*ଧର୍ମ - ପରମାତ୍ମାଙ୍କୁ ପାଇବାର ରାଜମାର୍ଗ*
ଆତ୍ମାର ମୂଳ ସ୍ୱରୂପ ହେଉଛି ସଚ୍ଚିଦାନନ୍ଦ। ଏହା ହିଁ ବ୍ୟକ୍ତିକୁ ସୁଖ ଦେଇଥାଏ। ଆତ୍ମ ବିସ୍ମୃତି ହିଁ ଦୁଃଖର କାରଣ। ଏହି ପରମ ତତ୍ତ୍ୱର ଦର୍ଶନ ଦ୍ୱାରା ଦୁଃଖ ଦୂର ହୁଏ। ଆତ୍ମ ଦର୍ଶନରେ ବାଧା ନିର୍ମାଣ କରୁଥିବା କାରଣ ସବୁକୁ ଦୂର କରିବାକୁ ହେବ। ଆତ୍ମ ସୂର୍ଯ୍ୟକୁ ଢାଙ୍କି ଦେଇଥିବା କଳାପରଦାକୁ ବାହାର କରିଦେବାକୁ ପଡ଼ିବ। ବ୍ୟକ୍ତିକୁ ପରମ ସୁଖ ଦେଉଥିବା ପରମାତ୍ମା ଆତ୍ମା ରୂପେ ନିଜ ଶରୀର ଭିତରେ ବିଦ୍ୟମାନ। ଏହାକୁ ବାହାରେ ନୁହେଁ ନିଜ ଭିତରେ ହିଁ ଖୋଜିବାକୁ ହେବ।
ରମଣ ମହର୍ଷି ଏହାକୁ ବୁଝାଇବାକୁ ଯାଇ ଏକ ସୁନ୍ଦର ଉଦାହରଣ ଦେଉଥିଲେ।
ଦିନେ ଜଣେ ପଥିକ ଦୀର୍ଘ ପଥ ଚାଲି ଚାଲି ଥକି ପଡ଼ିଥିଲା। ଥକା ମେଣ୍ଟେଇବା ପାଇଁ ସେ ଗୋଟିଏ ଗଛ ମୂଳରେ ଯାଇ ବିଶ୍ରାମ ନେଲା। ଗଛର ଛାଇ ଓ ଥଣ୍ଡା ପବନ କାରଣରୁ ତାକୁ ଟିକେ ଶୋଇଯିବାକୁ ଇଚ୍ଛା ହେଲା। ବହୁତ ଥକି ଯାଇଥିବାରୁ ତାକୁ ସଙ୍ଗେ ସଙ୍ଗେ ନିଦ ହୋଇଗଲା। ନିଦରେ ସେ ଗୋଟିଏ ସ୍ୱପ୍ନ ଦେଖିଲା।
ସ୍ୱପ୍ନରେ ତାକୁ ଅନୁଭବ ହେଉଛି ଯେ ଭୀଷଣ ତାତି। ସେ ମରୁଭୂମିରେ ଚାଲିଛି। ଆଗ ପଛ ଚତୁର୍ଦିଗ ଖାଲି ବାଲୁକାମୟ। କେଉଁଠି ହେଲେ ଗୋଟେ ବୃକ୍ଷ ଦେଖାଯାଉ ନାହିଁ। ପାଣି ବି କେଉଁଠି ନାହିଁ। ଭୋକ ଓ ଶୋଷରେ ସେ ଆଉଟ ପାଉଟ ହେଲା। ଏପରିକି ତା'ର ମୃତ୍ୟୁ ସମୟ ଆସିଗଲା। ଏତିକିବେଳେ ସେ ଖୁବ୍ ଜୋରରେ ଚିତ୍କାର କଲା। ଏଇ ଚିତ୍କାର ଦ୍ୱାରା ତା'ର ନିଦ ଭାଙ୍ଗିଗଲା। ସେ ଦେଖିଲା ଯେ ଗଛ ମୂଳର ଛାଇରେ ସେ କେତେ ଆନନ୍ଦରେ ଶୋଇଛି। ଟିକେ ଦୂରରେ ସ୍ୱଚ୍ଛ ଜଳ ଦେଖାଯାଉଛି। କଡ଼ରେ ଖାଇବା ପାଇଁ ମଧ୍ୟ ଅନେକ ଫଳ ଗଛ ଅଛି। କିନ୍ତୁ ଏତେ ସମୟ ସେ ଥିଲା କେଉଁଠି ? ଅଜ୍ଞାନବଶତଃ ସେ ବୋଧହୁଏ କେଉଁଠି ବୁଲୁଥିଲା। ସବୁ କିଛି ତ ତା' ପାଖରେ ଥିଲା।
ରମଣ ମହର୍ଷି କହିଲେ, ଏହିପରି ଅଜ୍ଞାନବଶତଃ ସ୍ୱପ୍ନବଶତଃ ଆମେ ଏଣେ ତେଣେ ବୁଲୁଥାଉ। ସେଥିରୁ ଆମେ ମୁକ୍ତି ପାଇବା ଉଚିତ।
ଏବେ ପ୍ରଶ୍ନ ଉଠୁଛି ଯେ କେଉଁ କେଉଁ ପରିସ୍ଥିତିରେ ଆମ ଭିତରେ ଥିବା ଆତ୍ମସ୍ୱରୂପକୁ ଭୁଲିଯିବାର ସମ୍ଭାବନା ଦେଖାଦେଇଥାଏ ? ଟିକେ ଶାନ୍ତ ଚିତ୍ତରେ ବିଚାର କଲେ ଆମେ ଜାଣିପାରିବା ଯେ ଏହି ପ୍ରକାର ସ୍ଥିତି ସାଧାରଣତଃ ଚାରି ପ୍ରକାର ସମ୍ବନ୍ଧ ଦ୍ୱାରା ଉପୁଜିଥାଏ ।
ବ୍ୟକ୍ତିଗତ ସ୍ତରରେ ଯଦି ବ୍ୟକ୍ତି ନିଜ ଶରୀର, ମନ, ବୁଦ୍ଧି ଓ ଆତ୍ମା ଭିତରୁ ମୁଖ୍ୟତଃ ଆତ୍ମା ସହ ସାମଞ୍ଜସ୍ୟ ରକ୍ଷା କରି ଚାଲିବ ତେବେ ସୁଖରେ ରହିବ। ତା' ଭିତରେ କୌଣସି ପ୍ରକାର ସଂଘର୍ଷପୂର୍ଣ୍ଣ ସ୍ଥିତି ସୃଷ୍ଟି ହେବ ନାହିଁ। ଯଦି ମନ, ବୁଦ୍ଧି ଓ ଶରୀର ସବୁ ଅଲଗା ଅଲଗା ଦିଗରେ ଚାଲିବେ ତେବେ ସଂଘର୍ଷ ନିଶ୍ଚିତ ହେବ। ଅଶାନ୍ତି ସୃଷ୍ଟି ହେବ। ନିଜ ଭିତରେ ଥିବା ସୁଖ ଶାନ୍ତି ସବୁ ନଷ୍ଟ ହୋଇଯିବ। ଅଶାନ୍ତ ସ୍ଥିତିରେ ନିଜ ସ୍ୱରୂପ ନିଜେ ଦେଖିବା ମଧ୍ୟ ଅସମ୍ଭବ ହୋଇପଡ଼ିବ। ଯେପରି କୂଅ ପାଣି ଗୋଳିଆ ହୋଇଗଲେ ତଳେ ପଡ଼ିଥିବା ପଦାର୍ଥ ଦେଖାଯାଏ ନାହିଁ, କିନ୍ତୁ ସ୍ଥିର ସ୍ୱଚ୍ଛ ପାଣିରେ ସବୁ ଦେଖାଯାଇଥାଏ। ଆମ ମନର ସ୍ଥିତି ଠିକ୍ ସେହିପରି। ଯଦି ଶରୀର, ମନ ବୁଦ୍ଧି ଏ ତିନିହେଁ ଆତ୍ମା ସହିତ ମିଶି ଜଣେ ଅନ୍ୟ ସହିତ ସମନ୍ୱୟ ରକ୍ଷା କରି ଚାଲନ୍ତି ତେବେ ଶାନ୍ତି ମିଳେ। ଚିତ୍ତ ଶାନ୍ତ ଥିଲେ ମୂଳ ଆତ୍ମତତ୍ତ୍ୱ ଜାଗୃତ ହୋଇଥାଏ। ସେଥିରୁ ହିଁ ବ୍ୟକ୍ତିକୁ ଶାନ୍ତି ମିଳେ। ଆମେ ଆମର ସମସ୍ତ ମନ୍ତ୍ରର ଶେଷରେ ଶାନ୍ତି ଶାନ୍ତି କହିଥାଉ। ପ୍ରକୃତରେ ସାରା ସୃଷ୍ଟିରେ ଆମେ ଶାନ୍ତି ଚାହୁଁଛୁ। କାରଣ ଆମେ ଦେଖୁଛୁ ଯେଉଁଠି ସଂଘର୍ଷ ଚାଲିଛି ସେଠି ଶାନ୍ତି ନାହିଁ, ସୁଖ ନାହିଁ।
ସାଧାରଣତଃ ବ୍ୟକ୍ତିକୁ ପ୍ରଥମେ ନିଜ ଭିତରେ ଶାନ୍ତି ସ୍ଥାପିତ କରିବାକୁ ପଡ଼େ, ତା' ପରେ ନିଜ କୁଟୁମ୍ବ ଭିତରେ, ତା' ପରେ ସମାଜରେ। ମାନବ ସମାଜ ସହିତ ଶାନ୍ତି ସ୍ଥାପନ କରି ସେ ଅଟକେ ନାହିଁ ପୁଣି ସେ ଚିନ୍ତା କରେ ସାରା ଚରାଚର ସୃଷ୍ଟିରେ ଶାନ୍ତି ସ୍ଥାପନ ପାଇଁ। ଏହି ଚାରି ସ୍ତରରେ ସମସ୍ତଙ୍କ ସହ ଏକାତ୍ମ ହୋଇ, ସମସ୍ତଙ୍କ ସହ ସମରସ ହୋଇ ଯଦି ସେ ଆଗକୁ ବଢ଼େ ତେବେ ସେ ପ୍ରକୃତ ସୁଖ ଓ ଶାନ୍ତିର ରାସ୍ତାରେ ଆଗକୁ ବଢୁଛି ବୋଲି ବୁଝାଯିବ।
ଏଣୁ ବ୍ୟକ୍ତି ଯଦି ପ୍ରକୃତରେ ଶାନ୍ତି ଚାହୁଁଛି, ତେବେ ଉପରୋକ୍ତ ଚାରୋଟି ସ୍ତର ଦେଇ ତାକୁ ଗତି କରିବାକୁ ହେବ। ଚାରୋଟି ଭିତରେ ସବୁ ପ୍ରକାର ସମନ୍ୱୟ ସାଧିବାକୁ ହେବ। ଏଠାରେ ଏହି ଚାରୋଟି ଭିତରେ ସମନ୍ଵୟ ସ୍ଥାପନ କରୁଥିବା ତତ୍ତ୍ୱଟି ହେଲା 'ଧର୍ମ'। ନିଜ ଶରୀର, ମନ ଓ ବୁଦ୍ଧିକୁ ମିଶାଇ, ଏକାଗ୍ର ଚିତ୍ତ ହୋଇ, ସମସ୍ତ ପ୍ରକାର କାମନା, ବାସନା, ଆକର୍ଷଣକୁ ମୂଳ ଆତ୍ମା ଓ ପରମାତ୍ମାଙ୍କ ସହ ଯୋଡ଼ିବାର, ସମନ୍ୱୟ କରିବାର ଯେଉଁ ରାଜମାର୍ଗ ଅଛି, ସେ ମାର୍ଗ ହେଉଛି ଧର୍ମ ମାର୍ଗ।

No comments:
Post a Comment