Friday, 8 February 2019

*କୁଳ ବୁଡ଼ିଲା ବେଳକୁ*

ବାହୁଡ଼ାର ଜନ ସମୁଦ୍ରରେ ଏକ ତରଙ୍ଗ ଭାସି ଆସିବା ପରି କୁଆଡୁ ଗୋଟାଏ ଜନରବ ଭାସି ଆସିଲା। ଏସନ ତକୀ ଖାଁର ନାଏବ ରାଜା ଅମିନଚାନ୍ଦ ବାହୁଡ଼ା ରଥରେ ଛେରାପହଁରା କରିବ। ଭାଗିରଥି କୁମାର ଥାଉଁ ଥାଉଁ ଏ ଅମିନଚାନ୍ଦଟା କିଏ ? ସେ କାହିଁକି ଛେରାପହଁରା କରିବ ?

ରାଜସେବା ପାଇଁ ତା'ର କି ଅଧିକାର ଅଛି ? ଭାଗିରଥି କୁମାର ଯଦି ଖୋର୍ଦ୍ଧା ଚାଲିଗଲେ ତାହେଲେ ମୁଦିରଥେ ଛେରାପହଁରା ନ କରିବେ କାହିଁକି ? ଏହିପରି ବହୁ ଜିଜ୍ଞାସାରେ ରଥ ଦାଣ୍ଡ ଆଲୋଡ଼ିତ ହୋଇ ଉଠିଲା, ରାଜନୀତିର ଖବର ରଖୁଥିବା ଲୋକେ କହିଲେ, ଅମିନଚାନ୍ଦ ଏଣିକି ପରା ପୁରୀ କ୍ଷେତ୍ରର ନାଏବ ହେଲା। ସେଇ ସର୍ତ୍ତରେ ରାଜି ହୋଇ ଭାଗିରଥି କୁମାର ଜଗନ୍ନାଥଙ୍କ ମୁଣ୍ଡରେ ଗୋପପୁଣ୍ଡରିକ ଶାଢ଼ୀ ବାନ୍ଧି ଖୋର୍ଦ୍ଧା ଅନକୁଳ କରି ଗଲେ ସିଂହାସନରେ ବସିବା ପାଇଁ। ତେଣୁ ଅମିନଚାନ୍ଦ ଛଡ଼ା ଛେରାପହଁରା କରିବ ଆଉ କିଏ ?

ନୀଳକଣ୍ଠ ପଟ୍ଟନାୟକ ଏ ଅଘଟଣରେ ଉତ୍ତେଜିତ ହେବାପରି ଉଚ୍ଚ କଣ୍ଠରେ କହିଲେ, "ଜଗନ୍ନାଥଙ୍କ ରାଜସେବକ ଯିଏ ସେହି ଏକା ଓଡ଼ିଶାର ଗଜପତି ଖୋର୍ଦ୍ଧାର ରାଜା। ଏଇ ହେଲା ପରମ୍ପରା। ରାଜକୁମାର ଯଦି ଜଗନ୍ନାଥଙ୍କ ସେବକ ପଦ ବିକିଲେ, ତାଙ୍କୁ ଖୋର୍ଦ୍ଧା ଗାଦିରେ ରାଜା ବୋଲି ମାନିବ ଆଉ କିଏ ? କାହିଁକି ??"

ତଳିଛୋ ମହାପାତ୍ର କହିଲେ, ଆହେ ! ଶାସ୍ତ୍ର କହିଛି ପରା, କୁଳ ବୁଡ଼ିଲା ବେଳକୁ ଘୋଡ଼ା ମୁହାଁ ପୁଅ ଜନ୍ମ ହୁଅନ୍ତି। ହଉ ଦେଖ, ବଳିଆରଭୁଜର ଇଚ୍ଛା କ'ଣ ? ଆର ବର୍ଷକୁ ରଥଯାତ୍ରା ଆଉ ହଉଚି କି ନାହିଁ ଦେଖ।

କ୍ରମଶଃ...

୮.୨.୧୯

No comments: