Tuesday, 27 November 2018

*ଓଡ଼ିଆ ପାଇକ ମାନଙ୍କର ବଳ*

ଟୋଡ଼ରମଲ ଓ ମାନସିଂହଙ୍କ କାଳରୁ ଖୋର୍ଦ୍ଧାକୁ ପଦାନତ କରିବା ପାଇଁ ମୋଗଲ ଫୌଜଦାର ଓ ସେନାପତି ମାନଙ୍କର ଆକ୍ରମଣ ଲାଗିରହି ଥିଲା। କିନ୍ତୁ ମରାଠା ମାନଙ୍କ ପଛକୁ କେହି ଯଦି ପ୍ରବଳ ପରାକ୍ରମୀ ମୋଗଲମାନଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଭାବେ ଲଢ଼ି ଆସିଥିଲେ ସେମାନେ ହେଲେ ଓଡ଼ିଆ ପାଇକ।

ତା'ଭିତରେ ବହୁ ବିଶ୍ୱାସଘାତକତା ହୋଇଛି, ପଛଆଡୁ ଅସଂଖ୍ୟ ଛୁରୀଭୁଷା ହୋଇଛି, ଓଡ଼ିଆ ରାଜାମାନେ କେତେବେଳେ ବନ୍ଦୀ ହୋଇଛନ୍ତି ତ କେତେବେଳେ ଇଜ୍ଜତ ରଖିବା ପାଇଁ ନଜରାଣା ଗଣିବାକୁ ବାଧ୍ୟ ହୋଇଛନ୍ତି, ତଥାପି ଖୋର୍ଦ୍ଧାକୁ କେହି ମୋଗଲ ଶକ୍ତିର ବଶମ୍ବଦ କରିପାରି ନାହାନ୍ତି।

ମାନସିଂହ କେବଳ ଯେ ବିଶୁଦ୍ଧ ଜଗନ୍ନାଥ ଭକ୍ତିରେ ଖୋର୍ଦ୍ଧାର ସ୍ୱାଧୀନତା ସ୍ୱୀକାର କରିଥିଲେ, ତାହା ନୁହେଁ, ତାଙ୍କ ପରି ଆଫଗାନ ବିଜୟୀ ଦୁର୍ଦ୍ଧଷ ସେନାପତି ସୈନ୍ୟବାହିନୀ ଧରି କଟକ ଆଡୁ ଦକ୍ଷିଣକୁ ମୁହାଁଇବାବେଳେ କାଠଯୋଡ଼ି ଡେଇଁ ସାରଙ୍ଗଗଡ଼ ସୁଦ୍ଧା ପହଞ୍ଚି ପାରି ନ ଥିଲେ। ସେଇଥିରୁ ଓଡ଼ିଆ ପାଇକ ମାନଙ୍କର ବଳ ସେ ବେଶ୍ କଳି ସାରିଥିଲେ। ଏହି ଅପରାଜେୟ ଶକ୍ତିକୁ ତଳିତଳାନ୍ତ କରିବା ପରିବର୍ତ୍ତେ, ଏହା ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିଲେ, ଓଡ଼ିଶାରେ ବିଦ୍ରୋହୀ ଆଫଗାନ ମାନଙ୍କ ବିରୁଦ୍ଧରେ ତାହା ଏକ ସୁଦୃଢ଼ ରକ୍ଷାବକବଚରେ ପରିଣତ ହୋଇପାରିବ ବୋଲି ମାନସିଂହ ଦୂରଦୃଷ୍ଟିରେ ସ୍ପଷ୍ଟ କଳ୍ପନା କରିଥିଲେ।

ଜଗନ୍ନାଥ ପୁଣି ହିନ୍ଦୁ ରାଜଶକ୍ତିର ଇଷ୍ଟଦେବ ଓ ଓଡ଼ିଶାର ପ୍ରକୃତ ରାଜା ବା ସମ୍ରାଟ ରୂପେ ବିବେଚିତ ଥିଲେ। ଉତ୍କଳ ସାମ୍ରାଜ୍ୟର ଅଧୀଶ୍ଵର ଥିଲେ ଜଗନ୍ନାଥ। ସେଥିପାଇଁ ଅନଙ୍ଗଭୀମଦେବଙ୍କ ଶାସନ କାଳରୁ ଉତ୍କଳ ସିଂହାସନରେ କୌଣସି ରାଜା ଅଭିଷିକ୍ତ ହେବାର ବିଧି ନ ଥିଲା। ତେଣୁ ଜଗନ୍ନାଥ କ୍ଷେତ୍ର ସମେତ ଖୋର୍ଦ୍ଧା ରାଜ୍ୟକୁ ମୋଗଲମାନଙ୍କ ଶ୍ୟେନ ଦୃଷ୍ଟିରୁ ନିରାପଦ ରଖିବା ପାଇଁ ମାନସିଂହ ଖୋର୍ଦ୍ଧାର ସ୍ଵାଧୀନତା ସ୍ୱୀକାର କରିବା ସଙ୍ଗେ ସଙ୍ଗେ ଏହାକୁ ଏକ ବନ୍ଧୁ ରାଷ୍ଟ୍ର ରୂପେ ଘୋଷଣା କରିଯାଇଥିଲେ; କିନ୍ତୁ ଖୋର୍ଦ୍ଧାର ଏ ରାଜନୈତିକ ସ୍ୱାତନ୍ତ୍ର୍ୟ, ମାନସିଂହଙ୍କ ଅନୁକମ୍ପାର ଦାନ ନ ଥିଲା। ଏଥିପାଇଁ ଓଡ଼ିଆ ପାଇକମାନଙ୍କୁ ବାରମ୍ବାର ବିନ୍ଦୁ ବିନ୍ଦୁ ରକ୍ତ ଢାଳିବାକୁ ପଡ଼ିଥିଲା। ତଥାପି ମୋଗଲ ସମ୍ରାଟ ଆକବର ଜୀବୀତ ଥିବା ପର୍ଯ୍ୟନ୍ତ ଖୋର୍ଦ୍ଧା ଓ ସେଥି ସଙ୍ଗେ ସଙ୍ଗେ ଜଗନ୍ନାଥ ଏକ ପ୍ରକାର ନିରାପଦ ରହିଥିଲେ।

କ୍ରମଶଃ....

୨୭.୧୧.୧୮

No comments: