ବାପା ପୁଣି କହିଲେ - ପାଠପଢ଼ାଟା ପରର ଅଇଁଠା ଚାଟିବା ନୁହେଁ, ସେଇଟା ବିଦ୍ୟାଶିକ୍ଷା, ଜ୍ଞାନ, ଖବର ଜାଣିବା ଏମିତିଆ ଜିନିଷ ବୋଲି ଲୋକେ କହିଥାନ୍ତି।
ଏଇ ପ୍ରଶ୍ନକୁ ଜେଜେ ହସରେ ଉଡ଼ାଇ ଦେଇଥିଲେ। ଆଃ.. କି ତେଜ ଥିଲା ସେ ହସରେ..। ତା ପରେ ସେ କହିଥିଲେ - ଭାଷାରେ କିଛି ଯାଏ ନାହିଁ ଏ କଥା କିଏ ନ ଜାଣେ କି, ଆମ ବାପା, ଜେଜେବାପା ଖାଲି ସଂସ୍କୃତ କଣ ବଙ୍ଗଳା, ତେଲୁଗୁ, ବ୍ରଜେବୋଲି ଆଉ ଫାରସି ବି ଭଲ ଜାଣିଥିଲେ, ବହି ପଢୁଥିଲେ, ଲେଖୁଥିଲେ।
ଆମ ଲୋକେ କେତେ କେତେ ବଙ୍ଗଳା, ତେଲେଙ୍ଗା, ବ୍ରଜ ବୋଲିରେ ସବୁ ଗ୍ରନ୍ଥ ଲେଖିଯାଇଛନ୍ତି, ସଂସ୍କୃତ ତ ଜାଣି ଆମ ମାତୃଭାଷା ପରି କେତେଠି ମାଇପେ ସଂସ୍କୃତରେ ଆପଣା ଆପଣା ଭିତରେ କଥାଭାଷା ବି ହୁଅନ୍ତି, ତେବେ ଭାଷାରେ ଭାଷା ଅଛି, ବିଦ୍ୟାରେ ଵିଦ୍ୟା ଅଛି, ଏ ସବୁ ହେଲା ଆମ ଦେଶର ବିଦ୍ୟା, ଏ ସବୁ ଭାଷା ଆମ ଦେଶର ଭାଷା, ଖାଲି ଜାଣିଲେଇ ହେଲା।
ଏତେ ଭାରତ, ରାମାୟଣ ତ ପଢ଼ିଚ, ଶୁଣିଚ, ଦେଖିଚ
ଆମର କୌଣସି ହେଲେ ପୋଥିରେ କୋଉଠି ହେଲେ ଅଛି କୋଉ ଭାଷାକୁ ନିନ୍ଦା କି କୋଉ ଧର୍ମକୁ ନିନ୍ଦା ? ନାଇଁ ଏ ଦେଶରେ ତା ନ ଥିଲା। ଏ ଦେଶରେ ଆମର ବୋଲି ଭିନେ ହେଲେ ବି ଭଲ ମନ୍ଦ ନ୍ୟାୟ ନୀତିର ଧାରଣାଟା ଗୋଟାଏ, ଏଠି ଗୋଟାଏ ନିକିତି ଚାଲେ, ହିମାଳୟଠୁ କନ୍ୟାକୁମାରୀ ବୁଲ, ଦେଖିବ ବାପା, ମାଆ, ଗୁରୁଜନ, ଗୋରୁ, ବ୍ରାହ୍ମଣ, ଠାକୁର, ଗ୍ରନ୍ଥ ୟାଙ୍କ ସମସ୍ତିଙ୍କର ଭଗତି, ଦାନ, ପୁଣ୍ୟ, ଦୟା, ବିନୟ ସେବା ପରୋପକାର, ସ୍ୱାର୍ଥତ୍ୟାଗ, ସତ୍ୟ, ଅହିଂସା, ଆତ୍ମସଂଯମ, ଇନ୍ଦ୍ରିୟଜିଣା, ଭାଗବତଭାଵ ୟାକୁ ସମସ୍ତେ ବଡ଼ ମଣନ୍ତି, ଭିକାରୀଠୁ ରାଜାରାଜେଶ୍ଵରଯାକେ ସମସ୍ତେ, ସମସ୍ତେ କହିବେ ନିଜକୁ ପଛ କରିବା, ପରକୁ ଆଗ କରିବା। ତମ ନ ଦେଖାଇ ମୁଣ୍ଡକୁ ତଳକୁ ପୋତି ରିପୁ କବଳରେ ନ ପଡ଼ି ମୁଣ୍ଡ ଠିକ୍ ରଖି ଆପଣା କର୍ତ୍ତବ୍ୟ କରି କରି ଦିନ ବିତେଇଦେବା, ହରିଙ୍କି ସମସ୍ତିଙ୍କିଠି ପୁଣି ସବୁ ପଦାର୍ଥରେ ଦେଖିବା। ମୁଁ କାରକୁ ଭାଜିବା ଓଁକାରକୁ ଭଜିବା। ଭାଷା ଯାହାର ପଛେ ଯାହା ହୋଇଥାଉ ଦୀକ୍ଷା କି ସମ୍ପ୍ରଦାୟ ଯାହାର ଯାହା ହୋଇଥାଉ ଏ ଭାରତ ଧର୍ମଭୂମିଯାକ ମୋଟାମୋଟି ତେମେ ସବୁଠି ଏଇଆ ପାଇବ, ଯେଉଠିକି ଯାଅ, ସବୁଠି ବ୍ରତ, ଉପାସନା, ଏକାଦଶୀ ପୂଜା, ଦାନଧ୍ୟାନ, ସବୁଠି ସେଇ ଘିଅ, ଦୀପ, ଫୁଲ ଚନ୍ଦନ, ଝୁଣା ଗୋଗୁଳ ବାଇଦ ବାଜଣା ଆଳତି; ସବୁଠି ହରିକଥା, ହରିଙ୍କି ସବୁ ସମର୍ପି ଦେଇ ନିଉନ ହୋଇ ଶାନ୍ତିରେ ଚଳିବାର ବାଗ। ଏଇ ଆମ ଦେଶର ରୀତି, ଆମ ଵିଦ୍ୟା ମଣିଷଙ୍କୁ ଏଇ ରୀତିରେ ପକେଇବାକୁ ଶିଖାଏ, ସେ ବିଦ୍ୟାକୁ ତେମେ ସଂସ୍କୃତରେ ପଢ଼ ତେଲୁଗୁରେ ପଢ଼ କି ମରହଟ୍ଟୀରେ ପଢ଼, ସେଥିରେ କିଛି ଯାଏଆସେ ନାହିଁ। ପୁଣି ଜଗନ୍ନାଥଙ୍କ ଦୁଆର ତ ସମସ୍ତିଙ୍କ ପାଇଁ ଖୋଲା।
୧୮.୩.୧୯

No comments:
Post a Comment