Saturday, 10 November 2018

*ହତ୍ୟା ଖବର ଶୁଣିବା ମାତ୍ରେ ସଙ୍ଘର ପ୍ରତିକ୍ରିୟା*

ମହାତ୍ମା ଗାନ୍ଧୀ ସଙ୍ଘର ମୁକ୍ତ ପ୍ରଶଂସକ ଥିଲେ। ସଙ୍ଘର ମୁଖ୍ୟଙ୍କ ସହ ତାଙ୍କର ମଧୁର ସମ୍ପର୍କ ଥିଲା। ସଙ୍ଘର ପ୍ରଥମ ସରସଙ୍ଘଚାଳକ ଡକ୍ଟରଜୀ ତାଙ୍କୁ ଥରେ ପଚାରିଥିଲେ ଯେ, ଆପଣଙ୍କର ହିନ୍ଦୁ ସଙ୍ଗଠନ ସମ୍ବନ୍ଧରେ ବିଚାର କ'ଣ ? ସେ କହିଥିଲେ, "ମୁଁ ଜଣେ ହିନ୍ଦୁ। ହିନ୍ଦୁ ସମାଜରେ ମୋର ଜନ୍ମ। ମୁଁ ବି ଚାହୁଁଛି ହିନ୍ଦୁ ସମାଜ ସଙ୍ଗଠିତ ହେଉ। ପରନ୍ତୁ ମୋର ଆଗ୍ରହ ଏପରି କାର୍ଯ୍ୟ ଅନ୍ୟ ସମାଜର ବିରୋଧ ପାଇଁ ନ ହେଉ।"
ଡକ୍ଟରଜୀ କହିଥିଲେ, "ଆପଣଙ୍କର ଏହି ଵିଚାର ସହ ମୁଁ ସହମତ। ବାସ୍ତବରେ ସଙ୍ଘ ଅନ୍ୟ କୌଣସି ସମାଜକୁ ବିରୋଧ କରିବା ପାଇଁ ଜନ୍ମ ହୋଇ ନାହିଁ।"

ଉପରୋକ୍ତ ସମ୍ପର୍କ ହିଁ ଥିଲା ସଙ୍ଘ ଓ ଗାନ୍ଧିଜୀଙ୍କ ମଧ୍ୟରେ।

ଏବେ ଆମେ ନଜର ପକାଇବା ୩୦ ଜାନୁଆରୀର ସେହି ଅଶୁଭ ସନ୍ଧ୍ୟା ସମୟକୁ। ସେଦିନ ସନ୍ଧ୍ୟାରେ ସଙ୍ଘର ମୁଖ୍ୟ ଶ୍ରୀଗୁରୁଜୀ ମାନ୍ଦ୍ରାଜ(ଏବେର ଚେନ୍ନାଇ)ରେ କିଛି ସମ୍ଭ୍ରାନ୍ତ ନାଗରିକଙ୍କ ସହ ଚା' ପାନ ଓ ବାର୍ତ୍ତାଳାପ କରୁଥିଲେ। ଏହି ସମୟରେ ତାଙ୍କୁ ମହାତ୍ମାଗାନ୍ଧୀଙ୍କ ହତ୍ୟାର ହୃଦୟ ବିଦାରକ ଅଶୁଭ ସମାଚାର ମିଳିଲା। ସେ ସ୍ତମ୍ଭୀଭୂତ ହୋଇଗଲେ। ଚା' ଥୋଇଦେଇ କହିଲେ, "ଦେଶର ଦୁର୍ଭାଗ୍ୟ।" ତା' ପରେ ସେ ତୁରନ୍ତ ଏହି ଜଘନ୍ୟ କୁକୃତ୍ୟର କଠୋରତମ ଶବ୍ଦରେ ନିନ୍ଦା କରି ନିଜର ଶୋକ ସମ୍ବେଦନା ତାର ଦ୍ୱାରା ଦେବଦାସ ଗାନ୍ଧୀ, ପଣ୍ଡିତ ନେହେରୁ ଓ ସର୍ଦ୍ଦାର ପଟେଲଙ୍କୁ ଜଣାଇଲେ। ସମ୍ବାଦପତ୍ରରେ ବାହାର କରିବା ପାଇଁ ଶୋକବାର୍ତ୍ତା ଲେଖି ପଠାଇଲେ। ସେଠାରୁ ତାଙ୍କୁ ଆନ୍ଧ୍ର ପ୍ରଦେଶ ପ୍ରବାସରେ ଯିବାର ଥିଲା। କିନ୍ତୁ ସମସ୍ତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ସ୍ଥଗିତ କରି ସେ ବିମାନ ଯୋଗେ ଫେରିଆସିଲେ ସଙ୍ଘ ମୁଖ୍ୟାଳୟ ନାଗପୁରକୁ। ସଙ୍ଘର ସମସ୍ତ ପ୍ରାନ୍ତ ସ୍ତରୀୟ ନେତୃବୃନ୍ଦ ମଧ୍ୟ ନିଜ ନିଜ ସ୍ଥାନରେ ଏହି ହତ୍ୟାକାଣ୍ଡର ତୀବ୍ର ନିନ୍ଦା କରିଥିଲେ। ୩୧ ତାରିଖ ଦିନ ଶ୍ରୀଗୁରୁଜୀ ପଣ୍ଡିତ ନେହେରୁ ଓ ସର୍ଦ୍ଦାର ପଟେଲଙ୍କୁ ମାର୍ମିକ ପତ୍ର ଲେଖି ନିଜର ବ୍ୟଥା ବ୍ୟକ୍ତ କଲେ।

ଏହି ନୃଶଂସ ହତ୍ୟାକାଣ୍ଡର ଖବର ପାଇବା ମାତ୍ରେ ପଞ୍ଜାବ ପ୍ରାନ୍ତ ସଙ୍ଘଚାଳକ ଶ୍ରୀ ଲାଲା ହଂସରାଜ ଗୁପ୍ତ, ଦିଲ୍ଲୀ ନଗର ସଙ୍ଘଚାଳକ ଶ୍ରୀ ହରିଶ୍ଚନ୍ଦ୍ର ଗୁପ୍ତ ଓ ଦିଲ୍ଲୀ ପ୍ରାନ୍ତ ପ୍ରଚାରକ ଶ୍ରୀ ବସନ୍ତ ରାଓ ଓକ୍ ଶୋକ ସମ୍ବେଦନା ଜଣେଇବା ପାଇଁ ବିରଳା ଭବନରେ ପହଞ୍ଚିଲେ। ସେଠାରେ ସେ ଅନେକ କଂଗ୍ରେସ ନେତା ଓ ମହାତ୍ମାଗାନ୍ଧୀଙ୍କ ଆତ୍ମୀୟ ସ୍ୱଜନଙ୍କୁ ସାକ୍ଷାତ କରି ଶୋକ ବ୍ୟକ୍ତ କରିଥିଲେ। ୩୧ ତାରିଖ ଦିନ ଶବ ଯାତ୍ରାରେ ହଜାର ହଜାର ସଙ୍ଘ କର୍ମୀ ଯୋଗଦେଇଥିଲେ।

୩୦ ରାତ୍ରିରେ ବିମାନ ଚଢ଼ିବା ପୂର୍ବରୁ ଶ୍ରୀଗୁରୁଜୀ ଦେଶ ସାରା ଚାଲିଥିବା ସମସ୍ତ ସଙ୍ଘ ଶାଖାରେ ଶୋକସଭା କରିବା ଓ ନିତ୍ୟକାର୍ଯ୍ୟକୁ ୧୩ ଦିନ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ସାରା ଦେଶର ସମସ୍ତ ଶାଖାରେ ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ପାଇଁ ଶୋକ ସଭାର ଆୟୋଜନ କରାଯାଇଥିଲା। ଦେଶ ସାରା ହୋଇଥିବା ଶୋକସଭାରେ ସଙ୍ଘର କର୍ମୀମାନେ ବହୁ ସଂଖ୍ୟାରେ ଭାଗ ନେଇଥିଲେ। ଅନେକ ସ୍ଥାନରେ ସଭା ପରିଚାଳନା ଦାୟିତ୍ବ ଏମାନଙ୍କ ଉପରେ ଆସିଥିଲା।

କିନ୍ତୁ ପୂର୍ବାଗ୍ରହ ଗ୍ରସିତ ସରକାର ଓ ସରକାରୀ ପ୍ରେରଣାରେ ଚାଲୁଥିବା ଖବରକାଗଜଗୁଡ଼ିକ ଏ ଖବରକୁ ଛାପିଲେ ନାହିଁ।

କ୍ରମଶଃ...

୧୦.୧୧.୧୮

No comments: