ଆଜି ମୋତେ ଶବ୍ଦବଦ୍ଧ କରିବାକୁ ପଡ଼ିବ ୧୯୩୨ ରେ ସେହି ସାତ ବର୍ଷର ଶିଶୁ ୧୯୪୮ ଯାଏ କେଉଁ କାର୍ଯ୍ୟରେ ମନ ଦେଇଥିଲା ?
୧୯୪୮ ପର୍ଯ୍ୟନ୍ତ କାର୍ଯ୍ୟଶୈଳୀରେ ଗାନ୍ଧୀଜୀଙ୍କୁ ହତ୍ୟା କଲା ଭଳି କିଛି ପ୍ରସଙ୍ଗ ଆସିଥିଲା କି ?
ନା ୧୯୩୪ ରୁ ୧୯୪୭ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ସଙ୍ଘର ମୁକ୍ତ ପ୍ରଶଂସକ ଥିଲେ। ବିଶେଷ କରି ୧୯୩୪ ରେ ୱାର୍ଦ୍ଧାର ଶୀତ ଶିବିର ଓ ୧୯୪୭ ରେ ଦିଲ୍ଲୀର ଭଙ୍ଗି ବସ୍ତିରେ ହୋଇଥିବା ସଙ୍ଘର ପ୍ରତ୍ୟକ୍ଷ କାର୍ଯ୍ୟକ୍ରମରେ ମହାତ୍ମାଗାନ୍ଧୀଙ୍କ ଉପସ୍ଥିତି ଉଲ୍ଲେଖଯୋଗ୍ୟ।
୧୯୩୨ରେ ସଙ୍ଘ ଉପରେ ଇଂରେଜ ସରକାର ଦ୍ୱାରା ଲାଗିଥିବା ପ୍ରତିବନ୍ଧ ୧୯୩୪ ରେ ଉଠିଗଲା। ଉଠାଇବାର କାର୍ଯ୍ୟ କରିଥିଲା ସମ୍ପୂର୍ଣ୍ଣ ସମାଜ। ସାମାଜର ଶ୍ରଦ୍ଧାଭାଜନ ହୋଇ ସଙ୍ଘର କର୍ମୀମାନେ ଦୁଇଗୁଣ ଉତ୍ସାହର ସହ କାର୍ଯ୍ୟରେ ଲାଗିଗଲେ। ସଙ୍ଘ କାର୍ଯ୍ୟ ଏବେ ସେଣ୍ଟ୍ରାଲ ପ୍ରୋଭିନ୍ସେସ ଏଣ୍ଡ ବେରାର ପ୍ରାନ୍ତକୁ ଅତିକ୍ରମ କରି ଭାରତ ବ୍ୟାପୀ ହେବାକୁ ଲାଗିଲା। ସେହି ମୂଳ ପ୍ରଦେଶରୁ ଅସଂଖ୍ୟ ଯୁବକ ଅନ୍ୟ ପ୍ରାନ୍ତକୁ ଯିବା ଆରମ୍ଭ କରିଦେଲେ। ଏ ସମସ୍ତଙ୍କର ପ୍ରେରଣାର କେନ୍ଦ୍ର ଥିଲେ ନିଜେ ସଙ୍ଘର ପ୍ରତିଷ୍ଠାତା ଡକ୍ଟର କେଶବ ବଳିରାମ ହେଡ଼ଗେୱାର। ସ୍ୱାଧୀନତାର ମଶାଲକୁ ସେ ଏହି ଯୁବକ ମାନଙ୍କ ମଧ୍ୟରେ ଏପରି ପ୍ରଜ୍ଵଳିତ କରିଥିଲେ ଯେ ୧୯୪୦ ରେ ତାଙ୍କ ଅନ୍ତେ କେହି ବି ଜଣେ ଯୁବକ କାର୍ଯ୍ୟରୁ ନିବୃତ୍ତ ହେଲେ ନାହିଁ, ବରଂ ଆହୁରି ଅଧିକ ସଂଖ୍ୟାର ଯୁବକ ଏହି କାର୍ଯ୍ୟ ନିମିତ୍ତ ଗୃହତ୍ୟାଗ କରିଥିଲେ। ସେମାନେ ବିଭିନ୍ନ ସ୍ଥାନକୁ ଯାଇ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବା ସହ ଏହାକୁ ସଫଳ କରିବା ପାଇଁ ଅଧିକରୁ ଅଧିକ ଜୀବନବ୍ରତୀ ଓ ନିଷ୍ଠାବାନ ବ୍ୟକ୍ତି ନିର୍ମାଣ କଲେ। ଯେଉଁମାନେ ହିନ୍ଦୁ ମାନଙ୍କ ପାଇଁ ଧନ, ଜୀବନ ଓ ସମ୍ମାନର ରକ୍ଷକ ସହ ଦେବଦୂତ ସାଜିଲେ।
ସେତେବେଳେ ମୁସଲିମ ଲିଗ ପାକିସ୍ଥାନ ଦାବି କଲା, ତାକୁ ପ୍ରାପ୍ତ କରିବା ପାଇଁ ସାରା ଦେଶରେ ଦଙ୍ଗା, ବଳାତ୍କାର, ମତାନ୍ତରଣ, ମତାନ୍ଧ ଗୁଣ୍ଡାମାନଙ୍କ ଦ୍ୱାରା ହିନ୍ଦୁମାନଙ୍କ ଉପରେ ସାମୂହିକ ଆକ୍ରମଣ ଚାଲିଥିଲା। କଂଗ୍ରେସ ସେତେବେଳେ କରୁଥିଲା ମୁସ୍ଲିମ ତୁଷ୍ଟିକରଣ, ଇଂରେଜ ଶାସକ ଲାଗିଥିଲା ଦମନକାରୀ କ୍ରିୟାକଳାପରେ। ଦିଶାହୀନ ହୋଇଥିଲା ଭାରତ ଛାଡ଼ ଆନ୍ଦୋଳନ। ୧୯୪୬ ରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଜିଣି ମଧ୍ୟ ସାମ୍ରାଜ୍ୟ ହରାଇଥିବା ଇଂରେଜ ଶାସନ ଏତେ ଦୁର୍ବଳ ହୋଇପଡ଼ିଥିଲା ଯେ ଭାରତ ଛାଡ଼ିବା ପାଇଁ ପ୍ରସ୍ତୁତ ହୋଇ ଛାଡ଼ିବାର ତାରିଖ ମଧ୍ୟ ଘୋଷଣା କରିଦେଇଥିଲା।
କିନ୍ତୁ ତାର ଚକ୍ରାନ୍ତ ଥିଲା ଭାରତକୁ ବିଭାଜନ କରିଦେବା। ସାରା ଦେଶ ଏଇ ବିଭାଜନକୁ ବିରୋଧ କରିଥିଲା। ମହାତ୍ମାଗାନ୍ଧୀ କହିଥିଲେ ଦେଶ ବିଭାଜନ ମୋ ଶବ ଉପରେ ହେବ। ନେହେରୁ କହିଥିଲେ ଏହା ଏକ ଉଦ୍ଭଟ କଳ୍ପନା।
ଚାଲାକ୍ ଇଂରେଜ ଦେଖିଲା ତାହାର ଯୋଜନା ଅସଫଳ ହେବାକୁ ଯାଉଛି। ସେ ଚିନ୍ତା କଲା ଯେ ଭାରତର ଦେଶଭକ୍ତ ଶକ୍ତିଗୁଡ଼ିକ ଏକାଠି ହେବା ଆଗରୁ ଦେଶ ବିଭାଜନ ହୋଇଯିବା ଆବଶ୍ୟକ। ସେଥିପାଇଁ ସେ ଭାରତକୁ ଜୁନ ୧୯୪୮ରେ ସ୍ୱାଧୀନ କରିବାର ଯେଉଁ ଘୋଷଣା କରିଥିଲା ସେହି ତାରିଖ ବଦଳାଇ ୧୯୪୭ ଅଗଷ୍ଟ କରିଦେଲା। ଏଇ ସମୟରେ ବିଭାଜନର ପ୍ରବଳ ବିରୋଧୀ ଶକ୍ତି ହୋଇ ମୁଣ୍ଡ ଟେକିଲା ସଙ୍ଘ। ସମ୍ଭାବ୍ୟ ବିଭାଜନ ସ୍ଥାନରେ ସଙ୍ଘ କର୍ମୀମାନେ ପହଞ୍ଚି ବିଭାଜନକୁ ଅସ୍ବୀକାର କରିବା ପାଇଁ ଜନସଭା କରିଥିଲେ।
ଦୁର୍ଭାଗ୍ୟ, ୧୯୪୭ ର ପ୍ରାରମ୍ଭ ସମୟରେ ଦେଶର ରାଜନୈତିକ ନେତୃତ୍ୱ ଇଂରେଜ ଫାଶରେ ଫସି ସାରିଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ନେତୃତ୍ୱକୁ ଦେଶବାସୀ ଜିତାଇଥିଲେ ଅଖଣ୍ଡ ଭାରତ ପାଇଁ। ବିଭାଜନ କରିବା କଥା କହୁଥିବା ମୁସଲିମ ଲିଗକୁ ଦେଶବାସୀ ଭୋଟରେ ହରାଇ ସାରିଥିଲେ।
ଅଖଣ୍ଡ ଭାରତ ଦେବା କଥା କହି ନିର୍ବାଚନ ଜିତିବା ପରେ ଦେଶବାସୀଙ୍କ ସହ ବିଶ୍ୱାସଘାତ କରି ଭାରତକୁ ଖଣ୍ଡିତ କରିଥିବା ଦଳ ଲୋକମାନଙ୍କ ଆଗରେ ବିଶେଷ କରି ଆଜିର ଟିଭି ଡିବେଟରେ ନାଟକ କରି ନିଜ ପାପକୁ ଘୋଡାଇବା ପାଇଁ ପ୍ରଶ୍ନ କରୁଛି - ସଙ୍ଘ ସ୍ୱାଧୀନତା ଆନ୍ଦୋଳନରେ କଣ କରିଛି ?
କଂଗ୍ରେସ ଇଂରେଜ ବୁଦ୍ଧିରେ ଦେଶ ବିଭାଜନକୁ ମାନି ନେଲା। ମୁସଲିମ ଲିଗ ଇଂରେଜ ବୁଦ୍ଧିରେ ଡାଇରେକ୍ଟ ଆକ୍ସନ (ଅର୍ଥାତ୍ ସିଧା ହିନ୍ଦୁ ହତ୍ୟା କର) କରି ଚାଲିଲା।
ଏହି ସମୟରେ ହିନ୍ଦୁ ମାନଙ୍କର ଏକମାତ୍ର ତ୍ରାଣକର୍ତ୍ତା ଥିଲା ସଙ୍ଘ।
ଲକ୍ଷ ଲକ୍ଷ ହିନ୍ଦୁ ହତ୍ୟା ହେଉଥିଲେ। ସେମାନଙ୍କର ସେବା ଶୁଶ୍ରୁଷା ଓ ଥଇଥାନର କାର୍ଯ୍ୟ ନିଃସ୍ୱାର୍ଥ ଭାବେ କରିଚାଲିଥିଲେ ସଙ୍ଘର କର୍ମୀମାନେ। ଏହି ଇତିହାସକୁ କଂଗ୍ରେସ ଅଳିଆ ଗଦାରେ ପକାଇ ନ ଥିଲେ ସାରା ଦେଶ ତାକୁ ଧିକ୍କାର କରିଥାନ୍ତା। ତେଣୁ ସେ ସେହି ପାପ କାର୍ଯ୍ୟ କରିଛି।
ଗତ କାଲି କହିଥିଲି ସତ କେବେ ଲୁଚି ରହେନା। ସହସ୍ର ଆଖି ଦେଖିଥିବା ସତ୍ୟକୁ ତୁମ ଟିଭି ଡିବେଟ ଲୁଚାଇ ପାରିବ ନାହିଁ।
ଏହି ଇତିହାସକୁ ସାଇତି ରଖିଛନ୍ତି ସାହିତ୍ୟ ପରିଷଦର ସଙ୍ଗଠନ ମନ୍ତ୍ରୀ ଆଦରଣୀୟ ଶ୍ରୀ ଶ୍ରୀଧର ଗୋବିନ୍ଦ ପରାଡ଼କର। ସେ ଏହାକୁ ଲିପିବଦ୍ଧ କରିଛନ୍ତି "ଜ୍ୟୋତି ଜଲା ନିଜ ପ୍ରାଣ କୀ" ପୁସ୍ତକରେ। ସମସ୍ତ ଦେଶବାସୀ ଏହାକୁ ପଢ଼ିବା ଉଚିତ।
୧୯୪୭ ରେ ନିଜର କ୍ରିୟାକଳାପ ଯୋଗୁଁ ସଙ୍ଘ ଦୁଃଖୀ ଓ ନିରାଶ୍ରୟଙ୍କ ପାଇଁ ହୋଇଗଲା ଦେବଦୂତ। ପ୍ରବଳ ନର ସଂହାର ଚାଲିଥିବା ବେଳେ କଂଗ୍ରେସ କର୍ମୀମାନେ ନୂଆ ସରକାରରେ ମନ୍ତ୍ରୀ ହେବା ପାଇଁ ଦିଲ୍ଲୀରେ ଉତ୍ସବ ପାଳନ କରୁଥିଲେ। ସେମାନେ ହିନ୍ଦୁମାନଙ୍କୁ ମରଣ ମୁହଁକୁ ଠେଲି ଦେଇଥିଲେ।
ତଥାପି ସଙ୍ଘର ଶୀର୍ଷ ନେତୃତ୍ୱ ପୂଜ୍ୟ ଶ୍ରୀଗୁରୁଜୀ ଦେବଦୂତ ଭଳି ଘଟଣା ସ୍ଥଳୀରେ ପହଞ୍ଚୁଥିଲେ ଓ ସଙ୍ଘ କର୍ମୀମାନଙ୍କୁ ହିନ୍ଦୁ ରକ୍ଷା କାର୍ଯ୍ୟରେ ନିୟୋଜିତ କରୁଥିଲେ। ଏଥିରେ ଅସଂଖ୍ୟ ସଙ୍ଘ କର୍ମୀ ବୀର ଅଭିମନ୍ୟୁ ଭଳି ବୀରଗତି ପ୍ରାପ୍ତ ହେଉଥିଲେ।
ସଙ୍ଘ ଶିଶୁ ଅବସ୍ଥା ପାର କରି ସଦ୍ୟ ଯୌବନରେ ପାଦ ଦେଉଥିଲା। ସେତେ ଶକ୍ତି ତା ପାଖରେ ନ ଥିଲା, ଦେଶ ମାତୃକାର ଦାରୁଣ ବିଭାଜନକୁ ଅଟକାଇ ଦେବା ପାଇଁ।
ଯଦି କଂଗ୍ରସ ଇଂରେଜ ବୁଦ୍ଧିରେ ନ ଫସି ସଙ୍ଘକୁ ସମର୍ଥନ କରିଥାନ୍ତା ତେବେ ହଜାରେ ଜିନ୍ନା ଜନ୍ମ ହୋଇଥିଲେ ବି ଦେଶକୁ ବିଭାଜିତ କରି ପାରି ନ ଥାନ୍ତେ।
ସଙ୍ଘର ସ୍ୱୟଂସେବକ ଶ୍ରୀ ଅଟଳ ବିହାରୀ ବଜପେୟୀ ୧୫.୮.୧୯୪୭ ରେ ଲେଖିଥିବା କବିତା ଆପଣମାନେ ସମସ୍ତେ ପଢ଼ିବା ଆବଶ୍ୟକ।
ଦେଶ ବିଭାଜନ ହୋଇଗଲା। ଏହି ସମୟର କଷ୍ଟକୁ ସଙ୍ଘ ସହନ କଲା। ପ୍ରତିକ୍ରିୟାଶୀଳ ହୋଇ କଂଗ୍ରସ କର୍ମୀଙ୍କ ପ୍ରତି କୌଣସି ଆକ୍ରମଣ କରିବା ଛାଡ଼ ଅପଶବ୍ଦଟିଏ ବି ତୁଣ୍ଡରୁ ବାହାର କରି ନାହିଁ। ୧୯୪୮ ମସିହାରେ ସଙ୍ଘ ପକ୍ଷରୁ ମୁମ୍ବାଇ(ସେତବେଳର ବମ୍ବେ)ରେ ଆୟୋଜିତ ମକର ସଂକ୍ରାନ୍ତି ଉତ୍ସବରେ ପୂଜନୀୟ ଶ୍ରୀଗୁରୁଜୀ ଯୋଗଦେଇ କହିଥିଲେ - "ବୟଂ ପଞ୍ଚାଧିକ ଶତମ।"
ଏକଥା ସେ ମହାଭାରତରୁ ଉଦ୍ଧାର କରିଥିଲେ। ଦୁର୍ଯ୍ୟୋଧନ ଗନ୍ଧର୍ବ ସେନା ଦ୍ୱାରା ପରାସ୍ତ ହୋଇ ବନ୍ଦୀ ହେବା ସମୟରେ ଯୁଧିଷ୍ଠିର ଭୀମ ଓ ଅର୍ଜୁନଙ୍କୁ କହିଥିଲେ 'ବୟଂ ପଞ୍ଚାଧିକ ଶତମ।" ଅର୍ଥାତ୍ ବାହାର ଶତ୍ରୁ ପାଇଁ ଆମେ ୧୦୫। ଘରେ ଲଢ଼ିବା ବେଳେ ଆମେ ହୋଇପାରୁ ୧୦୦ ଓ ୫।
ଶ୍ରୀଗୁରୁଜୀ ସଂକେତ ଦେଲେ ଯେ, ବହିର୍ଶତ୍ରୁ ସହ ଲଢ଼େଇ ଚାଲିଛି। ତେଣୁ ଆମେ ପରସ୍ପର ଲଢ଼େଇ କରିବାର ଭୁଲ କରିବା ନାହିଁ।
କ୍ରମଶଃ...
୯.୧୧.୧୮

No comments:
Post a Comment