ୍ମନୋ ମୋକ୍ଷାର୍ଥଂ ଜଗଦ୍ ହିତାୟ ଚ" - ଅର୍ଥାତ୍ ନିଜ ଆତ୍ମାର ବିକାଶ ଓ ଜଗତ କଲ୍ୟାଣ ଏ ଦୁଇଟି ହେଉଛି ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ଵ।
ଆମର ଲୋକ କଲ୍ୟାଣକାରୀ ପ୍ରାଚୀନ ପରମ୍ପରା ଦ୍ୱାରା ପ୍ରଭାବିତ ହୋଇଥିବା ଅନ୍ୟ ଦେଶର ସାଧାରଣ ଲୋକଙ୍କ ମନରେ ଏବେ ମଧ୍ୟ ଭାରତ ପ୍ରତି ସେହି ସ୍ନେହଭାଵ ଓ ଆଦର ଭାବ ରହିଛି। ସ୍ୱାମୀ ବିବେକାନନ୍ଦଙ୍କ ଜୀବନର ଏକ ଉଦ୍ ବୋଧକ ପ୍ରସଙ୍ଗ ରହିଛି -
ଆମେରିକା ଯିବା ରାସ୍ତାରେ ଯେତେବେଳେ ତାଙ୍କ ଜାହାଜ ଚୀନ ବନ୍ଦରରେ ଅଟକିଥିଲା ସ୍ୱାମୀଜୀ ପାଖରେ ଥିବା କେଣ୍ଟନ ନଗରକୁ ବୁଲିବାକୁ ଗଲେ। ସେଠାରେ ଏକ ସୁପ୍ରସିଦ୍ଧ ମନ୍ଦିରରେ ଯେତେବେଳେ ପ୍ରବେଶ କଲେ ତାଙ୍କର ମାର୍ଗଦର୍ଶକ ଚୀନ ଭାଷା ଜାଣୁଥିବା ଦ୍ଵିଭାଷୀ ତାଙ୍କୁ ମନାକଲା। କାରଣ ସେଠାରେ ଥିବା ଜଗୁଆଳି ଅନ୍ୟ ଧର୍ମାବଲମ୍ବୀ ମାନଙ୍କୁ ମାଡ଼ ଦେଇ ବିଦା କରିଦେଉଥିଲା। କିନ୍ତୁ ସ୍ୱାମୀଜୀ ଭିତରକୁ ଗଲେ ଓ କହିଲେ ମୁଁ ଭାରତରୁ ଆସିଛି। ମୁଁ ଜଣେ ସନ୍ନ୍ୟାସୀ। ଏହିପରି ନିଜ ପରିଚୟ ଦେଇ ସାରିବା ମାତ୍ରେ ମାଡ଼ ଦେବାକୁ ଆସିଥିବା ସେ ଜଗୁଆଳି ତା ଦଣ୍ଡ ଫୋପାଡ଼ି ଦେଲା ଓ ସ୍ୱାମୀଜୀଙ୍କ ପାଦ ତଳେ ପଡ଼ି କ୍ଷମା ମାଗିଲା। ସେ କହିଲା, ଆଜି ମୋତେ ଭଗବାନ ବୁଦ୍ଧ ମିଳିଗଲେ। ମୁଁ ଆଜି ଭଗବାନ ବୁଦ୍ଧଙ୍କୁ ଦର୍ଶନ କରୁଛି। ଏ ମନ୍ଦିରକୁ ଆପଣ ପବିତ୍ର କରିଦେଲେ। ସେ ସ୍ୱାମୀଜୀ ଙ୍କୁ ପ୍ରାର୍ଥନା କଲା ଯେ ଆପଣ ଆଜି ଆମର ମନ୍ଦିରକୁ ପବିତ୍ର କରି ଦିଅନ୍ତୁ। ସ୍ୱାମୀଜୀ ଗୋଟିଏ କାଗଜରେ ଓଁ ଲେଖି ତା ହାତରେ ଦେଇଦେଲେ।

No comments:
Post a Comment