Monday, 11 February 2019

*ଜାତିଭେଦଶୂନ୍ୟ ହିନ୍ଦୁ ସମାଜ - ୩*

ମାତ୍ର ଲକ୍ଷ୍ମୀ ସହଜରେ ଛାଡ଼ି ଯିବାର ଯାତ୍ରୀ ନୁହନ୍ତି। ଓଢ଼ଣା ତଳେ ନେପଥ୍ୟ ବଚନିକାରେ ସେ ଖୁବ୍ ପାରଦର୍ଶିନୀ। ଜଗନ୍ନାଥଙ୍କୁ ସେ ଯଥେଷ୍ଟ ଖୁଣ୍ଟା ଦେବାରୁ ଜଗନ୍ନାଥ ଅବଶେଷରେ ସେ ସବୁ ଆଉ ସହ୍ୟ କରି ନ ପାରି କୁପିତ ହୋଇ କହିଲେ -

"ଜଗନ୍ନାଥେ କହୁଛନ୍ତି କୋପଭାର ହୋଇ
ବାପ ତୋ ଲୁଣିଆ ସେ ଗରଜି ମରୁଥାଇ।

ଝିଅ ଟେରୀ, ତୋ ଦୁର୍ଗୁଣ କହିଲେ ନସରେ
ବାପର ଗର୍ଜନ ଶୁଣି କିଏ ରହିପାରେ ?"

ସବୁ ନିର୍ଯାତନା ସହ୍ୟ କରିବା ସମ୍ଭବ। କିନ୍ତୁ ପିତୃକୁଳର ନିନ୍ଦା କେଉଁ କନ୍ୟା ସହିବ ? ଲକ୍ଷ୍ମୀ ତେଣୁ ଅଶ୍ରୁଭରା କଣ୍ଠରେ କହିଲେ -

"ରାଣ୍ଡ ଅଲକ୍ଷଣି ଝିଅ ମୁହିଁ ଯେ ନୁହଁଇ
ପିତାର ଘରକୁ ମୁଁ ଯେ ବାହାରି ଯିବଇଁ।
ତୁମ୍ଭ ଅଳଙ୍କାରମାନ ପ୍ରଭୁ କାଢ଼ି ନିଅ
ପଛରେ ମୋତେ ଯେ ଆଉ ବୋଲଣା ନ ଦିଅ।"

ଭାରିଜା ଦେହରୁ ଅଳଙ୍କାର କାଢ଼ି ରଖିବା ନିତାନ୍ତ ଅବିଧି। ଜଗନ୍ନାଥ ଏଥିରେ ମହା ଅଡୁଆରେ ପଡ଼ି ସେ ଅଳଙ୍କାର ସବୁ ଛାଡ଼ପତ୍ର ବିଧାନ ଅନୁସାରେ ଛ'ମାସ  ପାଇଁ ଲକ୍ଷ୍ମୀଙ୍କ ଭାତଲୁଗା ବାବଦକୁ ଗଲା ବୋଲି କହିଦେଲେ। ମାତ୍ର ପତି ଲାଂଛିତା ଲକ୍ଷ୍ମୀଙ୍କ ଗ୍ଳାନି ସାମାନ୍ୟ ଅଳଙ୍କାର ଲୋଭରେ ଯିବାର ନୁହେଁ। ସେ ପୁଣି ସହଜେ ରତ୍ନାକର ଦୁହିତା। ତେଣୁ ଲକ୍ଷ୍ମୀ କହିଲେ -

ମୋହ ତୁଲ୍ୟ ଆଉ ଯେଉଁ ଭାରିଜା ଆଣିବ
ଏହି ସବୁ ଅଳଙ୍କାର ତାହାକୁ ଯେ ଦେବ।

ମୁହିଁ ଯାଉଅଛି ହୀନା ଅରକ୍ଷିତା ହୋଇ
ମୋହ ଅଭିଶାପ ଘେନ ପ୍ରଭୁ ଭାବଗ୍ରାହୀ

ସତେ ଯେବେ ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତଯାତ
ତୁମ୍ଭଙ୍କୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ।

ବାରବର୍ଷ ଯାଏ ତୁମେ ଦରିଦ୍ର ହୋଇବ
ଅନ୍ନବସ୍ତ୍ର ଜଳ ଯେ ତୁମ୍ଭଙ୍କୁ ନ ମିଳିବ।"

ଜଗନ୍ନାଥ ବଳଭଦ୍ର ଦୁଇ ଭାଇଙ୍କ ପ୍ରତି ଲକ୍ଷ୍ମୀଙ୍କ ସେହି ଅଭିଶାପ ଏବେ ଫଳିଗଲା।

.....

ଲକ୍ଷ୍ମୀ ପୁରାଣର ସମ୍ପୂର୍ଣ୍ଣ କାହାଣୀ ସୂଚାଇ ଦିଏ ଯେ ହିନ୍ଦୁ ସମାଜରେ ଜାତି ଜାତି ଭିତରେ କୌଣସି ଭେଦ ନାହିଁ।

କ୍ରମଶଃ....

୧୧.୨.୧୯

No comments: