ବାପା - ଆପଣ ଯାହା କହିଲେ ଏ ସବୁ ସାକ୍ଷାତ୍ ଆର୍ଯ୍ୟ ସତ୍ୟ। ତେବେ ଏ ନୀତି କଥା ତ ସବୁ ବିଦ୍ୟାକୁ ପ୍ରଯୁଜ୍ୟ। ଇଂରେଜୀ ଭାଷାର ଆଉ ଅଧିକା ଦୋଷ କଣ ?
ଜେଜେ - ହଁ, ଇଂରେଜୀ ବି ମଣିଷଙ୍କର ଭାଷା। ସେ ବି ଆମ ଭାଷା ହୋଇପାରିଥାନ୍ତା। ମୁଁ ଭାଷା ବିବାଦୀ ନୁହେଁ। ତେବେ ସେ ଭାଷା ପଢ଼ିଲେ ଆମ ପିଲାଏ ସେଇବାଟେ ତାଙ୍କ ସମାଜ ନୀତି କଥା ଶିଖିବେ। ସେମାନେ ବେଶୀ ଯୁଗର ଲୋକ ନୁହଁନ୍ତି, କାହିଁ ମହାଭାରତରେ ତାଙ୍କ କଥା ନାହିଁ ତ ? ହଁ, ରୁଦ୍ରା ନଦୀ ଆରପାରି ଥୋଡ଼ାଏ ଅନାଚାରୀ ଲୋକଙ୍କ କଥା ସାରଳା ଦାସେ ଲେଖିଛନ୍ତି, ସେଇ ଯେଉଁମାନେ ଅଭକ୍ଷ ଖାଉଥିଲେ, ଅଗମ୍ୟକୁ ଯାଉଥିଲେ, ଶାସ୍ତ୍ରୀୟ ଆଚାର ଯେଉଁଟା ଠିକ୍ ତାର ଓଲଟାଟା କରୁଥିଲେ। ତେଣୁ ସେମାନଙ୍କ ଆଚାରଟା ଆମର ନୁହେଁ।
ଶେଷ ଚେଷ୍ଟା କରି ବାପା କହିଥିଲେ - ଇଂରେଜଙ୍କ ଭିତରେ ବି କେତେ ଭଲ ମଣିଷ ଅଛନ୍ତି, କେତେ ସାଧୁ ସନ୍ଥ ଅଛନ୍ତି, ଅନାଚାରୀ କଣ ସମସ୍ତେ ? ସେମାନେ ଏବେ ତ ରାଜା ଜାତି; ଲୋକେ ତାଙ୍କୁଇ କହୁଚନ୍ତି ସେଇମାନେ ବେଶୀ ସଭ୍ୟ, ବେଶୀ ଶିକ୍ଷିତ। ହଁ, ଆମେ କେବେ ବେଶୀ ଶିକ୍ଷିତ ହୋଇଥିଲେ, କିନ୍ତୁ ଏବେ ତ ସେମାନେ ସବୁଠୁ ବେଶୀ ଶିକ୍ଷିତ। ତାଙ୍କ ବିଦ୍ୟା ପଢ଼ିଲେ ମଣିଷର ଆଖି ଫିଟିଯିବ।
ଜେଜେ ପୂରା ଗମ୍ଭୀର ହୋଇଗଲେ ଏବଂ କହିଲେ -
ଫିଟିଯିବ ନା ଫୁଟିଯିବ କିଏ କହିବ ? ଭଲ ମଣିଷ ସାଧୁ ବାବା ତାଙ୍କ ଭିତରେ ବି ଥିବେ, ସେମାନେ ସବୁ ଜାତିରେ ଅଛନ୍ତି। ତେବେ ତାଙ୍କର ସେଇ ଭଲ ମଣିଷମାନେ ସାଧୁ ସନ୍ଥମାନେ କଣ ଏକଥା କହି ଏଇମାନଙ୍କୁ ପଠାଇଛନ୍ତି ଯେ ତେମେ ଯାଇ ସାତ ସମୁଦ୍ର ତେର ନଈ ଡେଇଁ ପରଦେଶରେ ମଣିଷମରା, ଘରପୋଡ଼ା ଲଗେଇ ଦେଶ ଦଖଲ କରି ଭାଲୁଶୋଷା ଚଳେଇ ଦିଅ। ତନ୍ତୀଙ୍କ ବୁଢ଼ା ଆଙ୍ଗୁଠି କାଟି ଦିଅ, ମଣିଷଙ୍କୁ କଲବଲ କରି ମାରିଦିଅ, ଲୁଣ ଉପରେ ବି ପାନୁ ବସେଇଦିଅ, ଖଜଣାକୁ ପାଞ୍ଚଗୁଣ ବଢ଼େଇ ଦିଅ, ଗୋରୁ ମାର, ଚଢ଼େଇ ମାର, ଯାହା ଦେଖ ତାହା ମାର, ଘୋଡ଼ା ବୁଢ଼ା ହୋଇଗଲା - ଦିଅ ତାକୁ ଗୁଳିକରି। କୁକୁର ଛୁଆ ପଲେ ହୋଇଗଲେ, ଦିଅ ତାଙ୍କୁ ଗୋଟି ଗୋଟି କରି ଗରମ ପାଣିରେ ପକାଇ ମାର, ଓଃ, କି ଦୟା ସେମାନଙ୍କର !
ବାପା - ଯେ ଯେଉଁ କାମ କରିବ ସେ ତା ଫଳ ପାଇବ। ପାଠରେ କଣ ଲେଖା ହୋଇଛି ଅକଥା କରିବୁ ?
ଜେଜେ - କଣ ଲେଖା ହେଇଚି ଯେ ପଢ଼ିବ ସେ ଜାଣିବ, ତେବେ ତାଙ୍କ ଧାରଣାଟା କେମିତି ଭିନେ ରକମର ଲାଗୁଚି, ସେଥିରେ ଆମ ଏଠା ପରି ତ୍ୟାଗ ତପସ୍ୟା ଆଚାର ବିଚାରର ଜୟଜୟକାର ନାହିଁ, ପାଇସାବାଲାର ଜୟଜୟକାର, ପଇସାକୁ ସେମାନେ ଆଗ ଚିହ୍ନନ୍ତି, ସେଇଥିପାଇଁ ବୋଇତ ଚଢ଼ି ଏ ଦେଶକୁ ଆସିଲେ, ହାଣକଟା କୂଟ କପଟ କଲେ, ତନ୍ତୀଙ୍କ ଆଙ୍ଗୁଠି କାଟିଲେ। ସେଇଥିପାଇଁ ବାହା ହେଲା ପୁଅ ବାପା ମାଆଙ୍କ ଠୁ ଭିନେ ହୁଏ। ଆଗ ନିଜ ସ୍ୱାର୍ଥ, ନିଜ ସୁଖ, ଆପଣା ବାପା ମା ବି କେହି ନୁହଁନ୍ତି। କେହି କାହାର ସହେ ନାହିଁ, ମନ ନ ମାନିଲେ ମାଇପ ଘଇତାକୁ ଛାଡ଼ି ଚାଲିଯାଏ, ନୂଆ ଘର କରେ। ପାଞ୍ଚ ପତି ବଞ୍ଚି ଥିଲେ ବି ପୁଣି ପଞ୍ଚମ ଜଣକ ଘର ଭାଙ୍ଗିଦେଇ ଆଉ ଜଣେ ଷଷ୍ଠ ସ୍ୱାମୀ ଗ୍ରହଣ କରିବା ତାଙ୍କ ସମାଜରେ ଅତି ସାଧାରଣ କଥା। ଆମର ଯଦି ଲୁଚେଇ ହେଲେ ଆନନ୍ଦ, ତାଙ୍କ ଆନନ୍ଦ ଦେଖେଇ ହବାରେ, ପୋଷାକ ସେମିତି, ବେଶ ସେମିତି, ଆଚାର ସେମିତି। ସେ ଯେଉଁ ଲୋକ ଦେଖାଣି କୁଣ୍ଢାକୁଣ୍ଢି ଵୋକ ଦିଆଦେଇ, ମଣିଷ ଭାବିବ କଣ ନା ୟାଙ୍କର ପାଣି ଗଳୁ ନାହିଁ। ଏଣେ ସ୍ୱାମୀ ସ୍ତ୍ରୀ ମୁହଁ ଚାହାଁ ଚାହିଁ ହେବେ ନାହିଁ, ଆଉ ଟିକିଏ ଗଲେ ଛୁଆଙ୍କୁ ପଠାଇ ଦେବେ କୁଆଡ଼େ ନାଇଁ କୁଆଡ଼େ। ବୁଢ଼ା ବୁଢ଼ିଙ୍କି ଅଲଗା କରିଦେବେ, ଏମିତିଆ ତ, ଖାଲି ଆପଣା ସାର୍ଥିକା ଜୀଉଣା, ସେଠି ଦାଦି ପୁତୁରା, ମାମୁ ଭଣଜା, ମାଉସୀ ଝିଆରୀ, ଶାଶୁ ଶ୍ୱଶୁର, ନେତାଗୋତା, ଅଳିଆ ବାଳିଆ ହୋଇ ଛନ୍ଦାଛନ୍ଦି ସ୍ନେହ ପ୍ରୀତିର ଘରକରଣା କାହିଁ ?
ସମସ୍ତେ ଜାଣନ୍ତି ପାଞ୍ଚ ଆଙ୍ଗୁଠି ସମାନ ନୁହେଁ, ଦେଶ କେ ଫାଙ୍କ୍ ନଈ କେ ବାଙ୍କ୍, ମଣିଷଙ୍କ ଆଚାର ବିଚାର ଭିନେ ହୋଇଥିବ। ତାଙ୍କ ଆଚାର ବିଚାରରେ ସେ ଚଳି ଆସିଛନ୍ତି, ସେଭଳି ଧରଣ ତାଙ୍କୁ ଆରେଇ ଯାଇଛି।
ତେବେ ଆମର ପରା ଆଉ ପ୍ରକାରେ ଚଳି ଆସିଛି କେଉଁ ଅନାଦି କାଳରୁ, ତାଙ୍କଟାକୁ ଶିଖିଲେ ଆମରଟା ଭାଙ୍ଗି ଚୁନା ହୋଇଯିବ ଯେ, ତାକୁ ଯୋଡ଼ିବ କିଏ ? ସାହେବଙ୍କ ପଛରେ ଗୋଡ଼ାଣିଆ ହୋଇ ଧାଇଁଲେ ଯେଉଁ ଧନ ମିଳିବ, କ୍ଷମତା ମିଳିବ, ତା ବଦଳରେ ମୂଲ ଦେବାକୁ ପଡ଼ିବ ଖାଲି କଣ ତାଙ୍କ ଭାଷା ଶିଖିକି ମୁଣା ଓ ଓଲଟା ପଲମ ପରି ଟୋପର ପୋଷାକ ପିନ୍ଧି ?
ନାଇଁ ମୂଲ ଦେବାକୁ ପଡ଼ିବ ଆପଣା ଆଚାର, ବିଚାର, ଧର୍ମ, ସମାଜ ସବୁ ନିଆଁରେ ଆହୁତି ଦେଇ। ଖାଲି କଣ ଚୁଟି ମାଳି, ଖାଲି ଏ ବେଶ ଚାଲିଯିବ ଭାବିଛ ପିଲେ, ବିଚାରଟା ଚାଲି ଯିବରେ, ଏ ଷାଠିଏ ପ୍ରାଣୀ କୁଟୁମ୍ବଙ୍କ କୋଠାଘର ଏ ସନାତନ ସମାଜ ଯେଉଁଠି ଏକା ଡୋରରେ ସମସ୍ତେ ଛନ୍ଦାଛନ୍ଦି ସେଇଟା ଭାଙ୍ଗି ଧୂଳିସାତ୍ ହୋଇଯିବ।
ଇଂରେଜୀ ପଢୁଆ ଟୋକାଏ ଆପଣା ଆପଣା ଭାରିଯାଟିମାନଙ୍କ ହାତ ଧରି ଏରୁଣ୍ଡି ଟପି ସାହବ ହବାକୁ ବିଦେଶକୁ ଚାଲିଯିବେ। ଖାଲି ଆପଣା ପେଟ ପୋଷିବା ହେବ ତାଙ୍କ ଜୀବନର ଉଦ୍ଦେଶ୍ୟ। ତାଙ୍କ ଠଁ ଦେଖିବେ, ଆପେ ସେଇଆ ହେବେ, ଚମଡ଼ା ଆଉ ଭାଷା ଛଡ଼ା ଆଉ ସବୁଥିରେ ସାହବ ପାଲଟିଯିବେ। ଧନ ପାଆନ୍ତୁ, କ୍ଷମତା ପାଆନ୍ତୁ, ମନଟା ତ ଯିବ, ଖାଲି ଆପଣା ସାର୍ଥିକା ପେଟବିକଳିଆ ପଲେ ଗାଁ ଛାଡ଼ି ସହରରେ କିଲିବିଲି ହେଉଥିବେ, ଆମକୁ ବଡ଼ ବଡୁଆ ବୋଲି ପାଣି ଆଞ୍ଜୁଳାଏ ଦବ କିଏରେ ? ଦରକାର ନାଇଁ ଆମର ସେ ପାଠ, ଆଉ ସେ କଥା ଉଠାନା, ଛି---।
(ଇଏ ଆମ ଓଡ଼ିଆ ସାହିତ୍ୟିକ, ଯିଏ ଭବିଷ୍ୟତକୁ ନିର୍ଭୁଲ ଭାବେ ଚେତେଇ ଦେଇଥିଲେ। ଯେଉଁମାନେ ଏହାକୁ ନ ମାନିଲେ ସେମାନଙ୍କ ଅବସ୍ଥା କଣ ହୋଇଛି, ଆମେ ଆମ ଆଖି ଆଗରେ ଦେଖୁଛେ।)
୧୯.୩.୧୯

No comments:
Post a Comment