Wednesday, 21 November 2018

*ସର୍ବ ମଙ୍ଗଳ ଜଗନ୍ନାଥ*

ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଇତିହାସରେ ଶ୍ରୀଜଗନ୍ନାଥଙ୍କ ସ୍ଥାନ ସର୍ବବିଦିତ। କୌଣସି ନିର୍ଦ୍ଦିଷ୍ଟ ଧର୍ମ, ମତବାଦ ବା ସମ୍ପ୍ରଦାୟର ସଂକୀର୍ଣ୍ଣ ପରିସର ମଧ୍ୟରେ ଜଗନ୍ନାଥ ଆବଦ୍ଧ ନୁହନ୍ତି। ଶବର ବିଶ୍ୱାବସୁ ଠାରୁ ଆର୍ଯ୍ୟ ଇନ୍ଦ୍ରଦ୍ୟୁମ୍ନ, ବୌଦ୍ଧ ଇନ୍ଦ୍ରଭୁତି, ଶୈବ ଶଙ୍କରାଚାର୍ଯ୍ୟ, ପାଞ୍ଚରାତ୍ରିକ ରାମାନୁଜ, ଶ୍ରଦ୍ଧା ଭକ୍ତିବାଦୀ ଶ୍ରୀ ଚୈତନ୍ୟ, ଶୂନ୍ୟବାଦୀ ବଳରାମ, ଜଗନ୍ନାଥ ଓ ଶିଖ ଗୁରୁ ନାନକଙ୍କ ପର୍ଯ୍ୟନ୍ତ ବିଭିନ୍ନ ମତବାଦ ଓ ସମ୍ପ୍ରଦାୟ ଶ୍ରୀଜଗନ୍ନାଥଙ୍କ ମୈତ୍ରୀ ସାଧନା ମଧ୍ୟରେ ସମନ୍ବିତ ହୋଇ ଅଛନ୍ତି। ଇସଲାମ ମତର ସାଲବେଗ ଓ ଯବନ ହରିଦାସ ପ୍ରମୁଖ ଭକ୍ତ ମଧ୍ୟ ବହୁ ମର୍ମସ୍ପର୍ଶୀ ଜଣାଣରେ ଶ୍ରୀଜଗନ୍ନାଥଙ୍କ ଆରାଧନା କରିଛନ୍ତି। ବସ୍ତୁତଃ ସାର୍ବଜନୀନ ମାନବର ମୈତ୍ରୀ ସାଧନାର ଇଷ୍ଟଦେଵ ରୂପେ ଶ୍ରୀଜଗନ୍ନାଥଙ୍କ ପରିକଳ୍ପନା ଯେତିକି ଅଦ୍ଵିତୀୟ ସେହିପରି ବିରାଟ ଓ ଉଦାର।

ପ୍ରତି ଓଡ଼ିଆ ପ୍ରାଣରେ ପୁଣି ଶ୍ରୀଜଗନ୍ନାଥଙ୍କ ଲାଗି ଏକ ଶ୍ରଦ୍ଧାପୂତ ସ୍ଥାନ ରହିଅଛି। ବସ୍ତୁତଃ ତାହା ଏକ ସୁବିସ୍ତୀର୍ଣ୍ଣ ଶରଧା-ବାଲି। ଭକ୍ତି ସେଠାରେ ଗୌଣ, ଶ୍ରଦ୍ଧା ହିଁ ମୁଖ୍ୟ। ଜଗନ୍ନାଥଙ୍କ ବ୍ୟତୀତ ଓଡ଼ିଆ ଜାତିର ଏପରି ଅନ୍ତରଙ୍ଗ ଆତ୍ମୀୟ ଆଉ କେହି ନାହାନ୍ତି। ସେଥିପାଇଁ "ସର୍ବ ମଙ୍ଗଳ ଜଗନ୍ନାଥ" ସ୍ମରଣ କରିବା ମାତ୍ରେ ଓଡ଼ିଆ ଗୃହସ୍ଥର ସବୁ ବିପଦର ଆଶଙ୍କା ବିଦୁରିତ ହୋଇଥାଏ। ଜଗନ୍ନାଥଙ୍କୁ ଓଡ଼ିଆ କଳାମୁହାଁ ବୋଲି ଯେପରି ଗାଳି ଦିଏ, ଜଗା ବଳିଆ ଡାକି ସେହିପରି ମଧ୍ୟ ସ୍ନେହ କରେ, କାଳ ସର୍ପ କହି ଅଭିମାନ କରେ, ତାଙ୍କ ବିଗ୍ରହକୁ ପହଣ୍ଡି ବେଳେ କଚାଡ଼େ, ପିଟେ... ଏ ସବୁ ମଧ୍ୟ ଓଡ଼ିଆ ଦୃଷ୍ଟିରେ ଆରାଧନାର ଅଙ୍ଗିଭୁତ !

କ୍ରମଶଃ...

୨୧.୧୧.୧୮

No comments: