ପଚାଶ ବର୍ଷ ତଳେ ସେହି ସରକାରୀ ଜିପ୍ ରେ ବସି ବିପିନ୍ ଚିନ୍ତା କରୁଥିଲା -
ଏମିତି ଚାଲିଲେ ପଚାଶ ବର୍ଷ ପରେ ଏ ଦେଶ କେମିତି ଦିଶୁଥିବ ? ଆପଣା ଆତ୍ମପ୍ରତ୍ୟୟରେ ଆରାମରେ ଆଉଜି ପଡ଼ି ଉନ୍ନୟନର କାରିଗର ସୁଖକର ଛବି ଆଙ୍କି ତାକୁ ପଦାରେ ଦେଖିବାକୁ ଚେଷ୍ଟା କଲା। ସେ ଛବି ତାର କଳ୍ପନାଗଢ଼ା ନୁହେଁ, ସେ ତାକୁ କାଗଜରେ ଦେଖିଛି, ଅଙ୍କ କଷାରେ ଅନୁଭବ କରିଛି। ପାଞ୍ଚ ବର୍ଷର ଦଶ ବର୍ଷର ନୁହେଁ, ଏକାଥରେ ଶହେ ଦେଢ଼ ଶହ ବର୍ଷର, ଯେତେବେଳେ ତା'ର କି ତା ପୁଅର ନାତିର ଅମଳ ସରି ଯାଇଥିବ, ଆଉ ଏ ଦେଶ ଥିବ, ଏଥିରେ ମଣିଷ ଥିବେ।
ତା'ର ସେ ଛବି ଭିତରେ ନ ଥିଲା ନଈ ବଢ଼ି, ଭୂମିକମ୍ପ, ଜଗତଧ୍ଵଂସୀ ବୋମାର ଉତ୍ପାତ। ସେଥିରେ ବିପ୍ଳବ କି ବିକ୍ଷୋଭ ନ ଥିଲା। ଖାଲି ସଡ଼କ, କୋଠା, ପୋଲ, ଆନିକଟ, ନାଳ, ଯନ୍ତ୍ର, ଯାନ ବାହନ, ଜାତି ଜାତି ସାରରେ ପୁଷ୍ଟ ଶସ୍ୟ କ୍ଷେତ, ଦଶ ଗୁଣ ଉତ୍ପାଦନ, ଗାଈ ଗୋରୁ, ବିଜୁଳି ଆଲୁଅ, ଏମିତି କେତେ କଥା। ସେଥିରେ ନ ଥିଲା ମଣିଷ ସମାଜରେ ସ୍ନେହପ୍ରୀତି, ଦିଆଘେନା, ଦୟା ଦାକ୍ଷିଣ୍ୟ ଭାବର କମିତି କି ବଢ଼ତି, ମଣିଷ ମନ ଭିତରର ସୁଖଶାନ୍ତିର ମାପ, ମଣିଷର ବିଭିନ୍ନ ସମ୍ପର୍କ ସମ୍ବନ୍ଧରେ ମୂଲ ତଉଲର ହିସାବ, ଭାଗବତ କି ଭଗବାନ ପ୍ରତି ମଣିଷର ଦୃଷ୍ଟିଭଙ୍ଗୀ।
ଗରିବର ଉତ୍ଥାନ କରିବା କଥା କହି ଦଳେ ଲୋକ ଏଠି ନିଜର ଉତ୍ଥାନ କରିଚାଲିଛନ୍ତି।
ଜିପ୍ ରେ ଚାଲିଯାଉଥିବା ବେଳେ ସେ ଭାବୁଛି ଏଇ ଲିପା ପୋଛା ମାଟି ପିଣ୍ଡା ତଳେ ନଡ଼ିଆ ଗଛ ଛାଇରେ ସେ ଟିକିଏ ଅଟକି ରହନ୍ତା କାନ୍ଥର ଏ ସୁନ୍ଦର ଛବିକୁ ନିରେଖି ଦେଖିବାକୁ। ଟିକିଏ ଅଟକି ରହନ୍ତା ପୁନାଙ୍ଗ ଗଛ ଛାଇରେ ଆଖି ପୂରେଇ ଏଇ ସୁନ୍ଦର ହଳଦୀବସନ୍ତ ଚଢ଼େଇର ରୂପ ଦେଖିବାକୁ। କି ସ୍ୱଚ୍ଛ ଆକାଶ, କି ସ୍ୱଚ୍ଛ ପାଣି, ଆଉ ଏ ହସକୁରୀ ଚରଳୀ ଖରା, ମନେ ପକାଇଦିଏ ପାଠପଢ଼ା ଦିନର ଖେଳ ଆଉ ଦଉଡ଼। ଗୁଲୁ ଗୁଲୁ ହୋଇ ପିଲାଙ୍କ ମୁଁହ, ଭାରିଜା ମୁଁହ ଦିଶିଯାଏ, ଗାଁର ଛବି ଆଖି ଆଗରେ ଭାସିଉଠେ।
କିନ୍ତୁ ପାଟେଳି ଗାଁ କି ଫୁଲଶରାରେ ଚାଲିଥିବା ରବିର ଯୋଜନା କଥା ମନେ ପଡ଼ିଗଲେ ବେଳେ ବେଳେ ବିପିନ୍ ର ବାଁ ଓଠ କଣ ଅଳ୍ପ ମୋଡ଼ି ହୋଇଯାଏ ଆଉ ଆଖି ଅଳ୍ପକେ କୁହୁଳି ଉଠେ। ପାଟେଳି ଗାଁ ଆଡ଼କୁ ଜିପ୍ ଚାଲିଥାଏ, ସେଠି କଣ ଗୋଟେ ଗଣ୍ଡଗୋଳ ଉପୁଜିଛି। ସରକାରୀ ଯୋଜନା କୋଠ ଏକତାରେ କ୍ଷତି ପହଞ୍ଚାଇଛି।
୩.୬.୧୯

No comments:
Post a Comment