୨ ଫେବୃଆରୀ ୧୯୪୮ ରେ ଶ୍ରୀଗୁରୁଜୀ ବନ୍ଦୀ ହେଲେ। ଭ୍ରଷ୍ଟ ଖବରକାଗଜମାନେ ଶ୍ରୀଗୁରୁଜୀଙ୍କ ସାଜ୍ଞା ଗୋଲୱାଲକରକୁ ଅପମାନ କରି ଲେଖିଲେ ପୋଲୱାଲକର, ଢୋଲୱାଲକର ଆଦି...। ଗୁରୁଜୀଙ୍କୁ ନାଗପୁର କାରାଗାରରେ ରଖାଗଲା।
ଆଇ ଜି ଅଫ ପୋଲିସ ଗୁରୁଜୀଙ୍କୁ ପ୍ରଶ୍ନ ପଚାରିବା ପାଇଁ ପ୍ରସ୍ତୁତ ହେଲେ। କାରଣ ଗୁରୁଜୀଙ୍କ ଉପରେ ଲାଗିଥିଲା ହତ୍ୟା ଅଭିଯୋଗ। ଦୁଇଦିନ ପୂର୍ବରୁ ସଙ୍ଘ ଏକ ଆତଙ୍କି, ହିଂସ୍ର ସଂସ୍ଥା ବୋଲି ଯେପରି ନିଆଁ ଧୂଆଁ ପ୍ରଚାର ହୋଇଥିଲା, ସେଥିରେ ଏ ପୋଲିସ ମହାଶୟ ବହୁତ ପ୍ରଭାବିତ ହୋଇଥିଲେ। ସେ କଳ୍ପନା ରାଜ୍ୟରେ ଏପରି ବୁଡ଼ି ଯାଇଥିଲେ ଯେ ତାଙ୍କୁ ଲାଗୁଥିଲା ଆଜି ଏକ ପେଷାଦାର ହତ୍ୟାକାରୀଙ୍କ ସହ ମୋର ଭେଟ ହେବ ଓ ତାଙ୍କ ସହ ପ୍ରଶ୍ନୋତ୍ତର କରି ତାଙ୍କୁ ମୁଁ ଦୋଷୀ ସାବ୍ୟସ୍ତ କରାଇବି। ସେ ଜଣେ ଚୋର, ଡାକୁ ବା ହିଂସ୍ରକ ମାନଙ୍କର ମୁଖିଆ ହୋଇଥିବାରୁ ବହୁତ ବଡ଼ ମୋଟା ତାଗଡ଼ା ପହିଲମାନ ହୋଇଥିବ। ଅନ୍ୟ ସବୁ ଚୋର ଡାକୁଙ୍କ ପରି ସେ ମୋ ପାଖକୁ ହାତ ଯୋଡ଼ି ମୁଣ୍ଡ ତଳକୁ ନୁଆଇଁ ଆସିବ ଏବଂ ମୋତେ କହିବ ସାହେବ, ମୁଁ ନିର୍ଦୋଷ ମୋର ଦଣ୍ଡ କମ୍ କରିଦିଅ। ତେଣୁ ସେ ଆଉ କାଳ ବିଳମ୍ବ ନ କରି ଜେଲରକୁ ଆଦେଶ ଦେଲେ, "ଯାଅ, ଗୁରୁ ଗୋଲୱାଲକରଙ୍କୁ ଆଣି ମୋ ଆଗରେ ଛିଡ଼ା କରାଅ।"
ଏତିକି କହିବା ପରେ ସେ କେବଳ ଚେୟାରରେ ବସିଲେ ନାହିଁ। ତାଙ୍କ ବୁଟ୍ ପିନ୍ଧା ପାଦ ଦୁଇଟିକୁ ଆଣି ଟେବୁଲ ଉପରେ ଥୋଇ ଦେଇ ସିଗାରେଟର ଧୂଆଁ ଉଡ଼ାଇବାରେ ଲାଗିଗଲେ।
ଯେତେବେଳେ ଗୁରୁଜୀଙ୍କୁ ତାଙ୍କ ନିକଟକୁ ଅଣାଗଲା ସେ ପରିହାସ କରି କହିଲେ -"ଓଃ, ତେବେ ଆପଣ ହେଉଛନ୍ତି ଗୁରୁ ଗୋଲୱାଲକର ? ଆପଣ ସରସଙ୍ଘଚାଳକ ? ଆପଣ ତ ଭାରି ପତଳା ଓ ଦୁର୍ବଳ।"
ସେ ଅଧିକାରୀଙ୍କ ଧୃଷ୍ଟତା ଦେଖି ଗୁରୁଜୀ ସିଂହ ପରି ଉଚ୍ଚ ସ୍ୱରରେ ତତ୍କ୍ଷଣାତ୍ ଉତ୍ତର ଦେଲେ, "ସଙ୍ଘ ପ୍ରତିଷ୍ଠାତା ଡକ୍ଟର ହେଡ଼ଗେୱାର ସରସଙ୍ଘଚାଳକ ଆସନର କିଛି ସୀମା ନିର୍ଦ୍ଧାରଣ କରି ନ ଥିଲେ, ଅନ୍ୟଥା କୌଣସି ଏକ ମଇଁଷିକୁ କିମ୍ବା ତୁମକୁ ସେହି ଗାଦୀରେ ବସାଇ ଦେଇଥାନ୍ତେ।"
ଏହି ଅନପେକ୍ଷିତ ଉତ୍ତର ଶୁଣିବା ପରେ ପୋଲିସ ମହାଶୟଙ୍କ ଜ୍ଞାନ ଉଦୟ ହୋଇଗଲା। ସେ ତୁରନ୍ତ ନିଜ ଗୋଡ଼ ଦୁଇଟିକୁ ତଳକୁ ନେଇ ଆସିଲେ। ସିଗାରେଟଟିକୁ ତଳେ ଫୋପାଡ଼ି ଦେଲେ ଓ ଶାଳୀନତାର ସହ ନିଜ ଚେୟାରରେ ବସି କହିଲେ - "ଜେଲର ସାହେବ ! ଗୁରୁଜୀଙ୍କ ପାଇଁ ଚେୟାର ଆଣ।"
ପୋଲିସଙ୍କ ବ୍ୟବହାର ବଦଳି ଯାଇଥିଲା। ଏବେ ସେ ଆଦରପୂର୍ବକ କହିଲେ, "ଗୁରୁଜୀ, ଆପଣ କୁହନ୍ତୁ ଯେ, ମହାତ୍ମାଗାନ୍ଧୀଙ୍କ ହତ୍ୟା ସମ୍ବନ୍ଧରେ ଆପଣ କଣ ଜାଣିଛନ୍ତି ?"
ଗୁରୁଜୀ - "ମୁଁ ତୁମୁକୁ କାହିଁକି କହିବି ? ମୋର ଯାହା କିଛି କହିବାର ଅଛି, ମୁଁ ଅଦାଲତରେ କହିବି। ଏ କଥା ବି ଧ୍ୟାନ ରଖ ମୁଁ ଅଦାଲତରେ ସର୍ଦ୍ଦାର ପଟେଲ ଓ ପଣ୍ଡିତ ନେହେରୁଙ୍କୁ ବି ଛିଡ଼ା କରାଇବି।"
ଗୁରୁଜୀଙ୍କର ଏତିକି ଉତ୍ତର ବିଜୁଳି ବେଗରେ ସରକାରର ମୁଖ୍ୟଙ୍କ ପାଖରେ ପହଞ୍ଚି ଯିବା ପରେ ଧାରା ୩୦୨ ଆଦି ଉଠିଗଲା। କେବଳ ଛଅ ମାସ ପାଇଁ ନଜର ବନ୍ଦୀ ଲାଗୁ କରାଗଲା।
କ୍ରମଶଃ....
୧୩.୧୧.୧୮

No comments:
Post a Comment