କିନ୍ତୁ ଲକ୍ଷ୍ମୀଙ୍କ ମାର୍ଜନା କରିବାପାଇଁ ଜଗନ୍ନାଥ ବଡ଼ଭାଇଙ୍କୁ ବୁଝାଇ କହିଲେ :
"ସେ ଯେବେ ଦୋଷ କରିଛି ଏମନ୍ତ କରିବା
ସ୍ୱର୍ଗପୁର ଲୋକଙ୍କୁ ହକାରୀ ଆଣିବା।
ପାଞ୍ଚଲକ୍ଷ ଟଙ୍କା ଦେଇ ଜାତି କରାଇବା
ଆଉବେଳେ ଯଦି ତାର ଅନୀତି ଦେଖିବା
ଦେଉଳ ଭିତରୁ ତାକୁ ଦେବା ଘଉଡ଼ାଇ
ଏ କଥା ପ୍ରମାଣ ତୁମ୍ଭେ ଶୁଣ ଜ୍ୟେଷ୍ଠଭାଇ।"
କିନ୍ତୁ ଲକ୍ଷ୍ମୀ ସ୍ବେଚ୍ଛା ବିହାରିଣୀ। ଆଉ ଦିନେ ଚଣ୍ଡାଳ ପଲ୍ଲୀରୁ ଫେରି ଲକ୍ଷ୍ମୀ ଦେଉଳ ଭିତରକୁ ଯାଉଥିବା ବେଳେ ଜଗନ୍ନାଥ ତାଙ୍କୁ ଦେଖିପାରି, ଘୋର କୁପିତ ହୋଇ କହିଲେ :
"ଜଗତେ ବୋଲନ୍ତି ତୋତେ ବାଇ ଠାକୁରାଣୀ
ବାଇ ପ୍ରାୟ ବୁଲୁଥାଉ ହୋଇ ଗୋ ଘରଣୀ।
ଏକ ଘର କରାଉ ସହସ୍ର ଘର ଭାଙ୍ଗି
ସହସ୍ର ଘର କରାଉ ଏକ ଘର ଭାଙ୍ଗି।
ଏମନ୍ତ ପ୍ରକାରେ ଲକ୍ଷ୍ମୀ ମହିମା ତୋହର
ଯାଅ ଲକ୍ଷ୍ମୀ ବାହାରି ଗୋ ନ ଥାଅ ମୋ ପୁର।"
ସ୍ୱାମୀଙ୍କର ଏ ପ୍ରକାର କୁପିତ ବଚନରେ ରୁଷ୍ଟା ହୋଇ ଲକ୍ଷ୍ମୀ ଜିଦ୍ ଧରିଲେ,
"ଛାଡପତ୍ର ଦେଇ ମୋତେ ଦିଅ ଘଉଡ଼ାଇ।"
ଏହାପରେ ଦାମ୍ପତ୍ୟ କଳହଟି ବେଶ ଉତ୍ତପ୍ତ ହୋଇ ଉଠିଥିଲା -
ଜଗନ୍ନାଥ କହୁଛନ୍ତି ଲକ୍ଷ୍ମୀ ମୁଖ ଚାହିଁ
"ଆମ୍ଭ ଜାତିରେ ଗୋ ଛାଡ଼ପତ୍ର ଚଳେ ନାହିଁ।"
ଲକ୍ଷ୍ମୀ ତେଣୁ ସ୍ବେଚ୍ଛାରେ ବହାରିଯାଆନ୍ତୁ।
କ୍ରମଶଃ...
୧୦.୨.୧୯

No comments:
Post a Comment