ଜଗନ୍ନାଥ ତ ପତିତପାବନ ହୋଇଥିଲେ। କେତେ ପାପୀ, ପତିତ ତାଙ୍କ ଦର୍ଶନ ପାଇ, ରଥ ଉପରେ ତାଙ୍କ ଅଙ୍ଗ ଛୁଇଁ ମୋକ୍ଷ ହୋଇଗଲେ, ଅଥଚ ସରଦେଈର ହୀନ କପାଳକୁ ସେ ସୌଭାଗ୍ୟ ଜୁଟିଲା ନାଇଁ। ରଥ ଉପରେ ଚକାନୟନକୁ ଚାହିଁ ଯାତ୍ରୀ ଭିଡ଼ରେ ସେ ଠିଆ ହୋଇଥିବା ବେଳେ, କିଏ ତାକୁ ଅବା ଚିହ୍ନିଥାନ୍ତା ବାଲୁଗାଁ ପେଣ୍ଠର ଚଟୀଘରିଆଣୀ କୁଳନାଶିନୀ ସର ଏଇ ମୋଗଲ ଲସ୍କର ଏହାର ଜାତି ହାରିଛି।
ମୋଗଲ ଲସ୍କରର ସେଇ ବିଭତ୍ସ ଅଶୁଭ ମୂର୍ତ୍ତି ସରର ଚେତନା ଉପରେ ଖଣ୍ଡେ କଳାମେଘ ପରି ଛାଇଗଲା।
ସେ ଆର୍ତ୍ତନାଦ କରି ରୁଗ୍ଣ କ୍ଷୀଣ କଣ୍ଠରେ ଚିତ୍କାର କରି ଉଠିଲା - ଜଗୁନି ରେ..
ପୁଣି ସେ ଅଚେତ ହୋଇ ପଡ଼ିଲା। ସେ ସ୍ୱପ୍ନରେ ଦେଖିଥିଲା ଶାଶୁବୁଢ଼ୀ ତା ମୁଣ୍ଡ ପାଖରେ ଠିଆ ହୋଇ ସ୍ନେହ ଦରଦ ମିଶା କଣ୍ଠରେ କହୁଛି - ତତେ କେଡ଼େ ସରାଗରେ ବୋହୂ କରି ଆଣି ନ ଥିଲିଟିରେ ଝିଅ। ସମୁଦି କହିଥିଲେ - ଏଇ ସାରିଆ ତୁମ ବୋହୂ ନୁହେଁ ଯେ, ଝିଅ। ତାକୁ ଝିଅ ପରି ସମ୍ଭାଳିବ। ଏ ସଂସାରରେ ତୁ ବହୁତ ଗଞ୍ଜଣା ପାଇଲୁଣିରେ ଝିଅ, ଆହା ! ସୁନା ଖଡ଼ିକା ମୋର କଳାକାଠ ପଡ଼ି ଗଲାଣି। ତତେ ମୁଁ ନବାକୁ ଆସିଛିରେ ଝିଅ। ଆ.. ମୋ ସାଙ୍ଗେ, ଏ ଦହଗଞ୍ଜରୁ ତତେ ବାଟ କଢ଼ାଇ ନେବି।"
ଏ ମୁର୍ତ୍ତିଟା କୁଆଡ଼େ ଉଭେଇ ଯିବା ପରେ ସ୍ବାମୀ ଆସିଥିଲେ, ସେ କହିଲେ, ମୋ କଥା ରଖିଲୁ ନାହିଁ, ଆଉ କାହାଠାରୁ ଏ ଇନ୍ଦ୍ରନୀଳମଣି ବସା ମୁଦି ଆଣି ପିନ୍ଧିଛୁ ? ସର ବୁଝାଇଥିଲା ଏ ମୁଦି ଦୋକାନ ପଇସାରୁ ଆସିଛି।
ନିଦ ଭାଙ୍ଗିଯିବା ପରେ ସର ଖୋଜିଥିଲା ସେହି ମୁଦିଟିକୁ। ମୁଦିଟିକୁ ପାଇ ପିନ୍ଧିବା ବେଳକୁ ଜରରେ ଶୁଖିଯାଇଥିବା ଆଙ୍ଗୁଠିକୁ ଢିଲା ହେଉଥିଲା।
ଆଜି ଚିଲିକାକୁ କାଳିକା ଚଢ଼େଇ ଦଳ ଆସିଛନ୍ତି। ସେମାନେ ସମସ୍ତେ ଥିଲେ ଗାୟକ। କେହି କାହାର ସଙ୍ଗୀତ ଶୁଣିବା ଅବସ୍ଥାରେ ନ ଥିଲେ ସେମାନେ। ଚଟୀ ଘର ସାମନାରେ ବର୍ଷା ଭିଜା ବାଲି ଉପରେ ବହୁ ମଣିଷଙ୍କ ପାଦ ଚିହ୍ନ ପଡ଼ିଥିଲା। ସମୁଦ୍ର ଆଡୁ ସେ ପାଦଚିହ୍ନ ସବୁ ଲମ୍ବି ଆସିଥିଲା ଚଟୀ ଘରଆଡ଼େ। ପୁଣି ଚଟୀ ଘର ଦାଣ୍ଡରେ ପାଦଚିହ୍ନ ସବୁ ଦଳି ମନ୍ଥି ଏକାକାର ହୋଇ, ପୁଣି ଲମ୍ବି ଯାଇଥିଲା ଚିଲିକା ଆଡ଼େ। ଗତ ରାତିର ସ୍ମୃତି ସବୁ ମନେ ପଡ଼ି ସରଦେଈର ଦେହ ପୁଣି ଶୀତେଇ ଉଠୁଥିଲା।
କ୍ରମଶଃ...
୧୪.୨.୧୯

No comments:
Post a Comment