ସେବକ - "ଏବେ ପନ୍ତି ଭୋଗ ଲାଗିବ। ଆପଣ ଟିକିଏ ଦୂରେଇ ଯାଆନ୍ତୁ ଛାମୁ।"
(ରାମଚନ୍ଦ୍ରଦେଵ ହୁଅନ୍ତୁ ବା ମଧୁ ବାବୁ ହୁଅନ୍ତୁ, ସେତେବେଳେ ଲୋକେ ତାଙ୍କୁ ଅଛୁଆଁ ମଣୁ ଥିଲେ।)
ବେତ୍ରାହତ ରାମଚନ୍ଦ୍ରଦେଵ ସେଠାରୁ ଘୁଞ୍ଚି ଆସିଲେ। ଅଭିମାନୀ ବାଳକ ପରି ରୁଦ୍ଧ ଉଛ୍ବାସରେ ସେ ମନେ ମନେ ଅଭିଯୋଗ କରୁଥିଲେ - ହେ ସ୍ୱପ୍ନସମ୍ଭବ, ନିକଟରେ ଥିବାବେଳେ, ତୁମେ ରୁହ ସୁଦୂରତମ ହୋଇ, ମାତ୍ର ଯେଉଁ ଦିନ ନିଜ ଇଚ୍ଛାରେ ପୁଣି ଫେରି ଆସୁ ନିକଟକୁ, ସେଦିନ ଅଞ୍ଚଳ ଶୂନ୍ୟ ହୋଇଯାଇଥାଏ, ଅଶ୍ରୁରେ କେବଳ ହୁଏ ତୁମର ନୀରାଜନା।
ମନ୍ତ୍ରପାଠ ଚାଲିଥାଏ।
ଯାହାହେଉ ଜଗନ୍ନାଥ ଏଠାରେ ସାମୟିକ ଭାବରେ ନିରାପଦ।
କିନ୍ତୁ ଏହାପରେ ସେ ଯିବେ କୁଆଡ଼େ ?
ରାମଚନ୍ଦ୍ରଦେଵଙ୍କୁ ସ୍ୱସ୍ତିର ପ୍ରଫୁଲ୍ଲତା ନ ଥିଲା। ସେ କ୍ଳାନ୍ତି ଅନୁଭବ କରୁଥିଲେ। କିନ୍ତୁ ବିଶ୍ରାମ ନେବେ କେଉଁଠି ?
ଚିଲିକାର ଜଳ ରାଶି ହେନ୍ତାଳ ବଣ ଧାରରେ ଛଳ ଛଳ ହୋଇ ଉଠୁଥିଲା। ଜଗୁନି ଦୁଇ କାନ୍ଧରେ ଦୁଇଟା ଆହୁଲା ଧରି କୁଆଡ଼େ ବାହାରୁଥିଲା। ତାହାରି ଡଙ୍ଗାରେ ବସିଲେ ରାମଚନ୍ଦ୍ରଦେଵ। ଜଗୁନି ପଚାରୁଥିଲା - "ଯିବା କୁଆଡ଼େ ?"
ସମ୍ମୁଖରେ ଅକୁଳ, ଅଥଳ, ଧୂସର ଚିଲିକା ଉପରେ ନିର୍ମେଘ ଆକାଶ - ଗୋଟାଏ ନୀଳ ମରୁଭୂମି।
୨୨.୨.୧୯

No comments:
Post a Comment