*ଅର୍ଥର ଅଭାବ ଓ ଅର୍ଥର ଆଧିକ୍ୟ - ଉଭୟ ଦୁଖଦାୟକ*
ଯେଉଁଠି ପ୍ରଚୁର ସମୃଦ୍ଧି ରହିଛି ଏବଂ ଯେଉଁଠି ଅଭାବ ଲାଗି ରହିଛି - ଏ ଉଭୟ ସ୍ଥାନର ଲୋକେ ଚିନ୍ତାଗ୍ରସ୍ତ ରୁହନ୍ତି। ଏମାନେ ସୁଖ ଓ ଶାନ୍ତିରେ ରହି ପାରନ୍ତି ନାହିଁ। ଥରେ ଏକ ବୈଠକ ନିମିତ୍ତ ଆମେ ଚେନ୍ନାଇ ଯାଇଥିଲୁ। ସେତେବେଳେ ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା। ଛଅ ସାତ ଦିନ ଧରି ବର୍ଷା ଲାଗି ରହିଲା। କିନ୍ତୁ ଆମେ ଶୁଣିଲୁ କିଛିଦିନ ପୂର୍ବରୁ ସେଠାରେ ଜଳ ସଙ୍କଟ ଥିଲା। ସବୁଠି ମାଆମାନେ ମୁଣ୍ଡ ଉପରେ କଳସି ରଖି ପାଣି ପାଇଁ ବହୁ ଦୂରକୁ ଯାଉଥିଲେ। ପାଣି ପାଇଁ ହାହାକାର ଲାଗି ରହିଥିଲା। ଟ୍ୟାଙ୍କରରୁ ପାଣି ଆଣି ଘରେ ସଞ୍ଚୟ କରିବାକୁ ହେଉଥିଲା। ଏବେ ଘୋର ବର୍ଷାରେ ଆମେ ଯେଉଁଠି ରହୁଥିଲୁ ସେଠାରେ ଚାରିପଟେ ଚାରି ଛଅ ଫୁଟର ପାଣି ଚାଲିଥିଲା। କିଛି ଜାଗାରେ ତ ଆଠ ଆଠ ଫୁଟର ପାଣି ଚାଲିଥିଲା। ତା ପରେ ବି ପାଣି ପାଇଁ ହାହାକାର ପଡ଼ିଥିଲା। ସବୁଆଡ଼େ ନଗରପାଳିକା ଟ୍ୟାଙ୍କରରେ ପାଣି ଯୋଗାଉ ଥିଲା। ମାଆମାନେ ଆଣ୍ଠୁଏ ପାଣିରେ କଳସି ମୁଣ୍ଡେଇ ଟ୍ୟାଙ୍କର ପର୍ଯ୍ୟନ୍ତ ଧାଡ଼ି ଲଗାଇଥିଲେ। କି ବିଚିତ୍ର ଦୃଶ୍ୟ ! ଥରେ ଅଭାବରେ ହାହାକାର ପଡ଼ିଗଲା। ଆଉ ଥରେ ବିପୁଳତାରେ ମଧ୍ୟ ସେଇ ହାହାକାର। ବିପୁଳତାରେ ହାହାକାର କ'ଣ ପାଇଁ ? କାରଣ ବଢ଼ି ପାଣି ପିଇବା ଯୋଗ୍ୟ ନୁହଁ। ତାକୁ ପିଇଲେ ରୋଗ ହେବ। ତେଣୁ ପିଇବା ପାଇଁ ଶୁଦ୍ଧ ଜଳ ଆବଶ୍ୟକ।
ଏପରି ଯେଉଁଠି 'ଅର୍ଥ' ଓ 'କାମ'ର ଅଭାବ ସେଠି ହାହାକାର ଓ ଯେଉଁଠି ଏହା ଅଧିକ ମାତ୍ରାରେ ଅଛି ସେଠି ବି ମଣିଷ ସୁଖରେ ନାହିଁ। କାରଣ ସବୁକିଛି ବିକାର ଦ୍ଵାରା ପ୍ରଦୁଷିତ ହୋଇଯାଇଛି। ମଣିଷର ସମସ୍ତ ପାଶବିକ ବିକାର ଲୋଭ, ମୋହ, ମତ୍ସର ଆଦି ଦ୍ୱାରା ପ୍ରଦୁଷିତ।
ଅଭାବ ଓ ଆଧିକ୍ୟ ଉଭୟରେ ମଣିଷ ସୁଖୀ ନୁହେଁ। ଜଳ ବିହୁନେ ସୃଷ୍ଟି ନାଶ ପୁଣି ଜଳ ଗହଳେ ସୃଷ୍ଟି ନାଶ।

No comments:
Post a Comment