ରଥଯାତ୍ରା ସରିବାକୁ ଯାଉଛି। ଜଗନ୍ନାଥ ଦେଉଳକୁ ବିଜେ କରିବେ। କିନ୍ତୁ ତା'ପରେ ?
ରାମଚନ୍ଦ୍ରଦେବଙ୍କ ମୁହଁର ରେଖା ସବୁ କଠୋର ହୋଇଗଲା। ଭ୍ରୁଲତା ଦୁଇଟି କୁଞ୍ଚିତ ହୋଇ ଆସିଲା। ଆଖିର ଦୃଷ୍ଟି ଦୂରରେ ସାତପଡ଼ା ଦ୍ବୀପର ହେନ୍ତାଳ ବଣ ଆଡ଼େ ପ୍ରସାରିତ ହେଲା। ସେଇ ଦିଗକୁ ଯାଉଥିବା ଡଙ୍ଗାରେ ସେ ବସିପଡ଼ିଲେ। ବରୁଣକୁଦା ଦ୍ବୀପକୁ ବାଁ ରେ ଛାଡ଼ି ଗୁରୁବାଈ ଦ୍ବୀପ ଡାହାଣରେ କାଟି ଡଙ୍ଗାଟି ଉତ୍ତର ପୂର୍ବ ଦିଗକୁ ମୁହାଁଇଲା। ଆଗକୁ ପୂବେଇ ପବନ ଠେଲୁଥିବାରୁ ଚିଲିକାର ଜଳରାଶି ପଶ୍ଚିମ ଆଡ଼କୁ ଫୁଲି ଫୁଲି ଶତ ଶତ ଫେନଚୂଡ଼ ଊର୍ମିର ତରଙ୍ଗ ତୋଳି ମାଡ଼ି ଆସୁଥିଲା। ଆଗୁଆ ପବନ ଓ ପ୍ରତିକୂଳ ସ୍ରୋତର ଧକ୍କା ଏ ପର୍ଯ୍ୟନ୍ତ ଲାଗି ନ ଥିଲା। ଡଙ୍ଗାଟି ତେଣୁ ସ୍ୱଚ୍ଛନ୍ଦ ଗତିରେ ଭାସି ଚାଲିଥିଲା; କିନ୍ତୁ ଏଣିକି ଉଜାଣି ବାହିବାକୁ ପଡ଼ିବ।
ଜଗୁନି ଅଣ୍ଟା ଠାରୁ ମୁଣ୍ଡ ପର୍ଯ୍ୟନ୍ତ କାଳିସୀ ଲାଗିବା ପରି ଦେହକୁ ଦୋଳାଇ, ଝୁଙ୍କାଇ ଦୁଇ ହାତରେ ଆହୁଲା ଦୁଇଟି ଚଳାଇବାକୁ ଲାଗିଲା। ତା'ର ଦୁଇ ବାହୁର ମାଂସପେସୀ ମଧ୍ୟ ଚିଲିକାର ସ୍ରୋତ ପରି ଚେଇଁ ଉଠିଲା।
ସେ ଗୀତ ଗାଇବାକୁ ଆରମ୍ଭ କଲା -
"ସୁନାରେ ଭରତି ଏ ମୋର ନାବ
ରୂପା ରଖିବାକୁ ନାହିଁ ତ ଠାବ
ରେ ବନ୍ଧୁ....
ଏଇ ଗୀତ ପଦକ ରାମଚନ୍ଦ୍ରଦେଵଙ୍କ ଭାବନାକୁ କେତେ କ୍ଷଣ ଆନ୍ଦୋଳିତ କରିଦେଇଥିଲା। ସେ ସୁରକ୍ଷିତ ସ୍ଥାନ ଅନ୍ୱେଷଣ କରୁଥିଲେ। କ୍ରମେ ମଉସା-ବ୍ରହ୍ମପୁରର ଦ୍ବୀପ କୁମ୍ଭୀର ପିଠି ପରି ପାଣି ଭିତରୁ ଭାସି ଉଠିଲା।
ଓଡ଼ିଶା ଇତିହାସର ବହୁ ବିପର୍ଯ୍ୟୟ ଓ ବିଡ଼ମ୍ବନା, ବହୁ ବିଶ୍ୱାସଘାତକତା ଓ ଦେଶଦ୍ରୋହର ଲାଂଚ୍ଛନା ଏହି ନାମହୀନ ଦ୍ବୀପଟିରେ ଯେପରି ମୁଦ୍ରିତ ହୋଇଥିଲା। କଳାପାହାଡ଼କୁ ଏଇଠିକି ଡାକି ଆଣିଥିଲା ଦାନ ପାହାନ୍ତା ସିଂହ ଏବଂ ଜଗନ୍ନାଥଙ୍କ ଠିକଣା ବତେଇ ଦେଇଥିଲା। ପାଇଥିଲା ବିଶ୍ୱାସଘାତକତାର ଇନାମ ସ୍ୱରୂପ ଘୋଡ଼ା ଶିରପା, ଚବିଶକୁଦ ଓ ରାହାଙ୍ଗ ଜାଗିରି ଓ ଅନେକ କିଛି। ଆଃ... ଆଜି ମଧ୍ୟ ଦଳେ ବିଶ୍ୱାସଘାତକ ମୋଗଲ ସହ ହାତ ମିଳାଇ ଓଡ଼ିଶାର ସୌଭାଗ୍ୟକୁ ତିଳେ ତିଳେ ଝୁଣି ଖାଉଛନ୍ତି।
ସେମାନଙ୍କର କ'ଣ ଶାସ୍ତି ନାହିଁ ଜଗନ୍ନାଥ ?
କ୍ରମଶଃ...
୧.୨.୧୯

No comments:
Post a Comment