Thursday, 29 November 2018

*ତକୀ ଖାଁର ପଣ*

ମୋଗଲମାନଙ୍କ ସହିତ ବଳ କଷାକଷିର ବହୁ ଲୁଚକାଳି ଖେଳରେ ଜଗନ୍ନାଥ ଓ ତାଙ୍କ ସଙ୍ଗେ ସଙ୍ଗେ ଖୋର୍ଦ୍ଧା ରାଜଶକ୍ତି ଅପରାଜିତ ରହି ଆସିଥିଲେ।

ମାତ୍ର ସେ ଅସାଧ୍ୟକୁ ସାଧ୍ୟ କରିବାର ପଣ ଧରି ତକୀ ଖାଁ କଟକ ଆସିଥିଲା। ତାକୁ ମିଳିଥିଲା ନାଏବ ନାଜିମ ଗାଦୀ। ସେ ବୁଝିଥିଲା, ଜଗନ୍ନାଥ ଅପରାଜେୟ ଓଡ଼ିଆ ଜାତିର କେବଳ ଆରାଧ୍ୟ ଇଷ୍ଟଦେଵ ନ ଥିଲେ - ସେ ମଧ୍ୟ ଥିଲେ ଓଡ଼ିଆ ଜାତିର ରାଜନୈତିକ ମୁକ୍ତିର ପ୍ରେରଣାର ଉତ୍ସ। ତାଙ୍କରି ସେବକ ରୂପେ ଖୋର୍ଦ୍ଧା ଗଜପତି ପ୍ରଭାବ ଓ ପ୍ରତିଷ୍ଠାରେ ଯେତେ ନ୍ୟୁନ ହୋଇ ପଡ଼ିଥିଲେ ସୁଦ୍ଧା, ଓଡ଼ିଶାରେ ସବୁ କିଲା ଜାତ ରାଜ୍ୟ କାହିଁକି; ମୋଗଲବନ୍ଦୀ ଅଞ୍ଚଳରେ ସୁଦ୍ଧା ଦୁର୍ଗପତି, ସାମନ୍ତ ତଥା ଜନ ସାଧରଣଙ୍କର ସମ୍ମାନର ପାତ୍ର ଥିଲେ। ଜଗନ୍ନାଥ ଥିଲେ ପୁଣି ଓଡ଼ିଶାରେ ରାଜନୈତିକ ଐକ୍ୟର ଯୋଗସୂତ୍ର। ସେଥିପାଇଁ ଖୋର୍ଦ୍ଧା ଗଜପତିଙ୍କୁ ଏଥର ତଳିତଳାନ୍ତ କରିବା ସଙ୍ଗେ ସଙ୍ଗେ ଜଗନ୍ନାଥଙ୍କୁ ମଧ୍ୟ ନିପାତ କରିବା ତକୀ ଖାଁର ଅଭିପ୍ରାୟ ଥିଲା। ଅତୀତର ବହୁ ଅଭିଜ୍ଞତାରୁ ତକୀ ଖାଁ ବେଶ୍ ବୁଝିଥିଲା ଯେ ମୋଗଲ ଫୌଜ ଯେତେ ପରାକ୍ରମୀ ହେଲେ ସୁଦ୍ଧା ଅରଣ୍ୟ ଓ ପାର୍ବତ୍ୟ ଯୁଦ୍ଧରେ ଅଭ୍ୟସ୍ତ ଗଜପତିଙ୍କର ପାଇକବାହିନୀଙ୍କୁ ପରାସ୍ତ କରିବା ସହଜ ନୁହଁ। ତେଣୁ ଏଥର ଉଭୟ ଉତ୍ତର ଓ ଦକ୍ଷିଣ ଆଡୁ ଏକା ସାଙ୍ଗରେ ଆକ୍ରମଣ କରି ଷଣ୍ଢୁଆସୀ ଭିତରେ ଚିପି ଦେବା ପରି ଖୋର୍ଦ୍ଧାର ତଣ୍ଟି ଚିପି ଧରିବା ପାଇଁ ତକୀ ଖାଁ ଗୋଟିଏ ସୁପରିକଳ୍ପିତ ଯୋଜନା ପ୍ରସ୍ତୁତ କରିଥିଲା।

ଉତ୍ତରରୁ ସାଜିବେ ଖୋଦ୍ ତକୀ ଖାଁ, ଦକ୍ଷିଣରୁ ଗାଜିବେ ଚିକାକୋଲର ଫୌଜଦାର ଜୁଲିଫିକର ଖାଁ ନସରତ ଜଙ୍ଗ୍। ଚିକାକୋଲ ଉତ୍ତର ସୀମାରେ ଟିକାଲୀ ରଘୁନାଥପୁର ଅଧିକାର କରିସାରି, ସେଠାରୁ ସିଧା ମାଡ଼ି ଆସିବେ କାଲୁପଡ଼ା ପର୍ଯ୍ୟନ୍ତ। ସେହି ଅବସରରର ତକୀ ଖାଁ ଅଧିକାର କରିବସିବେ ଖୋର୍ଦ୍ଧା, ତା'ପରେ ପୁରୁଷୋତ୍ତମ ଶ୍ରୀକ୍ଷେତ୍ର !
ଦୁର୍ଦ୍ଧଷ ଖାନ-ଇ-ଦୌରାନ ଶତ ଚେଷ୍ଟା କରି ଯାହା ସାଧ୍ୟ କରି ପାରି ନ ଥିଲା, ଏଥର ତକୀ ଖାଁର ପଣ, ସେ ତାହା ସାଧ୍ୟ କରିବ।

କ୍ରମଶଃ....

୨୯.୧୧.୧୮

No comments: