ସେହି ବାର୍ତ୍ତାର ପ୍ରଚାରକ ପରି ଗାଁ ରେ ଆସି ପହଁଚିଲେ ଶୁଭାର୍ଥୀ ସାହୁ। ଡେଙ୍ଗା ମଣିଷ, ଚେକା ବଡ଼ ମୁହଁଟି କେମିତି ଖୋଲା ଖୋଲା ଦିଶେ। ଆଖିରେ ଚଷମା। ମୋଟା ଖଦଡ଼ ପିନ୍ଧି ଆଣ୍ଠୁଏ ଧୂଳି ହୋଇ ଆସି ପହଁଚିଲେ। ତା ଆଗରୁ ଗାଁରେ ଆସି ପହଞ୍ଚିଥିଲା ତାଙ୍କ ନାଆଁର ମହକ। ଏତେ ପାଠ ପଢ଼ିଲେ ଯେ ବହି ଶଗଡ଼ ଶଗଡ଼, ମନ କରିଥିଲେ ସରକାର କେଡ଼େ ବଡ଼ ଚାକିରୀ ନ ଦେଇ ଥାନ୍ତେ ! ପୁଣି କେଡ଼େ ଥିଲା ଘର ପିଲା ! ଜମି ଜମିଦାରୀ କୋଠାବାଡ଼ି ବେଉସା, କାହିଁରେ ଊଣା, ନାଁ ଡାକ ସାହୁ ଘର, ତାଙ୍କ ଘରୁ କିଏ କେତେ ନ ଧାରିଛି, କିଏ କେତେ ନ ଖାଇଛି। ଏହିପରି ତାଙ୍କ ଇଲାକାର ଖାନଦାନ ଘର ସେମାନେ। ଆଉ ଅଇଛା ସବୁ ଛାଡ଼ିଛୁଡ଼ି ଦେଇ ଏଇଥିରେ ମିଶିଛନ୍ତି, ଖାଲି ଚାଲି ଚାଲି ପାଦର ତଳି ଛିଣ୍ଡି ଯାଉଛି, ଖାଇବାକୁ ବଗଡ଼ା ଶୁଣ୍ଠା, ଯେଉଁଠି ଯାହା, ଶୋଇବାକୁ କାହାଘର ପିଣ୍ଡା କି ମେଲା, ସେ କିନ୍ତୁ ନିର୍ବିକାର। ଗାଁ ଲୋକଙ୍କ ସଙ୍ଗେ ଅତି ଆପଣାର ହୋଇ ହସିହସି ମିଶି ଯାଆନ୍ତି, ଯେତେବେଳେ ଦେଖିଲେ ପସନ୍ନ ମୁଁହ, କ୍ଳାନ୍ତି ନାହିଁ, ସତେ ଯେପରିକି ଗାଁର ଧୂଳି ଦେହରେ ବୋଳି ହେଲେ ତାଙ୍କର ଶାନ୍ତି, ଖରାଏ ତରାଏ ବୁଲି ବୁଲିକା ପରର ଉପକାର ପାଇଁ ଦେହଟାକୁ ଘୋରିଦେଲେ ହିଁ ତାଙ୍କର ଆନନ୍ଦ।
ଏମିତି ଖବର ଆଗେ ଆଗେ ଉଡ଼ିଉଡ଼ିକା ଆସିଥିଲା ସେ ନ ଆସୁଣୁ। ବନ୍ଧେ ବନ୍ଧେ ଯେତେବେଳେ ଚାଲିଚାଲିକା ଆସୁଥିଲେ, ଗାଁ ଗାଁକେ ଲୋକେ ବାଉଁଶ ପୋତି ଆମ୍ବପତ୍ର ଆଉ ଫୁଲହାର ଟାଙ୍ଗି ରଖିଥିଲେ, କାମ ବନ୍ଦ କରି ପିଲା ବଡ଼ ସମସ୍ତେ ଆସି ରୁଣ୍ଡ ହୋଇଥିଲେ ତାଙ୍କୁ ଦେଖିବା ପାଇଁ। ଆଖିରେ କଳା ବେଣ୍ଟର ଚଷମା, କପାଳରେ ଭାବୁକତା, ମୁହଁରେ ହସ, ଫୁଙ୍ଗା ଦେହ, ଡେଙ୍ଗା ଲୋକ ଯେପରିକି ତୀଖ ସରଳ ସହଜ ନିର୍ଭୀକ ସତ ବିଚାର ପରି ରୂପ।
ଯେଉଁମାନେ ଆସିଥିଲେ ତାଙ୍କୁ ଦେଖିବା ପାଇଁ, ସେମାନଙ୍କୁ କେହି ଡାକି ନ ଥିଲା, ସେମାନେ ସମସ୍ତେ ଆସିଥିଲେ ସ୍ୱୟଂ ପ୍ରେରଣାରେ।
କୁଳଭୁଆସୁଣୀ ଏକାଠି ହୁଳହୁଳି ଦେଇଥିଲେ, ହଳଦିମିଶା ଅରୁଆ ଚାଉଳ ଛାଟିଥିଲେ, ଘିଅ ଦୀପ ଜାଳି ବନ୍ଦାପନା କରିଥିଲେ। ଶଙ୍ଖୁଆ ଶଙ୍ଖ ବଜାଇ ଥିଲା, ଢୋଲିଆ ଢୋଲ, ଶୁଭ ମଙ୍ଗଳ ଅନୁଷ୍ଠାନ ପାଇଁ ଯିଏ ଯାହା କରିବା କଥା ସେ ତାହା ହୃଦୟମତ୍ତା ହୋଇ କରିଥିଲେ। ନଈର ଏକର ସେକର କୋଶେ କୋଶେ ଦୂରକୁ ଶୁଭୁଥିଲା ହଜାର ହଜାର କଣ୍ଠରେ ସେଇ ଏକ ଅଭୟ ବାଣୀ, ଚେଇଁ ଉଠିଥିବା ଭାରତର ପ୍ରଥମ ଜୀଅନ୍ତା ଭାଷା --
ଭାରତ ମାତା କୀ ଜୟ।
୨୪.୩.୧୯

No comments:
Post a Comment