Sunday, 25 November 2018

*ଜଗନ୍ନାଥ କିପରି ଉଦ୍ଧାର ହେବେ ?*

ମୁକ୍ତି ମଣ୍ଡପରେ ସଭା ଚାଲିଥିଲା ପତିତ ରାମଚନ୍ଦ୍ର ଦେବଙ୍କ ଉଦ୍ଧାର ପାଇଁ।

ସାତ ଲହଡ଼ି ମଠରେ ଆଗନ୍ତୁକ ଏ ବିଷୟ ଶୁଣି କହିଲେ, ପତିତ ଉଦ୍ଧାର ପଛକୁ ଥାଉ, ଏବେ ଜଗନ୍ନାଥ କିପରି ଉଦ୍ଧାର ହେବେ ସେ କଥା ଚିନ୍ତା କର।

ବିଷ୍ଣୁ ମହାପାତ୍ର କହିଲେ,
ହିନ୍ଦୁ ବିଦ୍ୱେଷୀ ବାଦଶା ଔରଙ୍ଗଜେବର ମୃତ୍ୟୁ ପରଠାରୁ ଜଗନ୍ନାଥ ଯବନ ଆକ୍ରମଣରୁ ଏକ ପ୍ରକାର ନିଶ୍ଚିନ୍ତ ଓ ନିରାପଦ ରହିଆସିଥିଲେ। ଦିବ୍ୟସିଂହଙ୍କ ସାତ ଅଙ୍କରେ ଏକରାମ ଖାଁ ଶ୍ରୀକ୍ଷେତ୍ର ଆକ୍ରମଣ କରିବା ପରଠାରୁ ଆଉ କୌଣସି ନାଏବନାଜିମ ଶ୍ରୀକ୍ଷେତ୍ର ଉପରେ ଶନି ଦୃଷ୍ଟି ପକାଇ ନ ଥିଲେ। ଔରଂଗଜେବ ପରେ ଯେଉଁମାନେ ଦିଲ୍ଲୀ ମସନଦରେ ବସିଲେ, ସେମାନେ କେହି ଔରଙ୍ଗଜେବ ପରି କ୍ରୁର ଓ ଧର୍ମାନ୍ଧ ନ ଥିଲେ। ପୁଣି ଓଡ଼ିଶାର ନାଏବନାଜିମ ସୁଜା ଖାଁଙ୍କ ସୁଦୀର୍ଘ ଶାସନ କାଳରେ ଜଗନ୍ନାଥ ସମ୍ପୂର୍ଣ୍ଣ ନିରାପଦ ରହିଥିଲେ। ସୁଜା ଖାଁ ସୁଫି ଥିବାରୁ ଜଗନ୍ନାଥଙ୍କ ପ୍ରତି ତାଙ୍କ ଶ୍ରଦ୍ଧା ପ୍ରଗାଢ଼ ଥିଲା। ତେଣୁ ଜଗନ୍ନାଥ ସଡ଼କରେ ଆସୁଥିବା ଦୂର ଦୂରାନ୍ତରର ତୀର୍ଥଯାତ୍ରୀମାନଙ୍କୁ ଦସ୍ୟୁ ବା ମୁସଲମାନ ଫୌଜର କିଲାଦାର ରାହାଦାର ପ୍ରଭୃତିଙ୍କ ଲୁଣ୍ଠନରୁ ନିରାପଦ ରଖିବାପାଇଁ ସୁଜା ଖାଁ ଡାକ ଚୌକୀ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲେ। ଔରଙ୍ଗଜେବ ଅମଳର ଜିଜିଆ କର ସେ ଉଠାଇ ଦେଇଥିଲେ। ସେଥିପାଇଁ ଜଗନ୍ନାଥଙ୍କ ଉପରେ ନିୟମିତ ଧାରାବାହିକ ଯବନ ଆକ୍ରମଣ ଓଡ଼ିଶାବାସୀ ଏକ ଦୁଃସ୍ବପ୍ନ ପରି ଭୁଲି ଆସିଥିଲେ।
ତେଣୁ ସାନ ପରିଚ୍ଛା ଆକ୍ରମଣର ଆଶଙ୍କାକୁ ହଠାତ୍ ବୁଝି ପାରିଲା ନାହିଁ, ଯଦିଓ ପୁଣି ମୋଗଲଗୋଳ ଲାଗିବା ଭୟରେ ଶ୍ରୀକ୍ଷେତ୍ରର ଅଣୁ ପରମାଣୁ ସେତେବେଳକୁ ଆତଙ୍କିତ ହୋଇ ଉଠିଥିଲା।
ସାନ ପରିଚ୍ଛା କହିଲେ -
ଜଗନ୍ନାଥ ଏ ଅପରାଜେୟ ଜାତିର ଆତ୍ମା। ତାଙ୍କର ପ୍ରତିଷ୍ଠା ପ୍ରତ୍ୟେକ ଓଡ଼ିଆର ପ୍ରାଣରେ। ତାଙ୍କୁ ସେଠାରୁ ବିଚ୍ୟୁତ କରିବ କିଏ ?
ରକ୍ତବାହୁ ପୁଣି ରାଜୁ ଖାଁ କଳାପାହାଡ଼ ଠାରୁ ଏକରାମ ଖାଁ ପର୍ଯ୍ୟନ୍ତ ଯେତେଯେତେ ହିନ୍ଦୁ ବିଦ୍ୱେଷୀ ଜଗନ୍ନାଥଙ୍କ ଉପରେ ଆକ୍ରମଣ କରିଗଲେ, ସମସ୍ତେ ଧୂଳିସାତ୍ ହୋଇ ସାରିଲେଣି; କିନ୍ତୁ ନୀଳଶୈଳ ଉପରେ ଆଜି ସୁଦ୍ଧା ସୁଦର୍ଶନଲାଂଛିତ ପତାକା ତଥାପି ଉଡୁଛି।

ଆଗନ୍ତୁକ କହିଲେ -

ଏ ସବୁ କଥା ଶୁଣିବାକୁ ଅତି ଚମତ୍କାର, ମାତ୍ର ତୁମେ ଭୁଲିଯାଉଛ ଯେ ଓଡ଼ିଶାର ନାଏବନାଜମି ଏବେ ସୁଜା ଖାଁର ଜାରଜ ପୁତ୍ର ତକୀ ଖାଁ। ହିନ୍ଦୁ ଧର୍ମ ଓ ଦେବାୟତନ ବିଧ୍ଵଂସରେ ସେ ରାଜୁ ଖାଁ କଳାପାହାଡ଼କୁ ସୁଦ୍ଧା ହାର ମାନଇବା ପାଇଁ ଅଣ୍ଟା ଭିଡ଼ିଛି। ବାଲେଶ୍ଵର ବନ୍ଦରରେ ଫୌଜଦାର ଥିବା ବେଳେ  ସୁବର୍ଣ୍ଣରେଖାର ଦକ୍ଷିଣକୁ ଗୋଟିଏ ହେଲେ ହିନ୍ଦୁ ମନ୍ଦିର ସେ ଅକ୍ଷତ ରଖି ନ ଥିଲା। ସେ ଖବର ରଖିଛ ମହାପାତ୍ରେ ?

କ୍ରମଶଃ...

୨୫.୧୧.୧୮

No comments: