Saturday, 9 March 2019

*ଓଡ଼ିଆ*

କ୍ଷୁଦ୍ର କ୍ଷୁଦ୍ର କୃତି ଘେନି ଗର୍ବ କରିବାର ଲୋକ ଓଡ଼ିଆ ନୁହଁ। ସେ ଅତି ପରିଶ୍ରମୀ, ବୁଦ୍ଧିମାନ ଏବଂ ସ୍ବେଚ୍ଛାଚାରୀ। ସେ ଲକ୍ଷ୍ୟର ସନ୍ଧାନ କରେ ଏବଂ ସଫଳ ହୁଏ। ଏ ସଫଳତାର ସମ୍ମାନ ସେ ପାଏ ଭବିଷ୍ୟତରେ।

ଗଠନ ପଥରେ ଗତି ତା'ର ଧୀର। ସୃଷ୍ଟି କିନ୍ତୁ ବିରାଟ। ସେ ଗଢ଼େ ମନ୍ଦିର, ଫୁଟାଏ ଭାସ୍କର୍ଯ୍ୟ। ଏହି ମନ୍ଦିରର ଭାସ୍କର୍ଯ୍ୟ ଭିତରେ ସେ ସମସ୍ତ ଦୁନିଆଁକୁ ରୂପ ଦିଏ। ଧ୍ୟାନମଗ୍ନ ରହି ନିଜ କର୍ତ୍ତବ୍ୟ ସମ୍ପାଦନରେ ନିମଜ୍ଜିତ ରହେ। ସେ ଏଥିପାଇଁ ବ୍ୟସ୍ତ କି ବିରକ୍ତ ହୁଏ ନାହିଁ। କୋୖଣସି କାର୍ଯ୍ୟକୁ ତରତର ହୋଇ ଶୀଘ୍ର ଶେଷ କରିବାକୁ ବି ଚାହେଁନା। ଏ ପ୍ରକାର ପ୍ରକୃତିକୁ ସେ ମୂଲ୍ୟହୀନ ଓ ଅବ୍ୟବସ୍ଥିତ ବୋଲି ମନେକରେ। ଏ ପ୍ରଚେଷ୍ଟା ଦ୍ୱାରା କିଛି ଗୋଟାଏ ଚିରନ୍ତନ, ବିରାଟ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ସୃଷ୍ଟିର ଆଶା କରିବା ବିଡ଼ମ୍ବନା ବୋଲି ତା'ର ଧାରଣା। କୋଣାର୍କ ଓ ଭୁବନେଶ୍ୱରର ମୂର୍ତ୍ତି ଆଡ଼କୁ ଚାହଁ। ଦେଖିବ, କେଡ଼େ ସୁନ୍ଦର, କେଡ଼େ ଚିରନ୍ତନ ! ସେ ମୂର୍ତ୍ତି ଭିତରେ ନାହିଁ କାଳିମା, ନାହିଁ ଅପୂର୍ଣ୍ଣତା ଆଉ ସୌନ୍ଦର୍ଯ୍ୟହୀନତା।

ଖଣ୍ଡିଏ ପଥର ପାଇଲେ ତାକୁ ବାରମ୍ବାର ନିରୀକ୍ଷଣ କରେ ଏବଂ ମନ ଭିତରେ ତା'ର ତଉଲ କରି କିଛି ସମୟ ଅପେକ୍ଷା କରେ। ପୁଣି ଖଣ୍ଡିଏ ପଥର ଆଣି ତାକୁ ପରୀକ୍ଷା କରେ। ସେ ଭାବେ, ପ୍ରତି ପଥର ଦେହରେ  ଜୀବନ ଯେମିତି ଶୋଇ ରହିଛି। ସେଇ ସୁପ୍ତ ଜୀବନକୁ ଜାଗ୍ରତ କରିବାକୁ ସେ ପ୍ରୟାସ କରେ। ନିଜକୁ ସେ ନିଦ୍ରିତ ଆତ୍ମା ସହିତ ମିଶାଇ ଦିଏ। ସେଇଠି ହିଁ ସେ ହୁଏ ଜାଗ୍ରତ ସ୍ରଷ୍ଟା। ଏହା ହିଁ ଓଡ଼ିଆ ଚରିତ୍ରର ମୋଟାମୋଟି ପରିଚୟ।

(ତାଙ୍କ ଉତ୍କଳୀୟ ନିବନ୍ଧରୁ ଉଦ୍ଧୃତ।)

୯.୩.୧୯

No comments: