କୋଟି କୋଟି ଭକ୍ତଙ୍କ ଆରାଧ୍ୟଙ୍କୁ ବି ଏମିତି ହୀନସ୍ଥା ହେବାକୁ ପଡ଼େ ?
ରାମଚନ୍ଦ୍ରଦେଵ ଜଗନ୍ନାଥଙ୍କର ଉଲଙ୍ଗ, ନିରାଭରଣ ମୂର୍ତ୍ତି ଆଡ଼େ ଚାହିଁ ଭାବୁଥିଲେ -
କାହିଁ ଲଲାଟ ଫଳକରେ ମଣିମୟ ତିଳକର ସେ ଶୋଭା ?
କାହିଁ ନବୀନ ନୀରଦ ସଦୃଶ ସେ ମେଦୁର ଅଙ୍ଗକାନ୍ତି ?
କାହିଁ ଅରୁଣାଧାରରେ ରହସ୍ୟ ବିଜଡ଼ିତ ମନ୍ଦ ହାସ୍ୟର ସେ ଚନ୍ଦ୍ରିକା ?
ଜଗନ୍ନାଥ ନିଖିଳ ମାନବର ଆତ୍ମା ପରି ସବୁ ଆଡ଼ମ୍ବର ପରିହାର କରି, ଏହି ଦୁର୍ଗମ ବନ କାନ୍ତରରେ ସତ୍ୟର ଅକପଟତା ଓ ସଂଗ୍ରାମର ଅପରାଜେୟତା ମଧ୍ୟରେ ଆଜି ଯେପରି ଏକ କଠୋର ଉଜ୍ଜ୍ୱଳତାରେ ପ୍ରତିଭାତ ହୋଇଥିଲେ।
ଜଗନ୍ନାଥ ମଧ୍ୟ ସେହି ଅଭିଶପ୍ତ ମାନବ ପରି, ଯାହାର ସଂଗ୍ରାମ କଠୋର ଜୀବନରେ ମୁକ୍ତିର ଅନ୍ୱେଷଣରେ ବିରାମ ନାହିଁ, ଅନ୍ଧାରର ପ୍ରଭାତୀ ନାହିଁ, ଦୁର୍ଗମ କାନ୍ତର ପଥର ଶେଷ ନାହିଁ।
କିନ୍ତୁ, ହେ ମହାବାହୁ !
ତୁମେ ତ ସେହି ବଣା ବାଟୋଇର ଦିଶାରୀ,
ଅକୂଳ ପାରାବାରର କାଣ୍ଡାରୀ, ଜୀବନ ରଥର ସାରଥି।
ମନୁଷ୍ୟର ଜୀବନ ଯଦି ନିଃସ୍ୱ, ତୁମେ ହୁଅ ନିଃସ୍ୱତର,
ମନୁଷ୍ୟର ଜୀବନ ଯଦି ବଞ୍ଚିତ, ତୁମେ ହୁଅ ଆଉରି ବଞ୍ଚିତ।
ରାମଚନ୍ଦ୍ରଦେଵଙ୍କ ଦୁଇ ଆଖି କେତେବେଳେ ତାଙ୍କର ଅଲକ୍ଷିତରେ ଏକ ଆବେଗରେ ଲୁହ ଛଳଛଳ ହୋଇ ଉଠିଥିଲା। ଆବେଗ-ସ୍ପନ୍ଦିତ, ଧାରଧାର ଅଶ୍ରୁ ତାଙ୍କ ଶୀର୍ଣ୍ଣ ମଳିନ ଚିବୁକ ଉପରକୁ ଗଡ଼ି ଆସୁଥିଲା।
କ୍ରମଶଃ...
୨୦.୨.୧୯

No comments:
Post a Comment