Monday, 12 November 2018

*ବନ୍ଦୀ ହେଲେ ଶ୍ରୀଗୁରୁଜୀ*

ଖଣ୍ଡିତ ଭାରତରେ ମିଶି ନ ଥିଲା କାଶ୍ମୀର। କାଶ୍ମୀର ରାଜାଙ୍କୁ ମନାଇବା ପାଇଁ ସର୍ଦ୍ଦାର ପଟେଲ ପଠାଇଥିଲେ ଶ୍ରୀଗୁରୁଜୀଙ୍କୁ। ଏହାର ବର୍ଣ୍ଣନା ମୁଁ ଏଇ ବ୍ଲଗରେ ତା.୧୮.୧୦.୨୦୧୭ରିଖ ଦିନ ବିସ୍ତୃତ ଭାବେ କରିଛି। ଶ୍ରୀଗୁରୁଜୀଙ୍କ ମଧ୍ୟସ୍ଥତା ଫଳରେ ରାଜା ହରି ସିଂହ ଅଲଗା ନ ରହି ଜାମ୍ମୁ କାଶ୍ମୀରକୁ ଭାରତରେ ସମ୍ପୂର୍ଣ୍ଣ ବିଲୟ କରିଥିଲେ। ଅସଂଖ୍ୟ ସ୍ୱୟଂସେବକଙ୍କ ବଳିଦାନ ହୋଇଥିଲା କାଶ୍ମୀର ରକ୍ଷା ପାଇଁ। ସ୍ୱୟଂସେବକମାନେ ପ୍ରବଳ ଶୀତରେ ବରଫ କାଟି ଜାଗା ସଫା କରିବାରୁ ଭାରତର ଯୁଦ୍ଧ ବିମାନ କାଶ୍ମୀରରେ ଅବତରଣ କରି ପାରିଥିଲା। ସିନ୍ଧୁ ପ୍ରଦେଶରେ ସ୍ୱୟଂସେବକମାନଙ୍କ ବଳିଦାନ କାହାଣୀ ସହ ସର୍ଦ୍ଦାର ପଟେଲ ପରିଚିତ ଥିଲେ। ଆର ଏସ ଏସ ଗାନ୍ଧୀ ହତ୍ୟା କରିଛି - ଏ କଥା ସେ କେବେ ବି ବିଶ୍ୱାସ କରି ନାହାନ୍ତି। କିନ୍ତୁ ଶୀର୍ଷ ନେତୃତ୍ୱଙ୍କ କଥା ମାନି ସେ କହିଲେ ପରୀକ୍ଷା ହୋଇଯାଉ।

ସଙ୍ଘ ଅଗ୍ନି ପରୀକ୍ଷାରେ ଝାସ ଦେଲା। ସରକାରୀ ଘୋଷଣା ଶୁଣି ସାରା ଦେଶରେ ଏକ ସଙ୍ଗରେ ସଙ୍ଘ କର୍ମୀଙ୍କ ଉପରେ ଆରମ୍ଭ ହୋଇଗଲା ଅତ୍ୟାଚାର। ୩୦ ରାତିରେ ଶ୍ରୀଗୁରୁଜୀ ବିମାନ ଯୋଗେ ମାନ୍ଦ୍ରାଜରୁ ଆସି ନାଗପୁରରେ ପହଞ୍ଚି ଯାଇଥିଲେ। ୩୧ ସକାଳେ ନାଗପୁରରେ ଶୋକସଭା ହୋଇଥିଲା। ତା ପରେ ରେଡ଼ିଓ ଖବର ଶୁଣି ଉତ୍ୟକ୍ତ କଂଗ୍ରସ କର୍ମୀଙ୍କ ଭିଡ଼ ଜମା ହେବାରେ ଲାଗିଲା ନାଗପୁରର ସଂଘ ମୁଖ୍ୟାଳୟ ଆଗରେ।

ଶ୍ରୀଗୁରୁଜୀଙ୍କୁ ସୁରକ୍ଷା ଦେବା ପାଇଁ ବାଳସାହେବଜୀଙ୍କ ନେତୃତ୍ୱରେ ୧୦ ଜଣ ସ୍ୱୟଂସେବକ ସ୍ୱତଃସ୍ଫୁର୍ତ୍ତ ଭାବରେ ପହଞ୍ଚିଯାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ରାଜଭାଓ ପାତୁରକର, ରାମଭାଓ ଯୋଶୀ, ମଧୁକରରାଓ ଭାଗବତ(ଏବେର ସଙ୍ଘ ମୁଖ୍ୟଙ୍କ ପୂଜ୍ୟ ପିତା)। ଗୁରୁଜୀଙ୍କ ପାଖରେ ଉତ୍ୟକ୍ତ କଂଗ୍ରେସ କର୍ମୀଙ୍କ ଭିଡ଼ ପହଞ୍ଚି ପାରୁ ନ ଥିଲା। କାରଣ ଗୁରୁଜୀ ରହୁଥିଲେ ଉପର ମହଲାରେ। ସରୁ ସିଡ଼ି ଚଢ଼ି ଉପର ମହଲାକୁ ଯିବାକୁ ପଡୁଥିଲା। ନାଗପୁର ଘର ସବୁ ସେହିପରି। ଏବେ ଏବେ ଭାରତର ପ୍ରାକ୍ତନ ରାଷ୍ଟ୍ରପତି ସଙ୍ଘର ପ୍ରଥମ ମୁଖ୍ୟଙ୍କ ଘର ପରିଦର୍ଶନରେ ଯାଇଥିଲେ। ସେଠାରେ ମାଟିର ସରୁ ସିଡ଼ି ରହିଛି। କିନ୍ତୁ ମାହାଲ ଯେଉଁଠି ଶ୍ରୀଗୁରୁଜୀ ରହୁଥିଲେ ସେ ଘର ପୁନଃନିର୍ମାଣ କାରଣରୁ ସ୍ୱରୂପ ବଦଳି ଯାଇଛି।

ଶ୍ରୀ ଗୁରୁଜୀଙ୍କ କକ୍ଷରେ କୌଣସି ଅସ୍ତ୍ର ରହିବାର ପ୍ରଶ୍ନ ନ ଥାଏ। କିନ୍ତୁ ଭିଡ଼ ଓ ଉତ୍ୟକ୍ତ ଜନତାଙ୍କ ଠାରୁ ରକ୍ଷା ପାଇବା ପାଇଁ ଏମାନେ କାଠ ଫାଳିଆ ଧରିଲେ ଓ ଆତ୍ମ ରକ୍ଷା ପାଇଁ ଚଟାଣରେ ପ୍ରହାର କରୁଥିଲେ। ଭିଡ଼ରେ ଥିବା ଲୋକଙ୍କୁ ଲାଗୁଥିଲା ଭିତରେ ବହୁତ ଅସ୍ତ୍ର ଶାସ୍ତ୍ରଧାରୀ ଥିବେ। ସେଥିପାଇଁ କେହି ସାହସ କରୁ ନ ଥିଲେ ଆଗକୁ ବଢ଼ିବାକୁ।  ବାଳସାହେବଜୀ କହନ୍ତି ରାସ୍ତା ସରୁଆ ଅଣ ଓସାରିଆ ଥିବାରୁ ଜଣେ ଲୋକ ଭିଡ଼କୁ ଅଟକାଇବାକୁ ପର୍ଯ୍ୟାପ୍ତ ଥିଲା। ତେଣୁ ଜଣ ଜଣ କରି ଆମ ଦଶ ଜଣଙ୍କୁ ହତ୍ୟା କରିବା ପରେ ସେମାନେ ଶ୍ରୀଗୁରୁଜୀଙ୍କ ପାଖରେ ପହଞ୍ଚି ପାରିଥାନ୍ତେ। ଭଗବାନଙ୍କ କୃପାରୁ ସେପରି ପରିସ୍ଥିତି ଆସିଲା ନାହିଁ। କିନ୍ତୁ ତିନି ଦିନ ପର୍ଯ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗିରହିଲା। ତାପରେ ପୋଲିସ ଆସି ଶ୍ରୀଗୁରୁଜୀଙ୍କୁ ବନ୍ଦୀ କରି ନେଇଗଲା।

ଶ୍ରୀଗୁରୁଜୀଙ୍କ ଉପରେ ଲାଗିଥିଲା ଧାରା ୩୦୨, ୩୦୭,୧୨୦ ଆଦି।

ଏଭଳି ପରିସ୍ଥିତିରେ ସଙ୍ଘର ସଙ୍ଗଠିତ ଶକ୍ତି ପ୍ରତିକାର କରିଥାନ୍ତା ତ ଗୃହଯୁଦ୍ଧ ଲାଗିଯାଇ ଥାନ୍ତା। ତାହାର ଲାଭ ନେଇଥାନ୍ତା ଭାରତ ବିରୋଧୀ ପାକିସ୍ଥାନ। କମ୍ୟୁନିଷ୍ଟ ମାନଙ୍କୁ ଖେଳିବା ପାଇଁ ମିଳିଯାଇଥାନ୍ତା ପୂରା ଖୋଲା ପଡ଼ିଆ। ସରକାରଙ୍କୁ ମଧ୍ୟ ତାଙ୍କ ମିଥ୍ୟା ଆରୋପ ସିଦ୍ଧ କରିବାକୁ ମିଳିଯାଇଥାନ୍ତା ସୁବର୍ଣ୍ଣ ଅବସର।

ଏସବୁକୁ ଭବିଷ୍ୟ ଦ୍ରଷ୍ଟା ପୂଜ୍ୟ ଶ୍ରୀଗୁରୁଜୀ ସ୍ପଷ୍ଟ ଦେଖିପାରୁଥିଲେ। ତେଣୁ ବନ୍ଦୀ ହେବା ପୂର୍ବରୁ ସେ ସଙ୍ଘର କର୍ମୀମାନଙ୍କୁ କହିଲେ, "ଶାନ୍ତ ରୁହ। ପ୍ରତିକାର କର ନାହିଁ। ଯେଉଁମାନେ ରୋଷର ଶିକାର ହୋଇଛନ୍ତି ଏମାନେ ସମସ୍ତେ ଆମର ସମାଜର ଲୋକ। ଏମାନେ ସମସ୍ତେ ଆମର ବନ୍ଧୁ। ଏମାନଙ୍କ ପ୍ରତି ହାତ ଉଠାଅ ନାହିଁ। ମହାତ୍ମା ଗାନ୍ଧୀଙ୍କ ପ୍ରତି ଅତ୍ୟନ୍ତିକ ଶ୍ରଦ୍ଧା କାରଣରୁ ଏମାନଙ୍କ ମନରେ କ୍ରୋଧ ଆସିବା ସ୍ୱାଭାବିକ। କିନ୍ତୁ କିଛିଦିନ ପରେ ଏମାନଙ୍କୁ ଜଣା ପଡ଼ିଯିବ ଯେ ସଙ୍ଘ ଉପରେ ଲାଗିଥିବା ଆରୋପ ସମ୍ପୂର୍ଣ୍ଣ ଅସତ୍ୟ ଓ ନିରାଧାର। ସେତେବେଳେ ଏମାନେ ନିଜ ଭୁଲ ବୁଝିପାରିବେ ଏବଂ ଶାନ୍ତ ହୋଇଯିବେ।"

ତାଙ୍କ କୋଠରୀ ଆଗରେ ଠୁଳ ହୋଇଥିବା ବିରାଟ ଜନ ସମୂହକୁ ଲକ୍ଷ୍ୟ କରି ସେ କହିଲେ, "ଦେଖ, ମୁଁ ଯାଉଛି। ମୋର ବିଶ୍ୱାସ, ସଂଶୟର ଏହି ବାତାବରଣ ବେଶିଦିନ ରହିବ ନାହିଁ। ଆମେ ନିଷ୍କଳଙ୍କ  ପ୍ରମାଣିତ ହେବା। କିନ୍ତୁ ଏତିକି ସମୟ ଭିତରେ ଲୋକେ ଆମ ଉପରେ ଅନେକ ପ୍ରକାର ଦୋଷ ଲଗାଇବେ। ଅତ୍ୟାଚାର କରିବେ। ଏ ସବୁକୁ ଆମକୁ ସହିବାକୁ ହେବ। ଗତ ୨୨ ବର୍ଷ ଧରି ସଙ୍ଘ ଆମକୁ ଯେଉଁ ସଂସ୍କାର ଦେଇଛି ଏବେ ତାହାର ଅସଲ ପରୀକ୍ଷାର ବେଳ ଉପସ୍ଥିତ।"

କ୍ରମଶଃ...

୧୨.୧୧.୧୮

No comments: