Monday, 18 February 2019

*ଜଗନ୍ନାଥ କଣ କେଵଳ ସେତିକି ?*

ଉପକଥାର ଯବନ ରକ୍ତବାହୁ ପୁଣି ଇତିହାସର ମହାପଦ୍ମ ନନ୍ଦଙ୍କ ଠାରୁ ମୋଗଲ ସେନାପତି ମାନଙ୍କ ପର୍ଯ୍ୟନ୍ତ ଏହି ଅସମାଧିତ ରହସ୍ୟକୁ ଉନ୍ମୁଳନ କରିବା ପାଇଁ କେତେ କେତେ ଆକ୍ରମଣ ହୋଇ ନ ଗଲା ? ତଥାପି ରହସ୍ୟର ସେହି ଉତ୍ତରୀୟ ଅପସୃତ ହେଲା ନାହିଁ। ବିଶ୍ୱର ଅପରାଜିତ ଆତ୍ମା ରହିଲା ଅବଦମିତ ହୋଇ ?

ଜଗନ୍ନାଥ କେତେବେଳେ ପଳାୟନ କରିଛନ୍ତି ଦୁର୍ଗମ ବନ କାନ୍ତାରକୁ, କେତେବେଳେ ପାତାଳୀ ହୋଇଛନ୍ତି ବସୁନ୍ଧରା ଗର୍ଭରେ, କେତେବେଳେ ଝାସ ଦେଇଛନ୍ତି ପୁଣି ମହାପ୍ରଳୟ ପ୍ରୟୋଧିରେ ! ତାଥାପି ଶୂନ୍ୟ ମଞ୍ଚରୁ ଯବନିକା ଅପସୃତ ହୋଇ ସେ ମହାଶୂନ୍ୟ ରୂପ ପ୍ରକଟିତ ହୋଇ ନାହିଁ। ସେ ଯେ ଅବିନଶ୍ୱର ଆତ୍ମାର ଅପରାଜେୟ ଵିଗ୍ରହ ! ଦୁର୍ବିନୀତ ମନୁଷ୍ୟ ତାଙ୍କୁ ସ୍ପର୍ଶକରି ପାରିବ କାହୁଁ !

ପ୍ରବଳର ଶତ ଅତ୍ୟାଚାର ଓ ପୀଡ଼ନ ମଧ୍ୟରେ ମନୁଷ୍ୟର ଦେହ ବାରମ୍ବାର ବିନଷ୍ଟ ହୋଇଛି ସିନା, ତାର ଯେଉଁ ଆତ୍ମା ତଥାପି ରହିଛି ଅପରାଜିତ, ମୃତ୍ୟୁର ଶତ ଫୁତକାରକୁ ତୁଚ୍ଛକରି ଯେଉଁ ଜୀବନ ଦୀପ ତଥାପି ରହିଛି ଅନିର୍ବାଣ, ଧ୍ଵଂସର ଶତ ପ୍ରମତ୍ତ ତାଣ୍ଡବ ମଧ୍ୟରେ ସୃଷ୍ଟିର ଯେଉଁ ପ୍ରେରଣା ଉତ୍ସ ତଥାପି ରହିଛି ଅତଳାନ୍ତକ--
ଜଗନ୍ନାଥ ଯେପରି ସେହି ମହାମୁକ୍ତି, ସେହି ମହାପୂର୍ଣ୍ଣ ପୁଣି ସେହି ମହାଶୂନ୍ୟର ଅବିନଶ୍ୱର ଅନିର୍ବଚନୀୟ,  ଆଦିଅନ୍ତହୀନ ଭାବମୂର୍ତ୍ତି।

ଜଗନ୍ନାଥ କ'ଣ କେବଳ ସେତିକି ?

କ୍ରମଶଃ...

୧୮.୨.୧୯

No comments: