ମୃତ ?
କିଏ କହେ ରାଧାନାଥ, ଉପେନ୍ଦ୍ର ଭଞ୍ଜ
ଆଉ ଆଉ କବିକୁଳ ଯେତେ, ମୃତ ?
ପାପର ପୁଣ୍ୟର କେତେ କଥା,
ପ୍ରେମର, ଅମୃତର, ବିରହର ଯେତେ ବ୍ୟଥା
ସବୁ ଲେଖିଗଲେ ରାତିଦିନ ବସି,
କେତେ ଭାଳି କେତେ ରସି,
କହୁଛ ତୁମେ ସେମାନେ ମୃତ !
ଇତିହାସର ଅଙ୍କେ ଜନ୍ମିଥିଲେ ସେମାନେ
ରଖିଗଲେ ମାନବର ହୃଦପଟେ କେତେ ସ୍ମୃତି
କେତେ ଅନାଗତ ଯୁଗର ମାନବ
ସେ ସବୁ କଥା ପଢ଼ି ପଢ଼ି
ମୁଗ୍ଧ ହେବେ
କେବେ ନୋହିବ ଅନ୍ୟଥା।
ଯୁବକ ଯୁବତୀର ଯୌବନ ରସ କଥା
ଲେଖି ଯାଇଅଛନ୍ତି ଯେଉଁମାନେ
ଭୁଲିବେ ସେମାନଙ୍କୁ ଯୁବକ ଯୁବତୀ ?
ଅସମ୍ଭବ।
ମାନବର ବୁକୁରେ ଯେତେ ଉଛ୍ୱାସ
ପ୍ରେମ, ଶୋକ, କ୍ରନ୍ଦନ, ବିଶ୍ୱାସ
ସବୁ ସବୁ ଯେଉଁମାନେ ଧରି ଯାଇଛନ୍ତି
ରଖି ଯାଇଛନ୍ତି,
ଭୁଲିବ କିଏ ତାଙ୍କୁ ?
ନିଦ ନାହିଁ ଆଖିରେ ପ୍ରେମିକର ପ୍ରେମିକାର
ନିଦ ନାହିଁ ଆଖିରେ ପାପୀର ପ୍ରଣୟୀର
ନିଦ ନାହିଁ ଆଖିରେ ସାଧୁର ସୁଭଦ୍ରାର
କବି ଯେତେ ଲେଖିଛନ୍ତି ଉଦାସୀ ପ୍ରେୟସୀ
ଭକତ ଜନଙ୍କ ପାଇଁର
କିଏ ଭୁଲିବ ତାଙ୍କୁ ?
ହୋଇ ଅଛନ୍ତି କାଳବକ୍ଷ ଚିରି ସେମାନେ ଅମର।
କୁହୁ କୁହୁ କୁହରି ଉଠେ
ତାଙ୍କର ସେହି କଥା
ପଢ଼ିଲେ ଶୁଣିଲେ ଜାଗଇ
ପ୍ରାଣରେ ସମପ୍ରେମ ସମବ୍ୟଥା।
ସେହି ତ କବି କାଳିଦାସ
ଲେଖିଥିଲେ ଶକୁନ୍ତଳା
ବର୍ଣ୍ଣିଥିଲେ ଦୁଷ୍ୟନ୍ତର ମନୋଭାବ
ରହିଅଛି ଆଜିସୁଦ୍ଧା।
କବି ରାଧାନାଥ ଲେଖିଥିଲେ ଚିଲିକା
କେତେକଥା, କେତେ କଳ୍ପନା !
ମଧୁ ସ୍ମୃତିରେଖା
ରହିଅଛି ଆଜିଯାଏ ।
ସେହିପରି କୋଟି ବ୍ରହ୍ମାଣ୍ଡର କଳ୍ପନା
କରିଥିଲେ ଯେଉଁ କବି ସମ୍ରାଟ
କଳ୍ପିଥିଲେ ତହିଁ
କୋଟିବ୍ରହ୍ମାଣ୍ଡ ସୁନ୍ଦରୀ
ହୋଇ କବି ସମ୍ରାଟ
କିଏ ସେ ଭୁଲିବ ତାଙ୍କୁ କିପରି
କୋଟି ବ୍ରହ୍ମାଣ୍ଡରେ
କହ ତ କହ ତ ମୋତେ।
ଜୀବନ ତାଙ୍କର ଧନ୍ୟ
ଜୀବନ ତାଙ୍କର ଅନନ୍ତ ଜୀବନ
ନାହିଁ ତାଙ୍କର ମରଣ
ସୂର୍ଯ୍ୟ ଚନ୍ଦ୍ର ତାରକା ସହିତେ
ରହିଛନ୍ତି ସେମାନେ ହୋଇ ଅମର
ଅମୃତ ସମାନ।
କବି ! ବରଣୀୟ ତୁମେ,
ଅର୍ଘ୍ୟ ମୋର ଆଜି ପ୍ରାତେଃ ଘେନ
ହେଲେ ହେଁ
ହେଲେ ହେଁ ଏହା ଅତି
ଅତି ସାମାନ୍ୟ।
(ଏହା ମଧ୍ୟ ତାଙ୍କରି ରଚନାରୁ)
୧୦.୩.୧୯

No comments:
Post a Comment