Wednesday, 13 February 2019

*ଆଃ, କି ପାପିନୀ ସେ ?*

ଶାନ୍ତ ଆକାଶରେ ସକାଳ ଆଲୁଅ ପୁଣି ଉକୁଟି ଆସିଲା। ଝଡ଼ ବର୍ଷାର ଦିନକ ଆଗରୁ ଜର ପ୍ରକୋପରେ ଚଟୀ ଘରେ ସରଦେଈ ବିଛଣା ଧରିଥିଲା। ସେହି ଜ୍ୱର ଜ୍ୱାଳା ଭିତରେ କଟିଯାଇଥିଲା ଚାରିଦିନ ଚାରି ରାତି ଧରି ଅଛିଣ୍ଡା ଝଡ଼ ବର୍ଷା ଲଗାଣ। କାଲି ଟିକିଏ ଉଣା ପଡ଼ିବା ପରି ଲାଗୁଥିଲା। ମାତ୍ର ଦିନ ବୁଡ଼ିଲା ବେଳକୁ ପୁଣି ଜ୍ୱର ମାଡ଼ି ଆସିଲା। ସେ ଚେତାଶୂନ୍ୟ ହୋଇଯାଇଥିଲା।

ଚେତା ଫେରିବା ପରେ ସରଦେଈ ଆଖି କୁଞ୍ଚ କୁଞ୍ଚ କରି ଚାରିଆଡ଼କୁ ଚାହିଁ ଅନାଇଲା। ଦୁଆର କବାଟ ଅଧା ମେଲା ପଡ଼ିଥିଲା। ସେହି ଖୋଲା ଦୁଆର ବାଟେ ସକାଳର ସିରି ସିରି ଶୀତଳ ପବନ ସରର ଜ୍ୱରୋତ୍ତପ୍ତ କପାଳ ଉପରେ ଛୁଇଁ ଯାଉଥିଲା ମମତାବୋଳା ହାତର ସ୍ନେହ ସ୍ପର୍ଶ ପରି ! ପ୍ରାଣ ସଂଜୀବନୀ ପରି ତାହା ଯେପରି ତା'ର ପ୍ରତି ସ୍ନାୟୁ ଓ ଜୀବକୋଷକୁ ସଂଜୀବିତ କରି ଦେଉଥିଲା।

ତିନିଦିନ ହେବ ଜଗୁନି କୁଆଡ଼େ ଯାଇଛି ଯେ ତା'ର ପତ୍ତା ନ ଥାଏ। ଚିଲିକା ଭିତରେ ସକାଳୁ ବାହାରିଗଲେ କୋଉଦିନ ସେ ଫେରୁଛି ରାତି ଘଡ଼ିକୁ ତ କୋଉ ଦିନ ମୋଟେ ଫେରୁ ନାହିଁ।

ଯାତ୍ରୀମାନେ ଚଟୀଘରକୁ ଆସିଲେ ବହୁ ହଇରାଣ ହେଉଛନ୍ତି। ସରଦେଈ ସିନା କୂଅରୁ କଳସୀରେ ପାଣି କାଢ଼ି ଦେବ, ରୋଷେଇ କରିଦେବ, ମାତ୍ର ସାତପଡ଼ା ବାଜାରରୁ ରନ୍ଧା ଯୋଗାଡ଼ କିଏ ଆଣିବ ? କାଠ କିଏ ଆଣିବ ?? ବୋଲହାକ କିଏ ଶୁଣିବ ???

ଏ ସବୁ ଜଗୁନି ବୁଝେ। ମାତ୍ର ସେ ତ ଏବେ ବାୟାବାତୁଳ ପରି ଏଣେତେଣେ ବୁଲୁଛି।

ଏଇ ଜର ଭିତରେ ବି ସେଦିନ କେତେଜଣ ଯାତ୍ରୀ ଚଟୀ ଘରେ ଆଶ୍ରୟ ନେଇଥିଲେ। ସେମାନେ କଥା ହେଉଥିଲେ ବଡ଼ ଠାକୁରଙ୍କ ରଥ ଉପରେ ଶାର୍ଗୁଣା ବସିଲା। ତା' ପରେ ଜଗନ୍ନାଥେ ଆଉ ପୁରୀ କ୍ଷେତ୍ରରେ ନାହାନ୍ତି।

ଆଃ, କି ପାପିନୀ ସେ ? ଜଗନ୍ନାଥ ଶେଷକୁ ଗୋପ୍ୟ ହୋଇଗଲେ, ଅଥଚ ସେ ଥରେ ତାଙ୍କ କଳା ଶ୍ରୀମୁଖ ଦେଖିପାରିଲା ନାହିଁ। ସବୁ ଯାତ୍ରୀଙ୍କ ଚର୍ଚ୍ଚା କରି ସେମାନଙ୍କୁ ପୁରୀ ପଠାଇ ଜଗନ୍ନାଥ ଦର୍ଶନ କରାଇଲା, ଅଥଚ....

କ୍ରମଶଃ...

୧୩.୨.୧୯

No comments: