Saturday, 9 February 2019

*ଜାତିଭେଦଶୂନ୍ୟ ହିନ୍ଦୁ ସମାଜ - ୧*

ପ୍ରକ୍ ବୈଦିକ ସମାଜରେ ମନ୍ତ୍ର ଓ ତନ୍ତ୍ର ପ୍ରଭୃତି ଅଭିଚାର ଘେନି ଯେଉଁ ପର୍ଣ୍ଣ ଶବରୀ ପୂଜା ପ୍ରଚଳିତ ଥିଲା, ତାହାର ସାଧକ ଥିଲେ - ଜ୍ଞାନଦେଇ ମାଲୁଣୀ, ନିତାଇ ଧୋବଣୀ, ଗାଙ୍ଗୀ ଗଉଡୁଣୀ, ଖୁଆ ତେଲୁଣୀ, ଲହୁକୁଟୀ ଲୁହାରୁଣୀ, ପତ୍ରପିନ୍ଧା ସଉରୁଣୀ ଓ ସୁକୁଟୀ ଚମାରୁଣୀ। ଏମାନେ ସବୁ ସମ୍ଭବତଃ ସହଜିଆ କୃଷ୍ଣାଚାର୍ଯ୍ୟ ବା କାହ୍ନୁପାଙ୍କ ଚର୍ଯ୍ୟାଗୀତିକାର ସାଧନା ନାୟିକା; ଡୋମ୍ବୀ ଓ ଶବରୀ ମାନଙ୍କର ପରବର୍ତ୍ତୀ ରୂପାନ୍ତର। ଲକ୍ଷ୍ମୀ ଏକଦା ଏହି ପର୍ଣ୍ଣ ଶବରୀ ତନ୍ତ୍ରରେ ଉପାସ୍ୟ ଦେବୀ ଥିଲେ। ଶ୍ରୀୟା ଚଣ୍ଡାଳୁଣୀ ଥିଲେ ତାଙ୍କର ସାଧିକା। ପରେ ଜଗନ୍ନାଥଙ୍କୁ ଘେନି ସର୍ଵଧର୍ମ ଓ ତତ୍ତ୍ୱର ଯେଉଁ ଅପୂର୍ବ ସମନ୍ୱୟ ଘଟିଥିଲା, ଶ୍ରୀୟା ସେବିତା, ପର୍ଣ୍ଣ ଶବରୀ ଲକ୍ଷ୍ମୀ, ସେହି ସମନ୍ୱୟ ମଧ୍ୟରେ ବିଷ୍ଣୁ ପତ୍ନୀ, ସାଗର ଦୁହିତା ଲକ୍ଷ୍ମୀରେ ପରିଣତ ହୋଇଥିଲେ। ମାତ୍ର ସେ ସମନ୍ୱୟ ଏକ ସାଂସ୍କୃତିକ ସଂଘର୍ଷ ମଧ୍ୟ ଦେଇ ଗତି କରିଥିଲା।

ହିନ୍ଦୁ ଧର୍ମାଚରଣରେ ତତ୍ତ୍ୱର ଶୁଷ୍କ ରସହୀନ କ୍ଳୀଷ୍ଟତା ନାହିଁ, କାବ୍ୟ ବ୍ୟଞ୍ଜନାରେ ତାହା ରସମୟ। ସେଥିପାଇଁ ଏହି ଐତିହାସିକ ଘଟଣାକୁ କାହାଣୀ ଓ କାବ୍ୟର ଆଙ୍ଗିକରେ ଧର୍ମାଚରଣ ପଦ୍ଧତିରେ ଜୀବନ୍ତ ରଖା ଯାଇଅଛି।

ବିଷ୍ଣୁ ଘରଣୀ ଲକ୍ଷ୍ମୀଙ୍କ ଯାତାୟାତ ସବୁବେଳେ ଚଣ୍ଡାଳ ପଲ୍ଲୀରେ। ଶ୍ରୀୟା ଚଣ୍ଡାଳୁଣୀ ତାଙ୍କର ପରମ ସେବିକା। ଜଗନ୍ନାଥଙ୍କ ବଡ଼ଭାଇ ବଳଦେବ, ଲକ୍ଷ୍ମୀ ଏହା ଫଳରେ ଜାତି ହାରିଥିବା, ପୁଣି ନିଜ ବଂଶ ମର୍ଯ୍ୟାଦା ଉପରେ ଆଘାତ ଆଣିଥିବା ଦେଖି ଜ୍ୟେଷ୍ଠର ଅଧିକାର ଓ ପ୍ରଚଣ୍ଡ ଜାତ୍ୟାଭିମାନରେ ଜଗନ୍ନାଥଙ୍କୁ ସ୍ପଷ୍ଟ କହିଦେଲେ -

"ଆମ୍ଭ ବାକ୍ୟ ମାନି ତାକୁ ଦିଅ ଘଉଡ଼ାଇ
ଏପରି ଘରଣୀ ଥିଲେ ଭଲ ଗତି ନାହିଁ।"

କ୍ରମଶଃ...

୯.୨.୧୯

No comments: