Wednesday, 28 November 2018

*ପୁଣି ନୀଳଚକ୍ର ବସିଲା, ମହାଦୀପ ଜଳିଲା*

ଆକବରଙ୍କ ମୃତ୍ୟ ପରେ ଜାହାଙ୍ଗିରଙ୍କ କାଳରୁ ଔରଙ୍ଗଜେବଙ୍କ ପର୍ଯ୍ୟନ୍ତ ମାନସିଂହଙ୍କର ସେ ବ୍ୟବସ୍ଥା ରହିତ କରି  ଖୋର୍ଦ୍ଧା ଗଜପତି ସିଂହାସନକୁ କବଳିତ କରିବା ପାଇଁ କମ୍ ଉଦ୍ୟମ ହୋଇ ନ ଥିଲା। କୁଶଭଦ୍ରା, ଦୟା, ଭାର୍ଗବୀ ପ୍ରଭୃତି ନଦୀର ଜଳଧାର ଓଡ଼ିଆ ପାଇକ ମାନଙ୍କର ରକ୍ତରେ ବହୁବାର ଲାଲ ହୋଇଥିଲା। କଙ୍କରିଳ ପ୍ରାନ୍ତରମାନ ଶ୍ମଶାନ ଭୂମିରେ ପରିଣତ ହୋଇଥିଲା, ମାତ୍ର ସେଥି ସଙ୍ଗେ ସଙ୍ଗେ ଇତିହାସର ଗଦାଘାତରେ ସେହି ବିଜୟୀମାନେ ମଧ୍ୟ ଓଡ଼ିଶା ସୁବା(ପ୍ରାନ୍ତ) ରୁ ନିଶ୍ଚିହ୍ନ ହୋଇ ଯାଇଥିଲେ। ତା'ପରେ କଟା ଗଛ ମୂଳରୁ କୁଆଁ ମେଲି ଉଠିବା ପରି ଖୋର୍ଦ୍ଧା ରାଜଶକ୍ତି ପୁଣି ମୁଣ୍ଡ ଟେକି ଉଠିଲା। ମୁକୁନ୍ଦଦେବଙ୍କ ଅମଳରେ ଖାନ-ଇ-ଦୌରାନ ଖୋର୍ଦ୍ଧାର କୋଣେ କୋଣେ ଧ୍ୱଂସ ଓ ହତ୍ୟାର ବିଭୀଷିକା ଖେଳାଇ ମୁକୁନ୍ଦଦେବଙ୍କୁ ଖୋର୍ଦ୍ଧାରୁ ବିତାଡ଼ିତ କରିଥିଲା ସିନା; ,କିନ୍ତୁ ଖୋର୍ଦ୍ଧା ଅଧିକାର କରିପାରି ନ ଥିଲା।

ସେ ମୁକୁନ୍ଦଦେବଙ୍କ ଭାଇ କପିଳ ଭ୍ରମରବରକୁ ଶିଖଣ୍ଡୀ କରି ଖୋର୍ଦ୍ଧାର ଶୂନ୍ୟ ସିଂହାସନରେ ଅଭିଷିକ୍ତ କଲା। ମୁକୁନ୍ଦଦେବ ଖୋର୍ଦ୍ଧା ତ୍ୟାଗ କରି ରହିଲେ ଦାଣ୍ଡମକୁନ୍ଦପୁରରେ। କ୍ରମେ ଦାଣ୍ଡମକୁନ୍ଦପୁର ଓଡ଼ିଶାର ମୁକ୍ତି ସଂଗ୍ରାମର ପ୍ରାଣକେନ୍ଦ୍ରରେ ପରିଣତ ହେଲା। ଖାନ-ଇ-ଦୌରାନର ଆକ୍ରମଣରେ ଓଡ଼ିଶା ଭୂମି ଶ୍ମଶାନ, ଗାଁକୁ ଗାଁ ଜନଶୂନ୍ୟ, କ୍ଷେତ ସବୁ ପଡ଼ିଆ, ଦେଶସାରା ଦୁର୍ଭିକ୍ଷ, ଧାନ ଭରଣକୁ ୪୫ କାହାଣ, ମଣିଷ ମାଂସ ମଣିଷ ଖାଇଲେ; ତଥାପି ଗଜପତି ମୁକୁନ୍ଦ ଦେବଙ୍କ ଗୁମାନ ଭାଙ୍ଗିଲା ନାହିଁ।

ଖାନ-ଇ-ଦୌରାନ ସେ ପର୍ଯ୍ୟନ୍ତ କିନ୍ତୁ ଜଗନ୍ନାଥ ମନ୍ଦିର ଆକ୍ରମଣ କରିପାରି ନ ଥିଲା; ମାତ୍ର ରାଜୁ ଖାଁ କଳାପାହାଡ଼ ପରି ସେ ଯଦି ଜଗନ୍ନାଥଙ୍କୁ ଚମ ଦୌଡ଼ିରେ ବାନ୍ଧି, ରତ୍ନସିଂହାସନ ଉପରେ କୁଦି ନ ପାରିଲା, ତାହେଲେ ସେ କି ଖାନ-ଇ-ଦୌରାନ ? ସେଥିପାଇଁ ଶିଖଣ୍ତୀ କପିଳ ଭ୍ରମରବରକୁ ପ୍ରଥମେ ଖୋର୍ଦ୍ଧା ସିଂହାସନରେ ବସାଇ ପରେ ପୁରୁଷୋତ୍ତମ କ୍ଷେତ୍ର ଆକ୍ରମଣର ଯୋଜନା କଲା। ମାତ୍ର ମୁକୁନ୍ଦଦେବ ଦାଣ୍ଡମୁକୁନ୍ଦଦେବପୁର ଠାରେ ବାଟ ଆଗୁଳି ବସିଥିଲେ।
ଖାନ-ଇ-ଦୌରାନ ପିପିଲି ଠାରୁ ଲସ୍କର ଉଠାଇ କଟକ ବାହୁଡ଼ି ଆସିଲା।

ପୁଣି କଟକ ନାଏବ ନାଜମି ହୋଇ ଆସିଲା ଏକରାମ ଖାଁ। ସେ ମଧ୍ୟ ପୁରୁଷୋତ୍ତମ କ୍ଷେତ୍ରରେ ଦିବ୍ୟସିଂହ ଦେବଙ୍କ ସହ ଯୁଦ୍ଧ କରି ଜଗନ୍ନାଥଙ୍କୁ ହାତେଇବାକୁ ଚେଷ୍ଟା କଲା। ତାକୁ ଜଗନ୍ନାଥଙ୍କ ବଦଳରେ ମିଳିଲା ଏକ କାଠ ତିଆରି ମୂର୍ତ୍ତି। ତାହାକୁ ଧରି ସେ ବିଜୟ ଉଲ୍ଲାସରେ ଫେରି ଆସିଲା କଟକ।

ସେତିକିବେଳେ ଶିବଜୀଙ୍କ ପ୍ରଚଣ୍ଡ ସୈନ୍ୟ ଶକ୍ତି ଔରଙ୍ଗଜେବକୁ ଦୁର୍ବଳ କରିଦେଇଥିଲା। ଔରଙ୍ଗଜେବର ଚରମ ବାର୍ଦ୍ଧକ୍ୟ ସମୟରେ କ୍ଷମତା ପାଇଁ ଚାଲିଥିଲା ଭ୍ରାତୃ ବିବାଦ। ଓଡ଼ିଶାରେ ବେକ ଭାଙ୍ଗି ପଡ଼ିଥିବା ଆଫଗାନ ଶକ୍ତି ଏହି ସୁଯୋଗରେ ପୁଣି ମାତି ଉଠିଲେ। ଭଦ୍ରକ ଠାରୁ ଜଳେଶ୍ବର ପର୍ଯ୍ୟନ୍ତ ଅଞ୍ଚଳ ଦଖଲ କରି ସେମାନେ ବଙ୍ଗଳା ଆଡ଼େ ଧାଡ଼ି ଦେଇଥିଲେ। ଏକରାମ ଖାଁ ର ସେତିକିବେଳେ ଆଣ୍ଠୁ ପାଣି ଅବସ୍ଥା। ସେ ଆଉ ଖୋର୍ଦ୍ଧା ଆକାଶରେ କରିବ କ'ଣ ? ଖୋର୍ଦ୍ଧା ପୁଣି ଅଣ୍ଟା ସଳଖି ମୁଣ୍ଡ ଟେକି ଉଠିଲା। ଦେଉଳ ଚୂଡ଼ାରେ ପୁଣି ନୀଳଚକ୍ର ବସିଲା, ମହାଦୀପ ଜଳିଲା

କ୍ରମଶଃ...

୨୮.୧୧.୧୮

No comments: