୭. ଦେଶରେ ରାଜନୈତିକ ବିମର୍ଶ ପ୍ରକ୍ରିୟା ଓ ତାହାର ସଂରଚନାତ୍ମକ ଢାଞ୍ଚା ଯାହା ଔପନିବେଶିକ କାଳରେ ସୃଷ୍ଟି ହୋଇଥିଲା ଦେଶ ସ୍ଵାଧୀନ ହେବା ପରେ ତାହାର ସାମାନ୍ୟ କିଛି ଉଖୁଡ଼ାଇ ଦିଆଗଲା ସିନା କିନ୍ତୁ ସିଂହଭାଗ ଅପରିବର୍ତ୍ତିତ ରହିଲା। ଗୋରା ସାହେବମାନଙ୍କ ମୂର୍ତ୍ତି ହଟେଇବାକୁ ଆଜି ଯାଏ ବି କଳା ଇଂରେଜମାନଙ୍କ ହାତ ଗଲା ନାହିଁ।
ସ୍ୱାଧୀନତା ଆନ୍ଦୋଳନର ସବୁ ଯାକ ଶ୍ରେୟ ଯାଇଥାଏ ଗାନ୍ଧିଜୀଙ୍କ ଆଡ଼କୁ। ସେ ସାମ୍ରାଜ୍ୟବାଦ ବିରୋଧୀ ଆନ୍ଦୋଳନରେ ଭାରତୀୟ ତତ୍ତ୍ୱ ଓ ମୀମାଂସାର ସଞ୍ଚାର କରିଥିଲେ। ଗାନ୍ଧିଜୀଙ୍କ ଏହି ପ୍ରୟୋଗଧର୍ମୀ ପଦକ୍ଷେପ ପୂରା ଦୁନିଆରେ ଚାଲିଥିବା ମୁକ୍ତି ଆନ୍ଦୋଳନକୁ ପ୍ରଭାବିତ କରିଥିଲା। ଗାନ୍ଧିଜୀଙ୍କ ଏହି ପଦକ୍ଷେପ ରାଜନୈତିକ ବିମର୍ଶର ଭରତୀୟକରଣର ଏକ ପ୍ରଭାବୀ ଉପକ୍ରମ ଥିଲା। କିନ୍ତୁ ଗାନ୍ଧିଜୀଙ୍କ ସମର୍ଥକମାନଙ୍କ ମଧ୍ୟରେ ଗାନ୍ଧୀ ଟୋପି ପିନ୍ଧିଥିବା ୟୁରୋପନିଷ୍ଠ ଲୋକଙ୍କ ଅଭାବ ନ ଥିଲା। ଯିଏ ବାହ୍ୟ ରୂପେ ଗାନ୍ଧିଜୀଙ୍କ ସହିତ ଥିଲେ କିନ୍ତୁ ଯାହାଙ୍କ ମନ ମସ୍ତିଷ୍କରେ ୟୁରୋପ ପ୍ରତି ଅନନ୍ୟ ଭକ୍ତି ଥିଲା।
ସ୍ୱାଧୀନତା ପ୍ରାପ୍ତି ପରେ ଏଇ ୟୁରୋପନିଷ୍ଠ ଲୋକେ ରାଜନୈତିକ ବିମର୍ଶରେ ଗାନ୍ଧିଜୀଙ୍କ ଠାରୁ ଦୂରେଇ ଯାଇ ଏହାକୁ ବିଦେଶଜ କରି ରଖିବାରେ ଆନନ୍ଦିତ ହେଲେ। ଏହି କାରଣରୁ ସ୍ୱାଧୀନ ଭାରତରେ ଯେଉଁ ବୈଚାରିକ ଅଧିଷ୍ଠାନ ସ୍ଥାପିତ ହେଲା ତାହା ଭାରତୀୟଙ୍କ ରାଜନୈତିକ ମନର ବାସ୍ତବିକ ପ୍ରତିବିମ୍ବ ହୋଇ ପାରିଲା ନାହିଁ। ପ୍ରଭାବୀ ୟୁରୋପନିଷ୍ଠ ରାଜ୍ୟ ଶାସନ ଓ ତାଙ୍କ ବୌଦ୍ଧିକ ଆଚରଣକୁ ମିଳୁଥିବା ୟୁରୋପର ସମର୍ଥନ କାରଣରୁ ଯେଉଁ ବିକଳ୍ପ ବିରୋଧୀ ତାକୁ ପ୍ରତିହତ କରୁଥିଲା ତାହା ମରୁଭୂମିରେ ପଡ଼ିଥିବା ସଶକ୍ତ ବିହନ ପରି ଲମ୍ବା ସମୟ ପଡ଼ି ରହିଲା।
ଗୋଟିଏ ଉଦାହରଣ ଏଠାରେ ପର୍ଯ୍ୟାପ୍ତ ହେବ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପଶ୍ଚିମୀ ପ୍ରଶାସନିକ ସଂରଚନାର ଅଭାରତୀୟତାକୁ ତାହାର ନିଷ୍ପ୍ରଭାବିତାର କାରଣ ବୋଲି କହିଲେ। ଏହିପରି ରାଜନୈତିକ ଆକାଶରେ ବାମ ଓ ଦକ୍ଷିଣର ପାଶ୍ଚାତ୍ୟ ଅଵଧାରଣାକୁ ସେ ଭାରତୀୟ ଜନ ମାନସର ପ୍ରତିକୂଳ ବୋଲି କହିଲେ। ଏହିକଥା ସେ ସାଠିଏ ଦଶକରେ କହିଥିଲେ। ଆମ ପଣ୍ଡିତମାନେ ଏଇ କଥାକୁ ହସରେ ଉଡ଼ାଇ ଦେଲେ। ଏବେ ଏକବିଂଶ ଶତାବ୍ଦୀରେ ପାଶ୍ଚାତ୍ୟ ବିଦ୍ୱାନମାନେ ଯେତେବେଳେ ଏହି ବିଚାରକୁ ସ୍ୱୀକାର କଲେ ସେତେବେଳେ ଭାରତୀୟ ବୌଦ୍ଧିକ ଜଗତ ତାହାକୁ ବୁଝିବାକୁ ଚେଷ୍ଟା କରିବା ଆରମ୍ଭ କରିଛି। ପାଶ୍ଚାତ୍ୟ ଲୋକତାନ୍ତ୍ରିକ ଆଚରଣ ଓ ବିମର୍ଶର ନକଲ ଭାରତୀୟ ଲୋକତନ୍ତ୍ରରେ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲି ଆସିଛି। ଏହାର କୁପରିଣାମ ଦେଶବାସୀଙ୍କୁ ଭୋଗିବାକୁ ପଡୁଛି। ଏଥିରୁ ମୁକ୍ତି ପାଇବା ପାଇଁ ୨୦୧୪ରେ ଯେଉଁ ନିର୍ବାଚନ ହେଲା ସେଥିରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଯେଉଁ ସ୍ବଦେଶୀ ରାଜନୈତିକ ବିଚାର ଦେଶକୁ ଦେଇଥିଲେ, ତାହାର ବିଜୟ ହେଲା। ଭାରତକୁ ବିଦେଶୀ ଚଷମାରେ ଦେଖି ଆସିଥିବା ଲୋକେ କହିବାକୁ ଆରମ୍ଭ କଲେଣି ଯେ ଏହା ରାଜନୈତିକ ପରିବର୍ତ୍ତନ ନୁହଁ, ଏହା ହେଉଛି ଔପନିବେଶିକ କାଳର ନିରନ୍ତରତାର ମୃତ୍ୟୁ। ସେମାନଙ୍କ ଆଶଙ୍କାକୁ ସତ୍ୟ ପ୍ରମାଣିତ କରିଛି ଲଣ୍ଡନରେ ପ୍ରକାଶ ପାଉଥିବା ଦୈନିକ ଖବରକାଗଜ 'ଦ ଗାର୍ଡିଆନ'। ସେହି ଦୈନିକ ସମ୍ବାଦପତ୍ରର ସମ୍ପାଦକ ମହୋଦୟ ସେଦିନ ଲେଖିଲେ ଯେ ଆଜି ୧୭ ମେ ୨୦୧୪, ଇତିହାସରେ ଏହି ଦିନ ପାଳିତ ହେବ। କାରଣ ଆଜି ପ୍ରକୃତ ଅର୍ଥରେ ଔପନିବେଶିକ ଶାସନ ଭାରତରୁ ଅନ୍ତ ହେଲା। ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ବିଜୟ ସେହି ଲମ୍ବା ଯୁଗର ଅନ୍ତ ଅଟେ ଯେଉଁ ଯୁଗରେ ଭାରତର ଶାସନ ଇଂରେଜଙ୍କ ଶାସନ ଭଳି ଚାଲି ଆସିଥିଲା। କଂଗ୍ରସ ଦଳର ଶାସନ ଅନେକ ଅର୍ଥରେ ଔପନିବେଶିକ ଶାସନର ନିରନ୍ତରତା ଥିଲା। ଏହି ଲେଖା ୨୦୧୪ ମେ ୧୯ ରେ 'ଦ ଗାର୍ଡିଆନ'ର ସମ୍ପାଦକୀୟରେ ପ୍ରକାଶିତ ହୋଇଛି। ଯେଉଁ ପଣ୍ଡିତ ଭାରତରେ ରହି ସମ୍ପାଦକୀୟ ପୃଷ୍ଠାରେ ସ୍ତମ୍ଭ ଲେଖୁଛନ୍ତି 'କିଏ ଏହି ଦୀନଦୟାଲ' ସେ ମହୋଦୟ ଟିକେ ବିଦେଶ ଚଷମା ଖୋଲି ଏହି ବିଦେଶ କାଗଜ ଉପରେ ଦୃଷ୍ଟି ପକାଇବା ଉଚିତ।
ପରିବର୍ତ୍ତନର ଏହି ଯାତ୍ରା ବ୍ୟାପକ ରାଷ୍ଟ୍ରୀୟ ଭାବନା ତଥା ଭାରତୀୟ ମାନସ ଉପରେ ଔପନିବେଶିକ ସଂସ୍କୃତି ପ୍ରଭାବରୁ ମୁକ୍ତିର ବ୍ୟାପକ ଅଭିଯାନ ଓ ଉପକ୍ରମ ଅଟେ। ଏଥିରେ ପ୍ରତିଶୋଧ ଓ ସଂକୀର୍ଣ୍ଣତାର ସ୍ଥାନ ନାହିଁ। ଯେତେବେଳେ ଏହା ଏକ ପ୍ରବାହର ରୂପ ନେବ ସେତେବେଳେ ଯାଇ 'ଦ ଗାର୍ଡିଆନ' ସମ୍ପାଦକଙ୍କ କଥା ଇତିହାସରେ ଜୀବନ୍ତ ହୋଇଯିବ।
କ୍ରମଶଃ...
୩.୧୧.୧୮

No comments:
Post a Comment