Thursday, 22 November 2018

*ଜଗନ୍ନାଥଙ୍କ ତ୍ରାହି କାହିଁ ?*

ମୋଗଲଗୋଳ ଲାଗିବା ଭୟରେ ରଥଯାତ୍ରାକୁ ଯେଉଁ ଯାତ୍ରୀମାନେ ଆସିଥିଲେ, ସେମାନେ ସମସ୍ତେ କ୍ଷେତ୍ରଛାଡ଼ି ପଳାଇଗଲେଣି। ସାଧାରଣତଃ ରଥ ଯାତ୍ରାକୁ ଆସିଥିବା ଦୂରାଗତ ଯାତ୍ରୀମାନେ ଝୁଲଣ ଯାତ୍ରା ଶେଷରେ କ୍ଷେତ୍ର ଛାଡ଼ିଥାନ୍ତି; ମାତ୍ର ହିନ୍ଦୁବିଦ୍ୱେଷୀ ତକୀ ଖାଁ କଟକକୁ ନାଏବ-ନାଜିମ୍ ହୋଇ ଆସିବା ଦିନୁ ଓଡ଼ିଶାର ଅବଚେତନ ଏକ ଅଶରୀରୀ ଆତଙ୍କରେ ଆଶଙ୍କିତ ହେବା ପାଇଁ ଆରମ୍ଭ କରିଥିଲା। ସେଥିପାଇଁ ପଞ୍ଚକୋଶୀ ଯାତ୍ରାଟିଏ ସୁଦ୍ଧା ଦେଖା ନ ଥିଲେ।

......
ସଞ୍ଜଧୂପ ପାଇଁ ତଥାପି ସମ୍ଭବତଃ ବିଳମ୍ବ ଥିଲା। ତକୀ ଖାଁର ନାଏବ-ନାଜିମ୍, ମୋଗଲଗୋଳର ଆତଙ୍କ, ଓଡ଼ିଶାର ରାଜନୀତିକ ଆକାଶରେ ପୁଣି ଦୁର୍ଦ୍ଦିନର ଘନଘଟା, ସବୁ ତୁଚ୍ଛ କରି ଶ୍ରୀ ଜଗନ୍ନାଥଙ୍କ ଦିନ ପହଡ଼ ତଥାପି କେଜାଣି ଭାଙ୍ଗି ନ ଥିଲା। ତା ନ ହେଲେ ଏତେବେଳକୁ କର୍ପୂର ଆଳତୀର ଘଣ୍ଟାଘଣ୍ଟ ବାଜନ୍ତାଣି। କେଜାଣି ଅବା ମଇଲମ ଲାଗିରେ କେଉଁଥି ପାଇଁ ବିଳମ୍ବ ହେଉଅଛି ?

....
ଜଣେ ମାଲ ଗଳା ଖଙ୍କାରୀ ବାହାରକୁ ଉଠି ଆସିଲା। ସିଂହଦ୍ଵାର ସାମନା ବଡ଼ଦାଣ୍ଡ ବଡ଼ ନିର୍ଜନ। ବଡ଼ଦାଣ୍ଡ ଦୁଇକଡ଼େ ଘର ଓ ମଠ ମାନଙ୍କରୁ ଦୀପ ଆଲୁଅ ସୁଦ୍ଧା ବାହାରକୁ ଦିଶୁ ନ ଥିଲା। ଆକାଶରେ ମେଘ ଓ ଅନ୍ଧକାର ବଢ଼ୁଥିଲା। ପବନଟା ଦେହକୁ ହଠାତ୍ କାଲୁଆ ଲାଗୁଥିଲା।
...
ମାଲ ଜଣକ ଅଣ୍ଟାରେ ଗାମୁଛା ଭିଡ଼ି ଭିଡ଼ି ବାହାରକୁ ଉଠି ଆସି ଗୁହାରିଆ ଆଡ଼େ ଦଣ୍ଡେ ନିରେଖି ଚାହିଁଲା, ତା'ପରେ କହିଲା..."ତା ମା ମରୁ, କାପାଳିକଟାରେ ! ତା ସଙ୍ଗରେ ଲାଗନା ବାଇ, ଅବିକା ଧ୍ୱଂସ ହୋଇଯା କହି ଝୁଲା ଭିତରୁ ମୁଠାଏ ବାଇଡଙ୍କ ମଞ୍ଜି ଚୂନା ଛାଟି ଦେବ ନା, ଦେହ ହୁତାଶନ ପରି ଜଳିବା ସାର ହେବ !"
...
ଗୁହାରିଆ ଉତ୍ କର୍ଣ୍ଣ ହୋଇ ସେମାନଙ୍କ କଥାବାର୍ତ୍ତା ଶୁଣିବା ପାଇଁ ଚେଷ୍ଟିତ ହେଲା। ଜଣେ କହୁଥିଲେ, "ଆଉ ମୋଗଲଗୋଳ ଲାଗିବା ତୁଚ୍ଛା କଥା ହୋ। ଗଜପତି ରାମଚନ୍ଦ୍ର ଦେବ ତ ପଠାଣ ହେଲେ, ଯବନୀ ହାତରୁ ହେଡ଼ା ପରଷା ଖାଇଲେ, କଲମା ପଢ଼ିଲେ -
ନାଏବ-ନାଜିମ୍ ତକୀ ଖାଁର ହେଲେ ଭିଣୋଇ: ମୋଗଲ ଆଉ ଓଡ଼ିଶା ଆବୋରିବେ କାହିଁକି ?"

ଆଉ ଜଣେ ଟିପ୍ପଣୀ କଲେ...."ରାଜା ସିନା ପଠାଣ ହୋଇ ମୋଗଲ ଦାଉରୁ ରକ୍ଷା ପାଇଲା ! ଜଗନ୍ନାଥ ଆଉ ତ୍ରାହି ପାଇଲେ କେଉଁଠୁ ?"

"ରକ୍ତବାହୁ ଠାରୁ କଳାପାହାଡ଼ ପର୍ଯ୍ୟନ୍ତ, ଓଡ଼ିଶାକୁ ଯେତେଯେତେ ଆକ୍ରମଣକାରୀ ଆସିଲେ, ଜଗନ୍ନାଥଙ୍କୁ ଜୟ ନ କରିବା ପର୍ଯ୍ୟନ୍ତ, ଓଡ଼ିଶାକୁ ଜୟ କରିପାରିଲା ବା କିଏ ? ସେଥିପାଇଁ କଲମା ପଢ଼ି ରାମଚନ୍ଦ୍ରଦେଵ ତ୍ରାହି ପାଇ ପାରନ୍ତି, କିନ୍ତୁ ଜଗନ୍ନାଥଙ୍କ ତ୍ରାହି କାହିଁ ?"

କ୍ରମଶଃ...

୨୨.୧୧.୧୮

No comments: