ଓଡ଼ିଆ ଉପନ୍ୟାସ ସାହିତ୍ୟ ଜଗତରେ ‘ନୀଳଶୈଳ’ ଉପନ୍ୟାସ ଏକ ମନୋଜ୍ଞ ସୃଷ୍ଟି। ଏ ଉପନ୍ୟାସଟି ଖୋର୍ଦ୍ଧା ରାଜା ରାମଚନ୍ଦ୍ର ଦେବଙ୍କ ଜୀବନ ଇତିହାସକୁ ଉପଜୀବ୍ୟ କରି ଗଢ଼ିଉଠିଛି। ଇତିହାସର ରାମଚନ୍ଦ୍ର ଦେବ ଏଠି ଏକ ଭିନ୍ନ ଭୂମିକାରେ ବିଦ୍ୟମାନ। ସମଗ୍ର ‘ନୀଳଶୈଳ’ ଉପନ୍ୟାସର କଥାବସ୍ତୁ ଭିତରେ ସେ ଏକ ନିରବଚ୍ଛିନ୍ନ, ନିଃସଙ୍ଗ, ସଂଗ୍ରାମୀ ଚରିତ୍ର। ତାଙ୍କର କ୍ଷତ୍ରିୟସୁଲଭ ସଂଗ୍ରାମଶୀଳ ନିଷ୍ଠାପର କର୍ମକୃତିର ଆଭାସ ଏହି ଉପନ୍ୟାସରେ ନାଟକୀୟ ରୀତିରେ ପରିକୀର୍ତ୍ତିତ। ଔପନ୍ୟାସିକ ଶ୍ରୀ ସୁରେନ୍ଦ୍ର ମହାନ୍ତି ତାଙ୍କୁ ଉତ୍କଳର ଭାଗ୍ୟବିଧାତା, ଜଗନ୍ନାଥ ସେବକ, ଅଭୂତପୂର୍ବ ବୀର ରୂପେ ଚିତ୍ରଣ କରିଛନ୍ତି। ପୂର୍ବ ସ୍ମୃତିର ରୋମନ୍ଥନରେ ଅତୀତର ଗବାକ୍ଷଦ୍ବାର ଉନ୍ମୁକ୍ତ ହୋଇ ଇତିହାସର ଆଲୋକରେ ‘ନୀଳଶୈଳ’ର ପୃଷ୍ଠା ଆଲୋକିତ ହୋଇଛି। ଅତୀତରେ ଅନ୍ଧକାର ତଳୁ ଇତିହାସ ମୁଣ୍ଡ ଟେକିଛି। କଳାପାହାଡ଼ ଚମ ଦଉଡ଼ିରେ ବାନ୍ଧି ଶ୍ରୀଜଗନ୍ନାଥଙ୍କୁ ଟାଣି ନେଇଥିଲା ବଡ଼ ଦାଣ୍ଡରେ। ଅତୀତର ସେହି ମର୍ମାନ୍ତିକ ଜାତୀୟ ଓ ଧର୍ମୀୟ ଅଧଃପତନ ଏବଂ ଅପମାନର ପୁନରାବୃତ୍ତି ନଘଟାଇବା ପାଇଁ ରାଜା ରାମଚନ୍ଦ୍ର ଦେବ ଓରଫ ହାଫିଜ୍ କାଦର ବେଗଙ୍କର ଜୀବନମୂର୍ଚ୍ଛା ସଂଗ୍ରାମ ଉପରେ ଏହି ଉପନ୍ୟାସର କଥାବସ୍ତୁ ଆଧାରିତ। ଦୁଃଖର କଷାଘାତରେ ରାମଚନ୍ଦ୍ର ଦେବ କ୍ଷତବିକ୍ଷତ, ଶୋକର ଉଚ୍ଛ୍ବାସରେ ଆତ୍ମା ତାଙ୍କର ବିଭ୍ରାନ୍ତ। ତଥାପି ଲକ୍ଷ୍ୟ ଓ ସଙ୍କଳ୍ପର ମହାମେରୁ ପରି ସେ ଅଚଳ, ଅଟଳ ଓ ଦୃଢ଼। ଇତିହାସ ପୃଷ୍ଠାରୁ ଲେଖକ ଏପରି ଏକ ନରପତିଙ୍କୁ ବାଛିଛନ୍ତି ଯାହାଙ୍କ ଚରିତ୍ର ଦ୍ବୈତସତ୍ତା ଓ ବ୍ୟକ୍ତିତ୍ବର ବହୁବିଚି଼ତ୍ର ଅଧ୍ୟାୟରେ ପୂର୍ଣ୍ଣ। ଓଡ଼ିଶା ଇତିହାସରେ ରାମଚନ୍ଦ୍ର ଦେବ ଏକମାତ୍ର ବ୍ୟତିକ୍ରମ। ମୁସଲମାନ ମତ ଗ୍ରହଣ କରି ମଧ୍ୟ ଜଗନ୍ନାଥଙ୍କ ପ୍ରତି ଏପରି ଆନ୍ତରିକ ଶ୍ରଦ୍ଧା ଓ ଭକ୍ତି ଅର୍ଘ୍ୟର ଅର୍ପଣ ଆହୁରି ବିସ୍ମୟକର। ରେଜିୟା ବେଗମ୍ଙ୍କ ପ୍ରତି ତାଙ୍କର ଆକର୍ଷଣ ଥିଲା ପ୍ରବଳ, କିନ୍ତୁ ଲଳିତା ପାଟଦେଈଙ୍କ ପ୍ରତି ସେ ତିଳେମାତ୍ର ଅବିଚାର କରିନାହାନ୍ତି। ଏହି ପରିପ୍ରେକ୍ଷୀରେ ରାମଚନ୍ଦ୍ର ଦେବ ଥିଲେ ଓଡ଼ିଶା ଇତିହାସର ଚମକପ୍ରଦ ଆକର୍ଷଣୀୟ ଚରିତ୍ର।
କ୍ରମଶଃ...
୨୦.୧୧.୧୮

No comments:
Post a Comment