ଜଗୁନି - "ପୁରୀ ଫେରନ୍ତା ଯାତ୍ରୀ ସବୁ ରସକୁଦା ଘାଟରୁ ମଉସା ବ୍ରହ୍ମପୁର ଯାଆନ୍ତି। ମୁଁ ଏମିତି ତମ ସାଙ୍ଗରେ ଚିଲିକା ଭିତରେ ବୁଲୁଛି ସିନା, ନଇଲେ ଡଙ୍ଗାରେ ଯାତ୍ରୀମାନଙ୍କୁ ନବା ଆଣିବାରେ ଏତେବେଳକୁ ମତେ ଦଣ୍ଡେ ଫୁରୁସତ ମିଳୁ ନ ଥାନ୍ତା।"
ବିଷ୍ଣୁ ମହାପାତ୍ର - "ସେଥିକୁ କଳପଣା କରିବୁ ନାଇଁ ଜଗୁନି। ତୋର କ୍ଷତି ହେବ ନାହିଁ। ଯାତ୍ରୀ ବୋହି ଯେତେ ଘାଟ କଉଡ଼ି ପାଆନ୍ତୁ ନାହିଁ, ଆମେ ତୋତେ ତା'ଠୁ ଆଉରି ବେଶୀ କଉଡ଼ି ଦେବୁ। ହେଲେ ତୁ କାହାକୁ ଏ ସବୁ କଥା ମୁହଁ ଫିଟାଇ କହିବୁ ନାଇଁଟି। କେହି ଯେପରି ନ ଜାଣନ୍ତି, ଆମେ ଗୁରୁବାଈ ଦ୍ବୀପକୁ ଯାଇଥିଲୁ ବୋଲି।"
ଜଗୁନି - "ମଲା କାହିଁକି ଏତେ କଥା କାହାକୁ କହିବାକୁ ଯିବି ମ ? ମୁଁ ତ ଏହି କାମ ଜଗନ୍ନାଥଙ୍କ କାମ ଭାବି କରୁଛି। ତମେ କଉଡ଼ି ଦେଲ କେତେ, ନ ଦେଲେ କେତେ ?
ରାମଚନ୍ଦ୍ରଦେଵ ଜଗୁନି ଆଡ଼େ ଅନ୍ତର୍ଭେଦୀ ଦୃଷ୍ଟିରେ ଥରେ ଚାହିଁଲେ। ଆଜକୁ କେତେଦିନ ଧରି ଏଇ ପିଲାଟି ସେମାନଙ୍କ ସଙ୍ଗେ ଚିଲିକା ଗର୍ଭରେ ଡଙ୍ଗା ଧରି ବୁଲୁଛି। କୌଣସିଥିରେ ତା'ର କ୍ଳାନ୍ତି ନାହିଁ, ଆପତ୍ତି ନାହିଁ। ମ୍ଳେଛ ଯବନର ଆକ୍ରମଣରୁ ଓଡ଼ିଆ ଓ ଓଡ଼ିଆର ଅଭିମାନର ସଙ୍କେତ ଜଗନ୍ନାଥଙ୍କୁ ରକ୍ଷା କରିବା ନିମିତ୍ତ ସେ ମଧ୍ୟ ଯେପରି ପଣ କରି ବାହାରିଛି। ଏଭଳି ଦେଶଭକ୍ତ ଜଗୁନି ପ୍ରତି ଶ୍ରଦ୍ଧା ଓ ମମତାରେ ରାମଚନ୍ଦ୍ରଦେଵଙ୍କ ଅନ୍ତଃସ୍ଥଳ ସ୍ନିଗ୍ଧ ହୋଇଉଠିଲା। ଜଗୁନି ଆଡ଼େ ଚାହିଁ ସେ କହିଲେ - "ତତେ ମୁଁ କେଉଁଠି ଦେଖିଲା ପରି ମନେ ହେଉଛିରେ ଜଗୁନି।"
ଜଗୁନିର କଣ୍ଠସ୍ୱର ଅଭିମାନରେ ଭରୀ ଉଠିଲା। ଆହୁଲା ସଞ୍ଚାଳନ ଦ୍ରୁତତର କରି ସେ କହିଲା - "ତମେ ଆପଣ ବଡ଼ଲୋକ, ରାଇଜର ରାଜା, ତମେ ଆପଣ ମୋତେ ଦେଖିଥିଲେ ବି ମନେରଖନ୍ତ କାଇଁକି ?
ରାମଚନ୍ଦ୍ରଦେଵ ବିସ୍ମିତ କଣ୍ଠରେ ପଚାରିଲେ - "ଆମେ ରାଜା ବୋଲି ତୁ କେମିତି ଜାଣିଲୁରେ ଜଗୁନି ?"
ଜଗୁନି ରାମଚନ୍ଦ୍ରଦେଵଙ୍କ ଆଡ଼େ ବିସ୍ଫୋରିତ ଦୃଷ୍ଟିରେ ଚାହିଁ କହିଲା - "ମଲା ମୁଁ ପରା ବାଲୁଗାଁ ପେଣ୍ଠ ଚଟୀ ଘରୁ ଥରେ ସରଦେଈ ପାଖରୁ ଖଣ୍ଡେ ଚିଟାଉ ନେଇ ଖୋର୍ଦ୍ଧା ଗଡ଼କୁ ତେମେ ଆପଣଙ୍କ ପାଖକୁ ଯାଇଥିଲି।"
ବିସ୍ମୃତିର ଅନ୍ତରାଳରୁ ଏଥର ଜଗୁନିର ସେହି ପରିଚିତ ମୂର୍ତ୍ତିଟି ରାମଚନ୍ଦ୍ରଦେଵଙ୍କ ଆଖି ଆଗରେ କ୍ରମେ ଭାସି ଉଠିଲା। ଏଇ ପିଲାଟି ସେଦିନ ବକ୍ସି ବେଣୁ ଭ୍ରମରବର ମହାରାଣୀ ଲଳିତା ମହାଦେଈଙ୍କୁ ଲେଖିଥିବା ଗୁପ୍ତ ଚିଟାଉ ଖଣ୍ଡ ଧରି ଖୋର୍ଦ୍ଧା ଗଡ଼ ଆସିଥିଲା। ମନ୍ତ୍ରପୂତ କବଚ ପରି ସେହି ଚିଠି ଖଣ୍ଡିକ ରାମଚନ୍ଦ୍ରଦେଵଙ୍କୁ ତାହା ପରେ କମ୍ ବିପଦ ଓ ଦୁର୍ଯୋଗରୁ ରକ୍ଷା କରି ନ ଥିଲା। ତା'ର କିଏ ଜଣେ ସରଦେଈ, ସେ ଚିଠି ଖଣ୍ଡିକ ବାଲୁଗାଁ ପେଣ୍ଠରେ କୋଉ ଚଟୀ ଘରେ ବକ୍ସିଙ୍କ ପାଇକମାନଙ୍କ ଠାରୁ କୌଶଳରେ କିପରି ହାତ ପଇଠ କରି ଜଗୁନି ହାତରେ ତାହା ରାଜା ରାମଚନ୍ଦ୍ରଦେଵଙ୍କ ପାଖକୁ ପଠାଇ ଦେଇଥିଲା, ତାହା କିନ୍ତୁ ସେ ସ୍ପଷ୍ଟ ଭାବେ ସେତେବେଳେ କହିପାରି ନ ଥିଲା - କିଏ ସେ ସରଦେଈ ? କୋଉଠି ସେ ଚଟୀଘର ? ବାଲୁଗାଁ ପେଣ୍ଠ ଚଟୀଘର ଛାଡ଼ି ଜଗୁନି ଆଜି ଏଠାରେ କାହିଁକି ରାତିଦିନ ଏକ କରି ଚିଲିକା ଗର୍ଭରେ ଡଙ୍ଗା ମେଳିଛି; ରାମଚନ୍ଦ୍ରଦେଵ ସେ ସବୁ କିଛି ବୁଝିପାରିଲେ ନାହିଁ। ତାଙ୍କୁ ସବୁ ପ୍ରହେଳିକା ପରି ଲାଗିଲା। କିନ୍ତୁ ଏଇ ଉପକାରୀ, ପୁରସ୍କାର ପ୍ରତ୍ୟାଶାହୀନ ବାଳକଟିକୁ ଏ ପର୍ଯ୍ୟନ୍ତ ସେ ଚିହ୍ନିପାରି ନ ଥିବାରୁ ରାମଚନ୍ଦ୍ରଦେଵ ମନେମନେ ଅତ୍ୟନ୍ତ ଲଜ୍ଜିତ ହୋଇପଡ଼ିଥିଲେ।
ଡଙ୍ଗା ତଣ୍ଡାକିନାର ରସକୁଦା ଘାଟ ଆଗରେ ଅତିକ୍ରମ କରୁଥିବା ବେଳେ ଜଗୁନି ଆଙ୍ଗୁଠି ଦେଖାଇ କହିଲା - "ଏଇଟା ଆମ ଚଟୀଘର। ହେଇ ଦେଖୁନ ସରଦେଈ ସେଠି ଛିଡ଼ା ହୋଇଛି।"
ରାମଚନ୍ଦ୍ରଦେଵ - ଜଗୁନି, ତୁ ଆମ ସାଙ୍ଗରେ ଜଗନ୍ନାଥଙ୍କ ପାଇଁ ଠାବ ଖୋଜି ବୁଲୁଛୁ ବୋଲି ତୋ ସରଦେଈକୁ କହି ନାହୁଁ ତ ? ସେ କଥା ଏକ କାନରୁ ଦୁଇ କାନ ହେଲେ ସରିଲା।"
ଜଗୁନି - ନା, ସେ ମୋତେ ଯେତେ ପଚାରୁଛି ମୁଁ ତାକୁ ବାଁଚାଳିଆ କରି ଏଣୁତେଣୁ କହିଦେଇ ପଳେଇ ଆସୁଛି।"
କ୍ରମଶଃ...
୨.୨.୧୯

No comments:
Post a Comment