Friday, 23 November 2018

*କେଉଁ ରାଇଜରେ ରହିଲେ ମୋ ରଜା.. ! *

ଆଃ...ଖୋର୍ଦ୍ଧାର ଚାରିପଟୁ ଆଜି ସବିନାଶର ଜାଲ କ୍ରମେ ନିବୁଜ ହୋଇ ଆସିଲାଣି। ଦକ୍ଷିଣରେ ଚିକାକୋଲ ଫଉଜଦାର, ରଘୁନାଥପୁର ଟିକାଲୀ ଠାରୁ ଚିଲିକା ପର୍ଯ୍ୟନ୍ତ ଭୂଖଣ୍ଡ ଅଧିକାର କରିବା ପରେ ସୁଦ୍ଧା ତାର କ୍ଷୁଧା ତଥାପି ମେଣ୍ଟିଲା ନାହିଁ। ଉତ୍ତର ଆଡୁ ତକୀ ଖାଁ ଖୋର୍ଦ୍ଧା ଉପରେ   େଶ୍ୟନ ଦୃଷ୍ଟି ପକାଇ ସୁଯୋଗ ଅପେକ୍ଷାରେ କେବଳ ବସି ରହିଅଛି। ଏଣେ ଘର ଭିତରେ ଦୁଇ ଗୃହ ଶତ୍ରୁ... ବେଣୁ ଭ୍ରମରବର ଆଉ ଭାଗୀରଥୀ କୁମାର ରାୟ ! ଲଳିତା ପାଟ ମହାଦେଇ, ସେମାନଙ୍କର ପ୍ରେରଣାଦାତ୍ରୀ !
....
ଗୁହାରିଆ ପ୍ରକୃତିସ୍ଥ ହୋଇ ସନ୍ତର୍ପିତ କଣ୍ଠରେ ପଚାରିଲେ, "ମହାଦୀପ ଉଠିବ କେତେବେଳେ ?" ସାନ ପରିଚ୍ଛା କହିଲେ, "ମୋଗଲଗୋଳ ନ କଟିବା ପର୍ଯ୍ୟନ୍ତ ମହାଦୀପ ଉଠାଇବା ମୁଁ ବନ୍ଦ କରିଦେଇଛି।"

ଗୁହାରିଆ - "ଏ ସାମାନ୍ୟ କଥା ପାଇଁ ଏକଦଶୀରେ ମହାଦୀପ ଉଠାଇବା ବନ୍ଦ କରିଦେଲ ?"

ସାନ ପରିଚ୍ଛା - ଘୋଡ଼ାଟା ବାଲୀସାହୀ ମୋଡ଼ରେ ବନ୍ଧା ରହିଛି। ଆପଣ ସାତଲହରୀ ମଠ ପାଖକୁ ଚାଲନ୍ତୁ। ମୁଁ ଦେଉଳ ନୀତି ବଢ଼ାଇ ପଛରେ ଆସୁଛି।"
.....

ମେଘ ଉହାଡ଼ରେ ହଜି ଯାଉଥିଲା ଖୋର୍ଦ୍ଧା ଭୋଇ ବଂଶର ବିଡ଼ମ୍ବିତ ଇତିହାସରେ ସୌଭାଗ୍ୟ ଓ ଦୁର୍ଭାଗ୍ୟର ଲୁଚକାଳି ଖେଳ।
...
ଉତ୍ତର ଓଡ଼ିଶାରେ ବିଦ୍ରୋହୀ ଆଫଗାନ ପଠାଣମାନେ ଯେତେବେଳେ ମୋଗଲ ରାଜଶକ୍ତି ବିରୁଦ୍ଧରେ ଗୋଳ ବାନ୍ଧିଥିଲେ ଅଥବା ବଙ୍ଗଳା ସୁବା ଉପରେ ଅଚାନକ ଆକ୍ରମଣ ହେଉଥିଲା କିମ୍ବା ଦିଲ୍ଲୀରେ ମୋଗଲ ମସନଦାକାଂକ୍ଷୀ ମାନଙ୍କ ମଧ୍ୟରେ ଅବାରିତ ଶୀତଳ ସ୍ନାୟୁ-ଯୁଦ୍ଧ ହଠାତ୍ ଉତପ୍ତ ହୋଇ ଉଠୁଥିଲା, ସେତେବେଳେ କଟକର ନାଏବ-ନାଜିମ୍ ମାନେ ଓଡ଼ିଶାର ଉତ୍ତର ସୀମାନ୍ତ ଆଗୋଳିବାରେ ବ୍ୟସ୍ତ ରହୁଥିବାରୁ ଖୋର୍ଦ୍ଧାର ରାଜାମାନେ ଦଣ୍ଡକପାଇଁ ଶାନ୍ତିର ଦୀର୍ଘ ନିଃଶ୍ୱାସ ମାରୁଥିଲେ। ଶ୍ରୀକ୍ଷେତ୍ରର ଦେଉଳମାନ ପୁଣି ଧଉଳା ହେଉଥିଲା। ଆଡ଼ମ୍ବରରେ ବାରମାସରେ ତେର ଜାନୀଯାତ୍ରା ଆରମ୍ଭ ହେଉଥିଲା। ତା' ନ ହେଲେ ଅନ୍ୟବେଳେ ଆତ୍ମରକ୍ଷା ପାଇଁ ଖୋର୍ଦ୍ଧାର ରାଜଧାନୀ ଅଖ୍ୟାତ ଅଜ୍ଞାତ ଜନପଦ ମାନଙ୍କରେ ଇତସ୍ତତଃ ଘୁରି ବୁଲୁଥିଲା, ଯାଯାବର ମାନଙ୍କର ଭ୍ରାମ୍ୟମାଣ ଶିବିର ପରି !

କେଉଁ ଜନପଦ କବି ସେହି ଦୁଃସ୍ଥିତିକୁ ଘେନି, ଯୋଡ଼ି ଦେଇଥିଲେ ପଦ...

"ମେଘ ବରଷିଲା ଟପର ଟପର
କେସୁର ମାଇଲା ଗଜା,
କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା।"

ଅଝଟ, ଅବୁଝା ପିଲାଙ୍କୁ ଶୁଆଇବା ବେଳେ ନିଦ-ମାଉସୀ ମାନଙ୍କ କଣ୍ଠରେ ଫୁଟି ଉଠୁଥିଲା ସେହି ବିଷାଦର ରାଗିଣୀ..."କେଉଁ ରାଇଜରେ ରହିଲେ ମୋ ରଜା....!"

କ୍ରମଶଃ....

୨୩.୧୧.୧୮

No comments: