Wednesday, 6 March 2019

*ମୋର ଥିଲା ସାଇନ୍ସ*

ଲକ୍ଷ୍ମୀକାନ୍ତ ଗୀତ ଗାଏ, କୌତୁକ କରେ; ସ୍ନେହମୟ, ଶ୍ରଦ୍ଧାମୟ ସେ। ଆଉ ମୁଁ ଏକାକୀ, ଭିତରେ ଭିତରେ ଥାଏଁ। ସେମାନେ ହସି ଖେଳି ଗମନ୍ତି ସମୟ। ମୁଁ କିନ୍ତୁ ଦୂରେଇ ଥାଏଁ। ଦୂରେଇ ଦେଖେଁ - ପୁଣି ଲକ୍ଷ୍ମୀକାନ୍ତ ମୋ ଉପରେ - ବୟସରେ ସେ କିଛି ବଡ଼ - ମୁଁ ଛୋଟ। ସଙ୍ଗୀତ, ନୃତ୍ୟ, ଗୀତ, ବାଦ୍ୟ ଲକ୍ଷ୍ମୀକାନ୍ତର ଜୀବନକୁ ମୁଖରିତ କରି ରଖିଥିଲା।

ସେତେବେଳେ ଲକ୍ଷ୍ମୀକାନ୍ତ ରେଭେନ୍ସା କଲେଜରେ ଆଉ ମୁଁ ମଧ୍ୟ ରେଭେନ୍ସା କଲେଜରେ। ସେ ଇଣ୍ଟରମିଡ଼ିଏଟରେ ବର୍ଷେ ରହିଯାଇଥିଲା, ତା ପରେ ମୁଁ ଆସିଲି। ଲକ୍ଷ୍ମୀକାନ୍ତର ଥିଲା Arts। ଆଉ ମୋର ଥିଲା Science। କେବଳ ଇଂରାଜୀ, ଓଡ଼ିଆ କ୍ଲାସରେ ଦେଖା। ତାକୁ ମୁଁ ଦେଖେ ବେଶି ବାହାରେ, କଲେଜର ନାଚ, ଗାନ, ତାମସାରେ। ମୁଁ ସେଠାରେ ଶୂନ୍ କହିଲେ ଚଳେ।

ଲକ୍ଷ୍ମୀକାନ୍ତ ଗୀତ ଗାଇ ଗାଇ ଜୀବନ କଟାଇ ଦେଇଅଛି - ସବୁ ଦୁଃଖ ବେଦନା ସେଇଥିରେ ସେ ଭୁଲିଥିଲା।

ରେଭେନ୍ସା କଲେଜର ସାର୍ଧ ଶତାବ୍ଦୀ ପାଇଁ ଗୀତ ଲେଖିଥିଲା ଲକ୍ଷ୍ମୀକାନ୍ତ। ସେହି ଗୀତ ଲକ୍ଷ୍ମୀଧର ଗାୟକ କଣ୍ଠରୁ ଯେତେବେଳେ ଉଦ୍ଗାରିତ ହେଉଥିଲା ସେତେବେଳେ ଲାଗୁଥିଲା ସତେ ଯେପରି ଆକାଶ ଓ ମର୍ତ୍ତ୍ୟ  ସେ ସଙ୍ଗୀତରେ ଭରି ଯାଉଛି।

ମହାବ୍ୟାଧି ତାକୁ ଗ୍ରାସିଲା। ମୁଁ ତାକୁ ଅନାଇ କାନ୍ଦିବି କ'ଣ, ସେ ହସାଇଛି - କାନ୍ଦିବାକୁ ଦେଇନାହିଁ। ତାଙ୍କ ଘରେ କେତେ ଥର ରହିଛି। ନିତ୍ୟାନନ୍ଦର ମା' ଆମର ଖାଇବା ପିଇବାର ବନ୍ଦୋବସ୍ତ କରନ୍ତି।

ଲକ୍ଷ୍ମୀକାନ୍ତର ସ୍ତ୍ରୀ ମୋର ଆଜି ମା'। ଲକ୍ଷ୍ମୀକାନ୍ତ ବଞ୍ଚିଥିବା ଯାଏ ସେ ଥିଲା ଲକ୍ଷ୍ମୀକାନ୍ତର ସ୍ତ୍ରୀ - ଲକ୍ଷ୍ମୀକାନ୍ତ ଚାଲିଯିବା ପରେ ସେ ମୋର ମାତୃସ୍ଥାନୀୟା।

ଲକ୍ଷ୍ମୀକାନ୍ତ ବ୍ୟଙ୍ଗ କରିପାରେ - ବିଦ୍ରୁପ କରିପାରେ, ହସାଏ। ମୁଁ ଏ ସବୁ କିଛି ପାରେ ନାହିଁ। ତଥାପି ଲକ୍ଷ୍ମୀକାନ୍ତ ଆଉ ମୁଁ ଜୀବନର ଶେଷ ଆଡ଼କୁ ଥିଲୁ ଗୋଟିଏ ମୁକୁରର ଏପିଠି ସେପିଠି - ଯେପରି ଠିକ୍ ଲକ୍ଷ୍ମୀକାନ୍ତ ଆଉ ଲକ୍ଷ୍ମୀକାନ୍ତର ସ୍ତ୍ରୀ ଥିଲେ ଆଜୀବନ ଜୀବନର ଏପିଠି ସେପିଠି - ଏକ, ଏକାତ୍ମକ, ତଥାପି ଭିନ୍ନ।

(ଏଇ ସାଙ୍ଗ ବିଷୟ ପଢ଼ି ହୁଏତ ଆପଣ ସେହି ସାହିତ୍ୟିକଙ୍କୁ ଚିହ୍ନିଯିବେ।)

୬.୩.୧୯

No comments: