ଅଷ୍ଟାଦଶ ଶତାବ୍ଦୀର ଶେଷ ପାଦରେ, ବାଣପୁରର ଶେଷ ରାଜା ହରିସେବକ ମାନସିଂହ, ଖୋର୍ଦ୍ଧା ରାଜାଙ୍କ ଦ୍ୱାରା ନୀଳାଦ୍ରିପ୍ରସାଦ ଗଡ଼ରୁ ବିତାଡ଼ିତ ହୋଇ ଗୁରୁବାଈ ଦ୍ଵୀପରେ ରାଜଧାନୀ ସ୍ଥାପିତ ନ କରିବା ପର୍ଯ୍ୟନ୍ତ ଏହା ଜନମାନବହୀନ ଏକ ନିର୍ଜନ ଦ୍ଵୀପ ହୋଇ ରହିଥିଲା। ନଳଘାସ, ହେନ୍ତାଳ , ବେଣା, ଦେଉଳା ଓ ସୁନ୍ଦରୀ ପ୍ରଭୃତି ବନ୍ୟ ଗୁଳ୍ମ ଓ ତୃଣରାଜି ପରିବେଷ୍ଟିତ ହୋଇ ଏହା ଏକ ଦୁର୍ଭେଦ୍ୟ ଅରଣ୍ୟ ରୂପେ ରହିଥିଲା |
ମାଣିକପାଟଣା ମୁହାଣ ବାଟେ ପାଲୁର ଓ ଗଞ୍ଜା ବନ୍ଦରକୁ ଯାତାୟାତ କରୁଥିବା ଫିରିଙ୍ଗୀ ବୋଇତମାନଙ୍କୁ ଲୁଟ କରୁଥିବା ବୋମ୍ବାଟିଆମାନେ କେବଳ ଏ ଦ୍ଵୀପଟିକୁ ଚିହ୍ନିଥିଲେ ଏକ ସାମରିକ ଘାଟି ସ୍ଥଳ ରୂପେ - ଆଉ ଚିହ୍ନିଥିଲେ ଚିଲିକାର ଅସୁମାରୀ ଏରା ପକ୍ଷୀର ଦଳ।
ସେହି ଗୁରୁବାଈ ଦ୍ବୀପ ଏବେ ହୋଇଥିଲା ତକୀ ଖାଁ ଦାଢ଼ରୁ ଜଗନ୍ନାଥଙ୍କର ଆଶ୍ରୟ ସ୍ଥଳ। ଜଗନ୍ନାଥଙ୍କ ଉପରେ ତକୀ ଖାଁ ର ଲୋଭ ଦୃଷ୍ଟି ପଡ଼ିବା ସୂଚନା ପାଇବା ଦିନୁ ରାମଚନ୍ଦ୍ରଦେବ ବହୁ ଅନ୍ୱେଷଣ ପରେ ଏହି ସ୍ଥାନଟିକୁ ଜଗନ୍ନାଥଙ୍କ ଶେଷ ଆଶ୍ରୟସ୍ଥଳ ରୂପେ ନିର୍ବାଚିତ କରି, ସେଠାରେ ଗୋଟେ ବେଦୀ ନିର୍ମିତ କରାଇ ରଖିଥିଲେ । ଜଗନ୍ନାଥଙ୍କର କେତେକ ବିଶ୍ୱସ୍ତ ସେବକ, କେତେଜଣ ଅନୁଗତ ଖଣ୍ଡାୟତ ଓ ଜଗୁନି ବ୍ୟତୀତ, ଏ ସ୍ଥାନର ସନ୍ଧାନ ଆଉ କେହି ଜାଣି ନ ଥିଲେ।
କ୍ରମଶଃ ..
୧୬-୦୨-୨୦୧୯

No comments:
Post a Comment