୬. ଔପନିବେଶିକ ବିଚାର ପ୍ରଣାଳୀ ନିଜକୁ ଭାରତରେ ଭୌତିକ, ସଂବୈଧାନିକ ଓ ମାନସିକ ବିକାଶରେ ଜୀବନ୍ତ ଉପକରଣ ସିଦ୍ଧ କରିବାର ଚେଷ୍ଟା କଲା। ଦେଶ ସ୍ଵାଧୀନ ହେବା ପରେ ତାହାର ତଥ୍ୟାତ୍ମକ ଓ ତର୍କପୂର୍ଣ୍ଣ ପ୍ରତିକାର କ୍ରମଶଃ ଯେପରି ହେବା କଥା ସେପରି ହେଲା ନାହିଁ।
୧୮୬୭ରେ ଦାଦାଭାଇ ନାରୋଜୀ ଉପନିବେଶବାଦର ନୈତିକ ଆଧାର ବିରୋଧରେ ପୁସ୍ତକ ଲେଖିଲେ "Poverty and Un-British Rule in India".
୧୮୮୦ ରେ ସେ ଭାରତରେ ଗରିବୀର କାରଣ ଦର୍ଶାଇବାକୁ ଯାଇ କହିଛନ୍ତି ଯେ, ଚିନ୍ତନହୀନ ଓ ସମ୍ବେଦନହୀନ ଇଂରେଜ ନୀତିକୁ ଲାଗୁ କରିବାର ଏହା ହିଁ ପରିଣାମ। ଏହି ସମ୍ବେଦନହୀନତା ସହ ଭାରତର ଦ୍ରବ୍ୟ ଗୁଡ଼ିକୁ ଭାରତରୁ ଚୋରିକରା ଯାଉଛି ଏବଂ ତାକୁ ଇଂଲଣ୍ଡ ପଠାଇ ଦିଆଯାଉଛି। ଏହା ହିଁ ଆର୍ଥିକ ନୀତିର ସମ୍ବେଦନହୀନ ବିକୃତି, ଯାହାର ଶିକାର ହେଉଛି ଭାରତ। ଯାହା ଭାରତର ବିନାଶ କରୁଛି।
ନାରୋଜୀଙ୍କ ପରେ ରଜନୀ ପାମ ଦତ୍ତ, ମହାଦେବ ଗୋବିନ୍ଦ ରାନାଡ଼େ, ଗୋପାଳ କୃଷ୍ଣ ଗୋଖଲେ ଆଦି ଦେଶଭକ୍ତ ନେତାଗଣ ନାରୋଜୀଙ୍କ 'ଧନ କେ ଦହନ' (Drain of Wealth)ର ସିଦ୍ଧାନ୍ତକୁ ପୁଷ୍ଟ କରି ସାମ୍ରାଜ୍ୟବାଦୀଙ୍କ ଆର୍ଥିକ ବିକାଶର ପରିଭାଷା ଉପରେ ପ୍ରଶ୍ନ ଚିହ୍ନ ଛିଡ଼ା କଲେ।
ଗୋଖଲେ ନିର୍ଭୟ ହୋଇ ଔପନିବେଶିକ ଆର୍ଥିକ ନୀତିର ସମୀକ୍ଷା କରି Imperial Legislative Council ରେ ନିଜ ଭାଷଣରେ ବ୍ରିଟେନର ସେହି ଦାବି (Surplus Budget )କୁ ଲଜ୍ଜାହୀନ ଅନୈତିକତାର ସଂଜ୍ଞା ଦେଲେ। କାରଣ ଯତେବେଳେ ଭାରତର ଲୋକେ ପେଟ ପାଇଁ ସଂଘର୍ଷ କରୁଥିଲେ ସେତେବେଳେ ସାମ୍ରାଜ୍ୟବାଦୀ ସରକାର ମିଥ୍ୟା ସରପ୍ଲସ୍ ବଜେଟ କହି ଭାରତର ଧନ ରତ୍ନ ନିଜ ଦେଶକୁ ବୋହି ନେବା ସହ ଭାରତୀୟ ମାନଙ୍କଠାରୁ ବୋଝ ଉପରେ ନଳିତା ବିଡ଼ା ପରି କର ଅସୁଲ କରୁଥିଲା। Rakesh Batabyal ଙ୍କ "The Penguin Book of Modern Indian Speeches: 1878 to the Present" ବହିର ପୃଷ୍ଠା ୮୨ ଓ ୮୩ ରେ ଏଇ ଭାଷଣ ଉପଲବ୍ଧ।
ଔପନିବେଶିକ ଶାସନର ଅନ୍ତ ହେବା ପରେ ଔପନିବେଶିକ ଶାସନ କାଳର ଆର୍ଥିକ, ସାମାଜିକ, ରାଜନୈତିକ ଓ ସାମାଜିକ ନୀତି ସର୍ବୋପରି ତାଙ୍କର କାର୍ଯ୍ୟପଦ୍ଧତି ପଛରେ ଥିବା ଷଡ଼ଯନ୍ତ୍ର ଓ ତାର ପରିଣାମ ଯେଉଁ ମାତ୍ରାରେ ଅଧ୍ୟୟନ ହେବା କଥା, ତାହା ହେଲା ନାହିଁ।
ଏହି ସନ୍ଦର୍ଭରେ ଭାରତୀୟ ଲେଖକ ଧର୍ମପାଲଙ୍କ ନାମ ଉଲ୍ଲେଖଯୋଗ୍ୟ। ସେ କଠୋର ପରିଶ୍ରମ କରି ସାମ୍ରାଜ୍ୟବାଦର ସାମାଜିକ ଆର୍ଥିକ ପ୍ରଭାବ ଓ ତାର ଦୁଷ୍ପରିଣାମକୁ ପ୍ରାମାଣିକ ଭାବେ ପ୍ରସ୍ତୁତ କଲେ।
କିନ୍ତୁ ତାଙ୍କ ସାହିତ୍ୟ ଆଧୁନିକ ଭାରତର ସମାଜ ବିଜ୍ଞାନରେ ସ୍ଥାନୀତ ହେଲା ନାହିଁ। ଫଳତଃ ସେ ଯେଉଁ ସାମ୍ରାଜ୍ୟବାଦର ବାସ୍ତବିକତାକୁ ଲୋକ ଲୋଚନକୁ ଆଣିଛନ୍ତି, ତାହା ଆଜିର ସମାଜ ବିଜ୍ଞାନୀମାନେ ଲୋକଙ୍କ ଅଗୋଚରରେ ରଖିଦେଲେ। ମୁଖ୍ୟଧାରାରୁ ତାଙ୍କୁ ଦୂରେଇ ଦିଆଗଲା। ମୁଖ୍ୟଧାରାରେ ଥିବା ସମାଜ ବିଜ୍ଞାନୀଙ୍କ ବିଚାର ଓ ଧର୍ମପାଲଙ୍କ ବିଚାର ମଧ୍ୟରେ ବହୁତ ବଡ଼ ଅନ୍ତର ରହିଛି।
ପ୍ରାୟତଃ ସାଢ଼େ ୩ଶହ ବର୍ଷର ସାମ୍ରାଜ୍ୟବାଦୀ ଶାସନର ଯେପରି ବଡ଼ ପରିମାଣରେ ବ୍ୟବସ୍ଥିତ ଢଙ୍ଗରେ ଅଧ୍ୟୟନ ହେବା ଉଚିତ ଥିଲା, ତାହା ହେଲା ନାହିଁ। ତାହାର ଅଭାବ ସର୍ବତ୍ର ଅନୁଭୂତ ହେଉଛି। ଦେଶର ମୁଖ୍ୟଧାରାରେ ଥିବା ବୁଦ୍ଧିଜୀବୀମାନଙ୍କର ବୈଚାରିକ ପରାଭଵ, ଅନୈତିକତାକୁ ମାନି ନେବାର କୁତ୍ସିତ ଭାବନା ଓ ଆଳସ୍ୟଭାବର ଏହା ସ୍ପଷ୍ଟ ଉଦାହରଣ। ଏହା ଭାରତର ସମାଜ ଅଧ୍ୟୟନର ନୈତିକ, ବୌଦ୍ଧିକ ସ୍ୱରୂପକୁ ଦୁର୍ବଳ କରିବାର କାମ କଲା। ପରାଧୀନତାର ନିରନ୍ତରତା ଅଳ୍ପେ ବହୁତେ କିଛି ସମାଜ ସୁଧାରକଙ୍କ ଦ୍ୱାରା ଦୂରୀଭୂତ ହୋଇଥିଲେ ମଧ୍ୟ, ଚାଲୁ ରହିଛି।
କ୍ରମଶଃ...
୨.୧୧.୧୮

No comments:
Post a Comment