*ବ୍ୟକ୍ତି ଓ ସମାଜ ପରସ୍ପର ପରିପୂରକ*
ଆମର ହିନ୍ଦୁ ଶାସ୍ତ୍ରରେ ବ୍ୟକ୍ତି ଓ ସମାଜ ଭିତରେ ଥିବା ସମ୍ପର୍କକୁ ଅତ୍ୟନ୍ତ ସରଳ ଭାବରେ ବୁଝାଇ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ସମାଜ ଆମର ଦେବତା। ତେଣୁ ସମାଜକୁ ଭକ୍ତି କର। ଜନତା ଜନାର୍ଦ୍ଦନର ସେବା କର।
ସ୍ୱାମୀ ବିବେକାନନ୍ଦ କହିଛନ୍ତି ଭାରତ ମାତାଙ୍କୁ ପୂଜା କର। ସମସ୍ତ ଦେବାଦେବୀଙ୍କ ସେବା ମାନେ ରାଷ୍ଟ୍ର ପୂଜା। ରାଷ୍ଟ୍ର ସେବା ହିଁ ହେଉଛି ଆଧ୍ୟାତ୍ମିକ ସାଧନା।
ଡ ରାଧକୁମୁଦ ମୁଖାର୍ଜୀ ତାଙ୍କ 'ଦି ଫଣ୍ଡାମେଣ୍ଟାଲ ୟୁନିଟ ଅଫ ଇଣ୍ଡିଆ' ପୁସ୍ତକରେ ଲେଖିଛନ୍ତି, "ହିନ୍ଦୁ ନିଜ ପରମ୍ପରା ଓ ଧର୍ମ ଅନୁସାରେ ଭାରତକୁ କେବଳ ଏକ ରାଜନୈତିକ ଏକକ ବୋଲି ମାନେ ନାହିଁ ବରଂ ନିଜ ଆଧ୍ୟାତ୍ମିକ ସଂସ୍କୃତିର ସାକ୍ଷତ ମନ୍ଦିର ତଥା ତା ଠୁ ବଡ଼ ଦେବୀ ମା' ବୋଲି ମାନି ଆସିଛି।"
ରାଷ୍ଟ୍ରୀୟତାର ବ୍ୟାଖ୍ୟା କରିବା ଏକ କଠିନ କାମ। କିନ୍ତୁ ଭାରତର ଋଷିଗଣ ଏହାକୁ ନିଜ ଆତ୍ମାରେ ପ୍ରତିଷ୍ଠିତ କରିଯାଇଛନ୍ତି।
ସେମାନେ ଏହାକୁ ସମାଜ ପୁରୁଷ, ବିରାଟ ପୁରୁଷ, ଭାରତ ମାତା ଆଦି ସମ୍ବୋଧିତ କରି ଆଧ୍ୟାତ୍ମିକ ସାଧନାର ଏକ ସରଳ ମାର୍ଗ ପ୍ରସ୍ତୁତ କରିଦେଇଛନ୍ତି।
ସ୍ୱାମୀ ରାମତୀର୍ଥ କହିଛନ୍ତି - "ମୁଁ ଭାରତ। ମୋର ମସ୍ତକ ହିମାଳୟ, ମୋ ମଥାର ମୁକୁଟ ଗୌରୀଶଙ୍କର, ହିମାଳୟର ପର୍ବତ ଶ୍ରେଣୀଗୁଡ଼ିକ ମୋର ଦୁଇ ବାହୁ, ମୋ କଣ୍ଠରେ ଶୋଭା ପାଉଛି ଗଙ୍ଗା ଯମୁନା ରୂପୀ ରତ୍ନମାଳା, ମୋ ଅଣ୍ଟାର ବୀର ଭୂଷଣ ବିନ୍ଧ୍ୟ ପର୍ବତ, ମୋର ଦୁଇଟି ଜଙ୍ଘ ପୂର୍ବ ଓ ପଶ୍ଚିମଘାଟ ପର୍ବତ ଶ୍ରେଣୀ, ମୋ ପାଦରେ ତିନି ମହାସାଗର ସକାଳେ ସଞ୍ଜେ ଅଞ୍ଜଳି ଚଢ଼ାଉଛନ୍ତି। ମୁଁ ପାଦ ଆଗକୁ ବଢ଼ାଉଛି ତ ଭାରତ ଆଗକୁ ପାଦ ବଢ଼ାଉଛି, ମୁଁ ଶ୍ଵାସ ନେଉଛି ତ ଭାରତ ଶ୍ଵାସ ନେଉଛି। ମୁଁ ସ୍ୱୟଂ ଶଙ୍କର, ଶିବ ଶଙ୍କର। ମୁଁ ହିଁ ଭାରତ, ମୁଁ ହିଁ ଭାରତ।"
ଏହା ହିଁ ପ୍ରକୃତ ଅଦ୍ୱୈତ ଭାବ। ଭାରତ ସହ ଏକାତ୍ମତା ଅର୍ଥ ଅଦ୍ୱୈତ ଅନୁଭୂତିର ଏହା ଏକ ମହାଶିଖର। ଏହିପରି ନିଜ ଆତ୍ମବିକାଶର ଏତେ ସୁନ୍ଦର ମାର୍ଗ ସେ ପ୍ରଶସ୍ତ କରିଥିଲେ।
ନିଜ ସମାଜର ସେବାପାଇଁ, ଜନତା ଜନାର୍ଦ୍ଦନର ସେବାପାଇଁ ବା ଭାରତ ମାତାର ସେବା ପାଇଁ ବ୍ରତ ଧାରଣ କରି ବଳିଦାନ କରି ଜୀବନକୁ ସାର୍ଥକ କରିଥିବା ଅଗଣିତ ବଳିଦାନୀ ମହାପୁରୁଷଙ୍କ ଉଦାହରଣ ଆମ ସମ୍ମୁଖରେ ରହିଛି। ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରିଟିଶ ଗୁପ୍ତଚରମାନେ ଭାରତର କ୍ରାନ୍ତିକାରୀମାନଙ୍କ ସମ୍ପର୍କରେ ଆସି ବଡ଼ ଆଶ୍ଚର୍ଯ୍ୟ ହେଉଥିଲେ। ସେମାନେ କହୁଥିଲେ ଯେ "ଏଠିକାର କ୍ରାନ୍ତିକାରୀମାନେ ବଡ଼ ବିଚିତ୍ର। ଏମାନଙ୍କର ମରିବାରେ କିଞ୍ଚିତ ମାତ୍ର ଭୟ ନାହିଁ।"
ଭଗବତ୍ ଗୀତାର ସେହି ଶ୍ଳୋକ
("ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ....।"
ଅର୍ଥାତ୍ - ମୋତେ କୌଣସି ଶସ୍ତ୍ର ମାରିପାରିବ ନାହିଁ। ଅଗ୍ନି ଜଳାଇ ପାରିବ ନାହିଁ।) କୁ ଗାଇ ହସି ଖେଳି ଯେପରି ନବ ବଧୁ ଗଳାରେ ହାର ପକାଏ ସେହିପରି ଏମାନେ ଫାଶିକୁ ଗଳାରେ ଲଗାଇ ଦିଅନ୍ତି।
ମୁଁ ତ ଅମର, ଏପରି କହି ଫାଶିର ଦଉଡ଼ିକୁ ଚୁମ୍ବନ ଦେଇଥିବା ଆମ ସ୍ୱାଧୀନତା ସଂଗ୍ରାମୀ ଅଥବା କ୍ରାନ୍ତିକାରୀଙ୍କ ଆତ୍ମାହୁତି, ଆତ୍ମ ବଳିଦାନ ଆଧ୍ୟାତ୍ମିକ ସାଧନାର ଏକ ଉଚ୍ଚକୋଟୀର ସାଧନା। ଭଗବତ ଗୀତାର ଏକ ଶ୍ଳୋକରେ କୁହାଯାଇଛି - ପରିବ୍ରାଜକ ଯୋଗୀ ତଥା ଧର୍ମଯୁଦ୍ଧରେ ଆତ୍ମାହୁତି ଦେଉଥିବା ସୈନିକ - ଏ ଦୁଇ ପ୍ରକାର ଲୋକେ ସୂର୍ଯ୍ୟମଣ୍ଡଳକୁ ଭେଦକରି ପରମ ଗତି ପ୍ରାପ୍ତ ହୁଅନ୍ତି।
ଏହିପରି ବ୍ୟାବହାରିକ ଜୀବନରେ ଧର୍ମର ସ୍ଥାପନା କରିବା, ଭାରତର ସ୍ବାଧୀନତା ପାଇଁ ଆତ୍ମୋତ୍ସର୍ଗ କରିବା, ଜନତା ଜନାର୍ଦ୍ଦନଙ୍କ ସେବାରେ ଧନ୍ୟତା ପାଇବା ହେଉଛି ଆତ୍ମାର ବିକାଶ ଧାରା। ଆଧ୍ୟାତ୍ମିକ ସାଧନା କିଛି ଅଲଗା ବିଷୟ ନୁହେଁ। ରାଷ୍ଟ୍ରସେବା ବା ଜନତାର ସେବା କିଛି ଅଲଗା ବିଷୟ ନୁହେଁ। ଏହିପରି ୨ଟି ବିଷୟକୁ ଏଠାରେ ସମନ୍ଵୟ କରିଦିଆଯାଇଛି। ଏଥିପାଇଁ ଆମର ଏଠାରେ ବ୍ୟକ୍ତି ଓ ସମାଜ ମଧ୍ୟରେ ବା ରାଷ୍ଟ୍ର ମଧ୍ୟରେ କେବେ ସଙ୍ଘର୍ଷ ହୋଇ ନାହିଁ।
ସମସ୍ତଙ୍କ ଭିତରେ ଗୋଟିଏ ଦୃଷ୍ଟିକୋଣ ବିକଶିତ ହୋଇଛି ତାହା ହେଲା "ୱାନ୍ ଫର୍ ଅଲ ଏଣ୍ଡ ଅଲ ଫର୍ ୱାନ୍।" ରାଷ୍ଟ୍ର ଜୀବନର ଉତ୍ଥାନ କିପରି ହେବ ବ୍ୟକ୍ତି ଏ କଥା ଚିନ୍ତା କରୁଛି ଏବଂ ବ୍ୟକ୍ତିର ସୁଖ ପାଇଁ ରାଷ୍ଟ୍ର ଚିନ୍ତା କରୁଛି। ତେଣୁ ବ୍ୟକ୍ତି ଓ ସମାଜ ପରସ୍ପର ପରିପୂରକ।

No comments:
Post a Comment