ଜଗନ୍ନାଥ ଯଦି ସେତିକି ହୋଇଥାନ୍ତେ ତେବେ ହୁଏତ ଅନ୍ୟ ସାଧାରଣ ଓଡ଼ିଆଙ୍କ ପରି ରାମଚନ୍ଦ୍ର ଦେବଙ୍କ ଅବଚେତନକୁ ଜଗନ୍ନାଥ ଏପରି ଗଭୀର ଭାବରେ ଆଲୋଡ଼ିତ କରି ନ ଥାନ୍ତେ।
ଜଗନ୍ନାଥ ଓଡ଼ିଆ ଜାତିର ଅଭିମାନ। ତାହାର ଅପରାଜେୟତାର ଇଷ୍ଟଦେଵ। ତାହାର ସବୁ ମଙ୍ଗଳ ଅମଙ୍ଗଳ "ଜୟ ଜଗନ୍ନାଥ"।
ନିଜର ତୁଚ୍ଛ ମାନ ରକ୍ଷା ପାଇଁ ସେ ସେହି ଜଗନ୍ନାଥଙ୍କୁ ଶ୍ରବତ୍ସ ଖଣ୍ଡାଶାଳ ଦେଉଳର ରତ୍ନ ସିଂହାସନ ଉପରୁ ଚିଲିକା ମଝିରେ ହେନ୍ତାଳ ବଣର ଅପନ୍ତରାରେ ମାଛ ଡଙ୍ଗାରେ ବୋହି ଆଣିଥିବା ହେତୁ ରାମଚନ୍ଦ୍ରଦେଵ ମନେ ମନେ ଅନୁତପ୍ତ ହେଉଥିଲେ।
ରାଜା ଅମିନଚାନ୍ଦ ପଛେ ଶ୍ରୀମନ୍ଦିର ଅକ୍ତିଆର କରିଥାନ୍ତା, ପୁରୁଷୋତ୍ତମ କ୍ଷେତ୍ର ଉପରେ ସବୁ ଅଧିକାରରୁ ସେ ପଛେ ବଞ୍ଚିତ ହୋଇଥିଲେ ହୋଇଥାନ୍ତେ; କିନ୍ତୁ ସେଥିପାଇଁ ଜଗନ୍ନାଥଙ୍କୁ କ୍ରୀଡ଼ା ପୁତ୍ତୁଳି ପରି ଏଠାକୁ ଆଣିବା ଘୋର ଅପକର୍ମ ବୋଲି ରାମଚନ୍ଦ୍ରଦେଵ ମନେ ମନେ ଅନୁତାପ କରୁଥିଲେ। ଜଗନ୍ନାଥଙ୍କ ପତିତପାବନ କଥା ଭାବିଲା ବେଳକୁ ତାଙ୍କ ଅନୁତାପ ଆହୁରି ଗଭୀର ଓ ଦୁର୍ବିସହ ହୋଇ ଉଠୁଥିଲା।
କିନ୍ତୁ ଜଗନ୍ନାଥ ପରା ଓଡ଼ିଆ ଜାତିର ଅପରାଜେୟତାର ସଂକେତ ! ତୁଚ୍ଛ ସ୍ୱାଚ୍ଛନ୍ଦ୍ୟ ଓ ନିରାପତ୍ତା ପାଇଁ ଜଗନ୍ନାଥଙ୍କୁ ସେ ଦଳେ ମାନବ ଦ୍ରୋହୀଙ୍କ ହାତରେ ଲାଂଛିତ ହେବା ପାଇଁ ଛାଡ଼ି ଦେଇଥାନ୍ତେ କିପରି ?
କିନ୍ତୁ ସେ ନିଜକୁ ପ୍ରଶ୍ନ କରୁଥିଲେ। ସେ ନିଜେ କ'ଣ ?
ଧର୍ମଦ୍ରୋହୀ ହାଫିଜ କାଦର
ନା
ଜଗନ୍ନାଥଙ୍କ ରାଜସେବକ ରାମଚନ୍ଦ୍ରଦେଵ ?
କ୍ରମଶଃ...
୧୯.୨.୧୯

No comments:
Post a Comment