Sunday, 24 February 2019

*ନାମହୀନ ମନ୍ଦିର*

କାଲି ଯେଉଁ ବ୍ୟକ୍ତି ବିଷୟରେ କଥା ଚାଲିଥିଲା..
ଆଜି ଆଉ ଟିକିଏ ତାଙ୍କରି ବିଷୟରେ..

୧୯୪୫ ସାଲ ସାପ୍ତାହିକ "ଜନତା" ପ୍ରକାଶ ପାଉଥିବା ବେଳେ ମୁଁ ଗୋଟିଏ ସ୍ତମ୍ଭ ଧାରାବାହିକ ଭାବରେ ପ୍ରକାଶ କରିବାର କଳ୍ପନା କରିଥିଲି। ତାହା ହେଉଛି, ପ୍ରତ୍ୟେକ ସପ୍ତାହରେ ଜଣେ ଜଣେ ବିଶିଷ୍ଟ ବ୍ୟକ୍ତି ନିଜ ସମ୍ବନ୍ଧରେ ନିଜ ମୃତ୍ୟୁର ଶୋକଲିପି (obituary) ଲେଖିବେ।

ଏକ ଦର୍ପଣ ସମ୍ମୁଖରେ ଠିଆହୋଇ ନିଜର ପ୍ରତିମୂର୍ତ୍ତି ନିଜେ ଦେଖିଲା ପରି ଏହି ରଚନାରେ ଅତ୍ୟନ୍ତ ଅକପଟ ଭାବରେ କୌଣସି ଛଦ୍ମବେଶ ନ ରଖି  ପ୍ରକାଶ ପାଇବ ନିଜର ପ୍ରତିଛବି। ଯେଉଁ ୫୦ ଜଣଙ୍କ ନିକଟକୁ ମୁଁ ଅନୁରୋଧ ପତ୍ର ଲେଖିଥିଲି, ଇଏ ସେମାନଙ୍କ ଭିତରୁ ଥିଲେ ଜଣେ।

ଅନେକ ଏହା ଏକ ବିକୃତ ଚିନ୍ତାର ଉଦ୍ଭଟତା ବୋଲି ଗାଳି ଦେଇ ପତ୍ର ଲେଖିଥିଲେ। ସ୍ଵଭାଵ ସୁଲଭ ରୀତିରେ ଆଉ କେତେକ ଚିଠିର ଜବାବ ସୁଦ୍ଧା ଦେଲେ ନାହିଁ।

ଦିନେ ଯାଉଁଳିଆପଟି ବାଟେ ଚାଲି ଚାଲି ଯାଉଛି, ହଠାତ ତାଙ୍କୁ ରାସ୍ତାରେ ଦେଖିଲି। ସେ ସାଇକେଲ ସିଟକୁ ଗୋଟିଏ ମେଜ ରୂପେ ବ୍ୟବହାର କରି ବିଡ଼ାଏ କାଗଜରେ କଣ ଲେଖୁଛନ୍ତି। ମୁଁ ନମସ୍କାର କରିବା ମାତ୍ରେ ସେ କହିଉଠିଲେ - "ଆରେ, ହଠାତ ମନେ ପଡ଼ିଗଲା ଏଇ ସପ୍ତାହରେ ତମକୁ ମୋର ନିଜର ଶୋକଲିପି ଦେବାକଥା। ସେଥିପାଇଁ ମୁଁ ଏଠାରେ ଲେଖୁଛି। ଲେଖାଟା ସରି ଆସିଲାଣି, ନେଇଯାଅ।" କିଛି ସମୟ ପରେ ଲେଖାଟି ଶେଷ ହେଲା ଓ ମୁଁ ଲେଖାଟି ଧରି ଆସିଲି। ଏହିପରି ରାସ୍ତା ଉପରେ ସାଇକେଲ ସିଟ ଉପରେ କେତେ ରାଜନୈତିକ ବିବୃତି, ଖବର କାଗଜରେ କେତେ ପ୍ରବନ୍ଧ, କେତେ ରମ୍ୟ ରଚନା ଓ କବିତା ଯେ ସେ ସୃଷ୍ଟି କରିଯାଇଛନ୍ତି ତାର ଇୟତା ନାହିଁ। ତାଙ୍କର ଲେଖା ଏକ ଚେତନ ମନର ଆୟାସ ସିଦ୍ଧ ଶବ୍ଦ ପରି ସଂଯୋଜନା ନୁହେଁ ତାହା ଅବଚେତନର ଏକ ଉଛ୍ୱାସ - ଜ୍ୟୋତ୍ସ୍ନାର ଗୋଟିଏ ଝଲକ ପରି  ଝଞ୍ଜାର ଏକ ଆଘାତ ପରି ଅଥବା ଚଇତାଳିର ଏକ ଚୋରା ସ୍ପର୍ଶ ପରି ଯାହା ସ୍ପର୍ଶ କରିଯାଏ - ଯାହାକୁ ଅନୁଭବ କରିହୁଏ, ମାତ୍ର ବର୍ଣ୍ଣନା କରିହୁଏ ନାହିଁ।

ଲେଖାଟି ଧରି ଫେରିଲି। ଏକମାତ୍ର ତାଙ୍କ ଲେଖାଛଡ଼ା ବହୁ ପ୍ରତୀକ୍ଷା ପରେ ଆଉ କାହାର ଲେଖା ମିଳିଲା ନାହିଁ। ଗୋଟିଏ ଲେଖା ପ୍ରକାଶ କରି ସ୍ତମ୍ଭଟିକୁ ବନ୍ଦ କରିଦେବା ମୋର ଅଭିପ୍ରାୟ ନ ଥିଲା। ସେଥିପାଇଁ ଲେଖାଟି ମୋ ଦରଜାରେ ପଡ଼ିଥାଏ।

ସେଦିନ ସନ୍ଧ୍ୟା ପ୍ରାୟ ୮ଟା। ବାହାରେ ମୁଷଳ ଧାରାରେ ବର୍ଷା ଓ ଅନ୍ଧାର। ନିମଚୌଡ଼ି ଅଞ୍ଚଳରେ ମୋ ରହିବା ଘର ଦରଜାରେ ହଠାତ ପଡ଼ିଲା ଆଘାତ। ବାରମ୍ବାର ଆଘାତ ପରେ କବାଟ ଫିଟାଇ ଦେଖିଲି ଅଧା ତିନ୍ତିବୁଡ଼ି  ଛିଡ଼ା ହୋଇଛନ୍ତି ସେଇ ଲୋକ ଜଣକ। ମୁଁ ତାଙ୍କୁ ପଚାରିବା ଆଗରୁ ସେ ମୋତେ କହିଲେ, ଆରେ, ମୋ ଲେଖାରେ ଗୋଟିଏ ଭୁଲ ରହିଯାଇଛି। ମୁଁ ସେଥିରେ ଆଇସଵର୍ଗର ୧୧ ଭାଗରୁ ୧୦ ଭାଗ ପାଣିରେ ବୁଡ଼ିଥାଏ ଓ ଉପରକୁ ମୋଟେ ୧ ଭାଗ ଦେଖାଯାଉଥାଏ ବୋଲି ଲେଖିଛି। କିନ୍ତୁ ତାହା ଆଠ ଭାଗରୁ ଏକ ଭାଗ ହେବ। ସଂଶୋଧନ କରିଦେବ।

ସେ ଯେଉଁ ପ୍ରସଙ୍ଗରେ ଏହା କହିଲେ ତାହା ହେଉଛି, ସେ ନିଜ କଥା ଲେଖିଥିଲେ। ନିଜ ନାମ.....ଙ୍କର ପରଲୋକ ଘଟିଲା। ସେ ଆଇସବର୍ଗ ପରି ମଣିଷଟିଏ ଥିଲେ। ତାଙ୍କର ୧୧ ଭାଗରୁ ୧୦ ଭାଗ ପାଣିରେ ବୁଡ଼ି ରହିଥିଲା। ଯାହା ଉପରକୁ ଦିଶୁଥିଲା, ତାହା ମାତ୍ର ଗୋଟିଏ ଭାଗ। ସଂଶୋଧନ ପାଇଁ ଏତକ ସୂଚନା ଦେବାପରେ କପେ ଚାହା ପାଇଁ ସୁଦ୍ଧା ସେ ଅପେକ୍ଷା ନ କରି ଚାଲିଗଲେ।

ଯେପରି ଅନାହାତ ଭାବରେ ଅନ୍ଧାରରେ ଆସିଥିଲେ, ସେହିପରି ଆକସ୍ମିକ ଭାବରେ ସେ ଅନ୍ଧାର ରାସ୍ତାରେ ମିଶିଗଲେ। ସେ ଏହିପରି ଭାବରେ ରହିଆସିଛନ୍ତି, ଔଜ୍ଜ୍ୱଲ୍ୟର ଅନ୍ତରାଳରେ, ଭାଷଣର ନେପଥ୍ୟରେ ଏକ ଅନାବିଷ୍କୃତ ମହାଦେଶ ପରି। ବାସ୍ତବିକ ସେ କଣ ଭାବୁଥିଲେ, କଣ ଚିନ୍ତା କରୁଥିଲେ, କଣ ଅନୁଭବ କରୁଥିଲେ ତାହା ଆବିଷ୍କାର କରି ଆଜି କିଛି ଲାଭ ନାହିଁ। ସେ ଓଡ଼ିଶାର ନାମହୀନ ମନ୍ଦିରମାନଙ୍କ ପରି।

..... ସେ କିଏ ??

୨୪.୨.୧୯

No comments: