ଜଗତରେ କଳାବିତ୍ ର ସ୍ଥାନ ହିମାଳୟର ଶୀର୍ଷ ସମ ବହୁତ ଉଚ୍ଚରେ। କବି ବା ଶିଳ୍ପୀ ତାହାର କାର୍ଯ୍ୟରେ ବା ଚିନ୍ତାରେ ସ୍ୱାଧୀନତା ଚାହେଁ। କିନ୍ତୁ ଶିଳ୍ପୀ ବା କବି ଶ୍ରେଷ୍ଠ ଧରଣର ହୋଇଥିଲେ, ସେ ଏହା ନିଶ୍ଚେ ଅନୁଭବ କରିବ ଯେ ସ୍ୱାଧୀନତା ସ୍ୱେଚ୍ଛାଚାରିତା ନୁହେଁ - ସ୍ୱାଧୀନତା ମଧ୍ୟ ସତ୍ୟର ଜ୍ଞାନ ଉପରେ ପ୍ରତିଷ୍ଠିତ। ଅତଏବ ଯେଉଁଠାରେ ସତ୍ୟ ନାହିଁ ସେଠାରେ ସ୍ୱାଧୀନତାର ଅପବ୍ୟବହାର ହୋଇଅଛି। କବି, ଶିଳ୍ପୀ, କଳାବିତ୍ ସେହି ଏକ ସତ୍ୟର ଉପାସକ।
ଜୀବନର ପ୍ରତ୍ୟେକ କାର୍ଯ୍ୟରେ କଳାର ଆବଶ୍ୟକତା ଅଛି। ଓଡ଼ିଆ ଜାତି ଶିଳ୍ପୀର ଜାତି। ଓଡ଼ିଆ ଆଜି ସୁଦ୍ଧା ତାର ଶିଳ୍ପ ନିପୁଣତା ଭୁଲି ନାହିଁ। ଅତଏବ ଆମର ବେଳ ଥାଉଁ ଥାଉଁ ସାବଧାନ, ସତର୍କ, ଅଵହିତ ହେବାକୁ ହେବ ଯେପରିକି ଆମେ ଉତ୍କଳ। ଆମେ କଳା ସାଧନର ମୁଖ୍ୟ ଉପାୟ ଅବଲମ୍ବନ କରିପାରୁ।
ଏକ ସମୟରେ ଏହି ଓଡ଼ିଶା କଳାର ଶ୍ରେଷ୍ଠତ୍ଵ ଉପଲବ୍ଧ କରି ନିଜ ଦେଶର ନାମ ରଖିଥିଲା ଉତ୍କଳ। ଅର୍ଥାତ୍ ଉତ୍କୃଷ୍ଟ କଳା ଯାହାର, ଉତ୍କୃଷ୍ଟ କଳା ଯେଉଁଠାରେ ସେ ଉତ୍କଳ। ଆଜି ପୁନର୍ବାର ଉତ୍କଳ ସନ୍ତାନକୁ ସେହି ଅବସ୍ଥାକୁ ଉନ୍ନୀତ ହେବାକୁ ହେବ।
ହେ ଶିଳ୍ପୀ, ହେ କବି, ହେ ଭାବୁକ, ହେ ରସସାରଜ୍ଞ ଭିନ୍ନଭିନ୍ନ ଶଙ୍ଖ ଫୁଙ୍କ। ଜାତୀୟ ଚେତନା, ଜାତୀୟ ଜାଗୃତି ଅଣାଅ। ଏ ଭାରତୀୟ, ମହାଭାରତୀୟ ଅର୍ଦ୍ଧସୁପ୍ତ ଜାତିକୁ ବର୍ତ୍ତମାନ ଭ୍ରମରର ଗୁଞ୍ଜନରୁ ରକ୍ଷା କରି ଶାର୍ଦୁଳର ଘନ ଘୋର ଗମ୍ଭୀର ଜଳଦ ନାଦ ଦ୍ୱାରା ଉଦବୁଦ୍ଧ କର। ସମସ୍ତେ ବନ୍ୟାର ସମୁଛ୍ୱାସ, ମେଘର ମହ୍ଲାର, ସମୁଦ୍ରର ଗର୍ଜନ ଅନୁଭବ କରନ୍ତୁ। ଯେଉଁ କଳା ଏହା କରିପାରିବ, ସେହି କଳା ହିଁ ଆମକୁ ବର୍ତ୍ତମାନ ସମୟରେ ବଞ୍ଚାଇ ପାରିବ।
(ଏହା ମଧ୍ୟ ସେଇ କଳା ନିବନ୍ଧର କିଛି ଅଂଶ।)
୮.୩.୧୯

No comments:
Post a Comment