ଖାଲି ଇଂରାଜୀ ବିଷୟ ନୁହେଁ, ଅନେକ ପାଠ ତାକୁ ଅଦରକାରୀ ବୋଲି ଲାଗେ। ଯେପରି ଇତିହାସ। ଏତେ ରାଜା, ଏତେ ଲଢ଼େଇ, ଏତେଗୁଡ଼ାଏ ତାରିଖ, ଏତେ ଘଟନା। ଘୋଷିଲେ ମୁଣ୍ଡ ବଥାଏ। ଆଲଫ୍ରେଡ଼ ଠୁ ଆଉରଙ୍ଗଜେବ।
ଭାବେ କିଏ କାହାର ? କିଏ ସ୍ଥିର ? ଭାବେ ୟେ ତ ଗଲା ବଡ଼ ଲୋକଙ୍କ କାହାଣୀ, ଗରିବର କାହିଁ ? ପାଠ ବହିର ଇତିହାସ କହେ ଗୋଟାଏ ଯୁଗରେ ଗୋଟାଏ ରଜାର କଥା। ଆଉ ସବୁ ମଣିଷଙ୍କ ଭଲ ମନ୍ଦର କଥା ଗଲା କୁଆଡ଼େ ? ସେତେବେଳେ ପିଲାଏ କେମିତି ପାଠ ପଢୁଥିଲେ ? ଲୋକେ କେମିତି ରହୁଥିଲେ ? କଣ ଖାଉଥିଲେ ? କି କାମ କରୁଥିଲେ ? କେମିତି ଚଳୁଥିଲେ ? ଗାଈ ଗୋରୁ ବାରିବଗିଚା ଅବସ୍ଥା ଥିଲା କେମିତି ? ଲୋକେ କି ପ୍ରକାରେ ହରବର ହେଉଥିଲେ ? ପୁଣି ଭଲ ବା ହେଉଥିଲେ କେମିତି ?
ଡରି ଡରି ସାଙ୍ଗ ପଢୁଆଙ୍କ ଦ୍ୱାରା କ୍ଲାସରେ ଥରେ ପଚରାଇ ଥିଲା।
ମୌର୍ଯ୍ୟ ଶାସନପଦ୍ଧତି ପଢ଼ା ହେଲା ବେଳେ ସେ କ୍ଲାସରେ ପଚରାଇଥିଲା ଯେ ସେ କାଳରେ ଗାଁ ଲୋକମାନେ କି କି ପୁଣ୍ୟପର୍ବ ପାଳନ କରୁଥିଲେ ? କି ପ୍ରକାର ପିଠା ପଣା କରୁଥିଲେ ?
ତା ପ୍ରଶ୍ନରେ ସମସ୍ତେ ହସିଥିଲେ। ଶିକ୍ଷକ ଭାବିଲେ ସେ ବଗୁଲିଆମୀ କରୁଛି। କୁତୁହଳ ଦେଖାଇ ସେ ତା ବଦଳରେ ଗାଳି ଖାଇଥିଲା।
ବିଧି ରକ୍ଷାକରି ପାଠ ଘୋଷିଯାଏ, କିନ୍ତୁ ଯେତେବେଳେ ଭାବେ ଅନ୍ୟ କଥା, ଯେପରି କୁଳିଆ ବଢ଼େଇ ବିଷୟରେ। ଜରରେ କତରାଲଗା ହୋଇ ପୁଣି ଉଠିପଡ଼ି ନିହାଣ ବାରିସି ଧରି ସେ ମୂଲ ପାଇଁ ଧାଇଁଛି। ଶିର ଦଉଡ଼ି ବଳା ହାତ ହେଲେ କଣ ହେଲା, ବଡ଼ ସୁତୁରା ତା କାମ। ଆଗେ ପରା ବଢ଼େଈକୁଳ ଏମିତି ବୋଇତ ଗଢ଼ି ଦେଉଥିଲେ ଯେ ସେଥିରେ ହାତୀ ଵୋଝେଇ ହୋଇ ବିଦେଶକୁ ଯାଉଥିଲେ ବିକ୍ରି ହେବାକୁ। ଆଉ ପଥରରେ କାରିଗରୀ ଦେଖାଇ ଦେଉଳ ଦେହରେ ଛୁଞ୍ଚି କାମ କରୁଥିଲେ ପରା। ସେ ବେଳରୁ କୁଳିଆ ବଢ଼େଇ ଯାକେ କେତେ ପାହାଚ ?
ଏଇ ଲୋକେ ଜାହାଜ ଚଢ଼ି ଏତେ ଦେଶ ବିଦେଶ ବୁଲୁଥିଲେ, ଏତେ ବଡ଼ ବଡ଼ କାମ କରୁଥିଲେ। ସେତେବେଳେ ତାଙ୍କ ଚଳଣି କଣ ଏମିତି ହୋଇଥିଲା ? ନା ଥିଲା ଆଉ ଭିନେ କିଛି ? କୁଆଡ଼େ ଗଲା ସେସବୁ ଚଳଣୀ ? କୁଆଡ଼େ ଗଲେ ସେକାଳ ମଣିଷ ସେହି ଯେଉଁମାନେ ପହିଲମାନ ପରି ହୋଇଥିଲେ --- ପାଞ୍ଚହତା ଭେଣ୍ଡାମାନେ, ଦେଉଳ ଚିତ୍ର ମାନଙ୍କରେ ଯାହାଙ୍କ ଛବି ମାଳ ମାଳ।
ନା ସେ ସବୁ ଚିତ୍ର କଣ ଖାଲି ଶିଳ୍ପୀର କଳ୍ପନା ! ଖାଲି ମନଗଢ଼ା ଛବି ସବୁ ! ବୁଢ଼ା ବୁଢ଼ୀଙ୍କ ହାଡ଼ର ଛାଞ୍ଚ ଆଉ ଆଡ଼ା ଟୋକାଟୋକୀଙ୍କଠି ଆଉ ନାହିଁ। ଉପଯୁକ୍ତ ଖାଦ୍ୟ ନ ପାଇ ଲୋକେ ବଢ଼ି ପାରୁ ନାହାନ୍ତି, ଶୁଖିଲା ସେମେଟା ହୋଇଯାଉଛନ୍ତି। ବେମାରୀ ଦାଉରେ ଗଜା ଭେଣ୍ଡିଆ ମାଟି କାମୁଡୁଛନ୍ତି। ଭାଉ ବଢୁଛି। ଦୁଧରେ ଖଡ଼ି ଆଉ ପାଣି, ଘିଅ ପରିବର୍ତ୍ତେ ଘାସଘିଅ, ସୋରିଷ ତେଲରେ ଅଗରା ମଞ୍ଜି ତେଲ, ମହୁରେ ଆଉଟା ଗୁଡ଼ପାଣି, ଚାଉଳ ଯେ ସେ କଳକୁଟା - ସାର ଚାଂଛି ହୋଇ ଚାଲିଯାଇଛି, କେଡ଼େ କଷ୍ଟରେ ଜୀଉଣା ମଣିଷଙ୍କର ! ଆଉ ଅଭାବ ସାଙ୍ଗକୁ ଅଶାନ୍ତି ଓ ରୋଗ। ସତେ କି ମଣିଷ ଜୀବନରୁ ସୁଖ ସରି ସରି ଆସୁଛି। ଆଉ ଏଥିରେ ପଢୁଥିବ ସେ ତା'ର ପାଠ -- ସାହିତ୍ୟ, ଇତିହାସ। କଥା କହି ଶିଖୁଥିବ, ଇଂରେଜୀ ଓ ଓଡ଼ିଆ ଭାଷା ଚିକଣେଇ ଚିକଣେଇ ଲେଖି ଶିଖୁଥିବ। କାହା ଦୁଃଖ ଯିବ ସେଥିରେ ?
୨୨.୩.୧୯

No comments:
Post a Comment