Monday, 25 February 2019

*ଆଉ କିଛି ସ୍ମୃତି*

ଏ ସବୁ ଘଟଣାକୁ ସ୍ମରଣ କରି ଯେଉଁ ଭାରତୀୟ ମହାପୁରୁଷଙ୍କ ବିଷୟରେ କୁହାଯାଉଛି, ତାଙ୍କୁ ଚିହ୍ନିବେ। ଓଡ଼ିଆ ହୋଇଥିବାରୁ ଜାଣିଲେ ଭଲ।

ଆଉ ଦିନକର ସ୍ମୃତି। ଇଂରାଜୀ ସାପ୍ତାହିକ ଅଵଜରଭର ଅଫିସର ଲାଇବ୍ରେରୀ ଘରେ ବସିଛି। ମେ ମାସର ଉଦୁଉଦିଆ ଖରାବେଳ। ବାହାରେ ଗରମ ପବନ ଲୁ ପରି ଶୁଖିଲା ପତ୍ର ଓ ଧୂଳି ଧରି ଉଡୁଛି। ସେହି ଅମାନୁଷିକ ମୁହୂର୍ତ୍ତରେ ମଧ୍ୟ ସେ ହାଜର। ମୋର ଶାଶୁଙ୍କ ନାଁ ଧରି ସେ  ସଙ୍ଗେ ସଙ୍ଗେ  ତାଙ୍କୁ ଡାକି ହଠାତ ବରାଦ ଦେଲେ - "ଖାଇବାକୁ ଆଣ। ଭୋକ ଲାଗୁଛି। ପାଦରେ ଚାଲି ଚାଲି ଏଇ ଚୌଦ୍ୱାରରୁ ଆସିଲି।"

ମୁଁ ବିସ୍ମୟରେ ପଚାରିଲି, "ସାର ଆପଣ ଏପରି ଅବେଳରେ ?" ସେ କହିଲେ, "ମୁଁ ଆଜି ନାଗପୁର ଯିବି ଏମ ଏ ପରୀକ୍ଷା ଦେବା ପାଇଁ। ପରୀକ୍ଷା ଆଉ ଦଶ ଦିନ ରହିଲା, ଇତିହାସରେ ଏମ ଏ ଦେବି। ତମ ଲାଇବ୍ରେରୀରେ କଣ ବହି ଅଛି ଦିଅ।"

ତା' ପରେ ଲାଇବ୍ରେରୀରୁ ଇତିହାସ ପାଠ୍ୟ ନିର୍ଘଣ୍ଟ ସହିତ କୌଣସି ସମ୍ପର୍କ ନ ଥିବା ଅଥଚ ଇତିହାସ ଶ୍ରେଣୀୟ କେତେଖଣ୍ଡ ବହିଧରି ପରମ ନିଶ୍ଚିନ୍ତରେ ସେ ଚାଲିଗଲେ।

ମୃତ୍ୟୁର ଦୁଇ ତିନି ବର୍ଷ ପୂର୍ବେ ଥରେ ତାଙ୍କର ଏମ ଏ ପାଠ ସମ୍ପର୍କରେ କଥା ପଡ଼ି ଥିବାବେଳେ ସେ ଦୁଃଖ କରି କହିଲେ, "ସବୁ ହେଲା, ଦର୍ଶନରେ ଆଉ ଏମ ଏ ପାସ କରିପାରିଲି ନାହିଁ।"

ଏବେ ମୁଁ ବୁଝୁଛି, ଦର୍ଶନରେ ପାସ କରି କେହି ଦାର୍ଶନିକ ହୋଇଯାଏ ନାହିଁ। ଦର୍ଶନ ଶାସ୍ତ୍ରରେ ଡକ୍ଟରେଟ ଲାଭ କରି ସୁଦ୍ଧା ନିତାନ୍ତ ପାର୍ଥିବ ଲୋକ ପରି ବାଇଗଣ ଦର ମୁଲେଇବା ଏ ସମାଜରେ ବିରଳ ନୁହେଁ। ପ୍ରାଚ୍ୟ ଦର୍ଶନର ଶ୍ରେଷ୍ଠତ୍ଵ ହେଉଛି ଏହା ବିଦ୍ୟା ବା ବିତର୍କ ନୁହେଁ, ନିଜ ଜୀବନରେ ଏହା ଏକ ଅନୁଶୀଳନ ଓ ଉପଲବ୍ଧି।

ସେ ଥିଲେ ଜଣେ ବ୍ରହ୍ମଦର୍ଶୀ, ତତ୍ତ୍ୱଦର୍ଶୀ, ସତ୍ୟଦର୍ଶୀ, ଶ୍ରେଷ୍ଠ ଦାର୍ଶନିକ.. ମାଟିର ଦାର୍ଶନିକ, ତାଙ୍କ ଜୀବନ ଥିଲା ଅତ୍ୟନ୍ତ ସରଳ ଅଥଚ ଚିର ରହସ୍ୟମୟ।

ତାଙ୍କ ସହିତ ମିଶିବା ପରେ ମୁଁ ଅନୁଭବ କରୁଛି, ସାହିତ୍ୟ ମଧ୍ୟ ଜୀବନର ଏକ ବିଶିଷ୍ଟ ଅନୁଭବ। ଏହାର ଅଭିବ୍ୟକ୍ତି ପାଇଁ ଶୈଳୀ, ଆଙ୍ଗିକ ଓ ଶବ୍ଦ ସଂଯୋଜନା ପ୍ରଭୃତି ରୀତିକର୍ମର ପ୍ରୟୋଜନ ରହିଛି ନିଶ୍ଚୟ। କିନ୍ତୁ ସାହିତ୍ୟ ତାହାର ସ୍ୱାଭାବିକ ସ୍ଵତଃସ୍ଫୁର୍ତ୍ତ ସ୍ତରରେ ଏ ସବୁକୁ ମଧ୍ୟ ଅତିକ୍ରମ କରିପାରେ।

ପାଠକମାନେ ପଢ଼ି ସାରିଲେ କହିବେ ଏ କଥା ସୁରେନ୍ଦ୍ର ମହାନ୍ତି କାହା ଉଦ୍ଦେଶ୍ୟରେ ଲେଖିଛନ୍ତି।

୨୫.୨.୧୯

No comments: