Wednesday, 19 June 2019

*କାଇଁ କିଏ ଦେଶ ଚିନ୍ତା କରୁଛି ?*

ବିନୋଦ ଦାସ ଭାବିଥିଲା, ସ୍ୱାଧୀନତା ଆସିଗଲା - ଏବେ ଯାହା କିଛି ହେବ, ସବୁ ଶୁଭ ହେବ। କିନ୍ତୁ ଏ କ'ଣ ସେ ଦେଖୁଛି ? ସ୍ୱାଧୀନତା ସଙ୍ଗେ ସଙ୍ଗେ ଆସିଯାଇଛି ନାନା ଭୟଙ୍କର ସମସ୍ୟା, ପୂର୍ବର ସମସ୍ୟାକୁ ଆହୁରି ଜଟିଳ ଓ ଆହୁରି କଠିନ କରିଛି, ନାନା ଅପୂର୍ଣ୍ଣତା, ଅସୁବିଧା, ପ୍ରତିବନ୍ଧକ ଭିତରେ ଦାୟିତ୍ୱଧାରୀ ମାନଙ୍କୁ କାମ କରିବାକୁ ପଡୁଛି। ସେମାନଙ୍କ ଭିତରେ ଦାୟିତ୍ୱବୋଧ ଥିବା ପରି ଦେଖାଯାଉ ନାହିଁ। ଦାୟିତ୍ୱ ଦେବା ଲୋକ ଦାୟିତ୍ୱ ନେବା ଲୋକ ଭିତରେ ଅନ୍ତର ବଢ଼ି ବଢ଼ି ଚାଲିଛି। ତଥାପି, କଳ୍ପନାରେ ବି ଭାବି ହେଉ ନାହିଁ ଯେ ସବୁ ଆଶା ବିଫଳ ହେବ।

ଅଥଚ ବିଶ୍ୱାସ ଆସୁ ନାହିଁ।

ମନରେ ବାରମ୍ବାର ସେହି ଦୁଶ୍ଚିନ୍ତା, - ଯେ, କରିବ କିଏ ? କେଉଁ ମନ୍ତ୍ରୀ ?  - ଏଠି ତାଙ୍କର ବିଶ୍ୱାସୀ ଲୋକ ତ ସେବାରାମ ଓ ନରିମିଶ୍ରମାନେ, ଯାହାଙ୍କୁ ଦେଖିଲେ ଲୋକେ ନାକ ଟେକନ୍ତି। କେହି ସହଯୋଗୀ ଚାକିରିଆ କାଇଁ ତ ଦେଶ ହିତ ପାଇଁ କାମ କରୁ ନାହାନ୍ତି।

ମନ୍ତ୍ରୀ ଯାହା ସବୁ ହବ ବୋଲି କହିଗଲେ କିଛି ହଉ ନାହିଁ।
କରିବ କିଏ ? କହୁଛନ୍ତି କଳ କାରଖାନା, ଶିଳ୍ପ ବାଣିଜ୍ୟ ବଢ଼ିବ, ଚାଷ କାମରେ ବି ଯନ୍ତ୍ରପାତି ଲାଗିବ, ପୃଥିବୀର ସଭ୍ୟତା ମାପରେ ଭାରତ କାଳେ କେତେ ଶହ ବର୍ଷ ପଛରେ ପଡ଼ିଛି। ଅତି ଚଞ୍ଚଳ ସଭ୍ୟ, ସୁଦୃଢ଼, ଦମ୍ଭ ହେବାକୁ ପଡ଼ିବ। ଭାରତକୁ ବିକାଶଶୀଳ ଦେଶର ଦରଜା ଦେବାକୁ ପଡ଼ିବ। କିନ୍ତୁ ସେ ପ୍ରକାର କାମ କରିବ କିଏ ?

ସେଭଳି ସଂସ୍ଥା କାହିଁ ଯିଏ ଏହି ଭଳି ବ୍ୟକ୍ତି ନିର୍ମାଣ କରୁଛି ? ଏଭଳି ବ୍ୟକ୍ତି ବା ଏଭଳି ସମାଜ ଗଢ଼ିବାକୁ କିଛି ବ୍ୟବସ୍ଥା ହେଉଥିବା ଜଣାପଡୁ ନାହିଁ। ଲାଗୁଛି ସେପରି କିଛି ଆରମ୍ଭ ହିଁ ହୋଇ ନାହିଁ।

ଚାକିରିରେ ହେଉ ବାହାରେ ହେଉ ସଂସ୍ଥାର ଛାଞ୍ଚ ଇଂରେଜ ଯାହା କରିଥିଲେ, ଏବେ ତ ସେଇଆ ଅଛି। ଏପରି ତ ଦିଶୁ ନାହିଁ ଯେ ନୂଆ ପ୍ରକାର ନୀତି ଧାର୍ଯ୍ୟ ହେଉଛି, ପୁରୁଣା ଭାଙ୍ଗି ନୂଆ ଗଢ଼ା ଯାଉଛି। ବରଂ ଦେଖାଯାଉଛି ମନ୍ତ୍ରୀଙ୍କ ସହ ସେମାନଙ୍କ ଚେଲା ଚାମୁଣ୍ଡା ମାନେ ଇଂରେଜ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି, କେବଳ ପୋଷାକ ବଦଳି ଯାଇଛି।

ଏଇଟା କଣ ସବାଆଗ କାମ ନୁହଁ ଯେ, ଯାହାର ଜମି ନାହିଁ, ଜୀବିକା ନାହିଁ, ଭାତ ନାହିଁ, ଲୁଗା ନାହିଁ, ଘର ନାହିଁ, ଯେ ସବୁଠୁ ବେଶୀ ଦୁର୍ବଳ, ଯେ ଅନ୍ଧାରରେ ଅବହେଳାରେ ପଡ଼ିଛି, ତା'ର ଜୀବନ ଧାରଣ ପାଇଁ ବ୍ୟବସ୍ଥା ହେଉ ? ତା'ର ବିପଦ ତା'ର ଉଦ୍ ବେଗ ଦୂର ହେଉ ? ଅନ୍ୟାୟ ଅସମତା, ଶୋଷଣ, ଭୟ ଦୂର ହେଉ ? ସ୍ୱାଧୀନ ଦେଶର ମଣିଷ ନିର୍ଭର ପ୍ରତିଶ୍ରୁତି ପାଆନ୍ତୁ ଯେ ଆମ ଦୁଃଖ ବୁଝିବାକୁ, ଆମ ଦୁଃଖର ପ୍ରତିକାର କରିବାକୁ ଆମ ଦେଶ ଅଛି, ଧାଇଁ ପଡ଼ିବ, ଏଣିକି ବଞ୍ଚିବାକୁ, ଖଟି ଖାଇବାକୁ ସୁଯୋଗ ମିଳିବ, ସଞ୍ଚିଲେ କେହି ଛଡ଼େଇ ନେଇଯିବ ନାହିଁ, ଆମକୁ କେହି ଡରେଇ ପାରିବେ ନାହିଁ, କେହି ଶୋଷଣ କରି ପାରିବେ ନାହିଁ ?

ଛପା ବିବୃତ୍ତିରେ ନୁହେଁ, ସଭାରେ ବକ୍ତୃତାରେ ନୁହେଁ, ସେ ନିର୍ଭର ପ୍ରତିଶ୍ରୁତି ମିଳନ୍ତା ପ୍ରକୃତ କାର୍ଯ୍ୟରେ, ଦେଶ ଆଦରନ୍ତା ବ୍ୟକ୍ତିକୁ, ବ୍ୟକ୍ତି ତା'ର ହୃଦୟ ଭିତରେ ବୁଝନ୍ତା ମୋ 'ଦେଶ' ମୋ ପାଇଁ।

କାଇଁ ତା'ର ସୂଚନା ? ଓଲଟି ସବୁଠି ଜାତିଜାତି ଫାଉମରା ଛଦ୍ମବେଶୀ ଟାଉଟର ପଲପଲ, ସାଲୁସାଲୁ, ଯାହା କଲେ ତ ସେଇମାନେ ଆଗୁଳିବେ, କେଉଁବାଟେ ୟାର ପ୍ରତିକାର ?

"ମୁଁ କ'ଣ କରିବି ?  - ଦୁଃଖିତ ହୋଇ ବିନୋଦ ଭାବୁଥାଏ।

୧୯.୬.୧୯

1 comment:

Chittaranjan Nayak said...

True reflection of the core
societal problem.