Sunday, 9 June 2019

*ରବିର ଜୀବନ-ଦର୍ଶନ*

ବିପିନ କହିଲା, "ଆମେ ବି ସେହି ଏକତାକୁ ବଢ଼େଇଦେବାକୁ ସଂସ୍ଥା ଗଢୁଛୁ, ଲୋକେ ସହଯୋଗ କଲେ ହେଲା।"

ରବି କହିଲା, "ଲୋକେ ନିଜେ ଯାହାକୁ ଗଢ଼ନ୍ତି ସେଥିରେ ସହଯୋଗ ଊଣା ପଡ଼େ ନାହିଁ। ତୁମେ ଗଢ଼ିବ ସଂସ୍ଥା, ଲୋକଙ୍କଠୁ ମାଗିବ ସହଯୋଗ ! ଭଲ କଥା ! କେତେ ଦିନକୁ ଆଖି ଆଗରେ ରଖି ସଂସ୍ଥା ଗଢ଼ିଛ ? ସବୁ ଦେଶରେ ଯେତେ ୟେ ସଂସ୍ଥା ଗଢ଼ାଳିଏ - ତାଙ୍କର ବା ଆୟୁଷ କେତେ ? ସମୟ ଘେନି ଅବସ୍ଥା ଘେନି ଯାହାଙ୍କ ହାତରେ କ୍ଷମତା ଥାଏ ତାଙ୍କ ମନ ଘେନି ସଂସ୍ଥା ଗଢ଼ା ହୁଏ, ବଦଳେ, ଭାଙ୍ଗେ। ମଣିଷ ଜାତିକୁ କଣ ସଂସ୍ଥା ଗଢ଼ିଛି ? ମଣିଷର ଯେ ଅସଲ ସ୍ୱରୂପ, ଏକାଠି ମେଳ ହୋଇ ରହିବା, ପରସ୍ପରକୁ ଭଲ ପାଇବା, ଭଲ ପାଇବା ପାଇଁ ବଞ୍ଚିବା, ଏହା କୌଣସି ସଂସ୍ଥାକୁ ଅପେକ୍ଷା ରଖେ ନାହିଁ। ତା'ର ପ୍ରମାଣ ତୁମେ ଏଠି ଆଖିରେ ଦେଖୁଛ।"

ଏହା ଶୁଣି ବିପିନ ହସିଲା। ରବିର କାନ୍ଧକୁ ବେଢ଼େଇ ଧରି ସେ କହିଲା, "ମଣିଷ ଭଲ ପାଇବା ପାଇଁ ବଞ୍ଚେ ତ ? ତୁମେ କାହାକୁ ଭଲ ପାଉଛ ?"

ରବି ବି ହସି ହସି କହିଲା, "ମୁଁ କାହାକୁ ଭଲ ନ ପାଉଛି ମୁଁ ଜାଣେ ନାହିଁ।"

ସେମାନଙ୍କ ଆଗରେ ସେମିତି ଲୋକଙ୍କ ଗହଳି ଲାଗି ରହିଥାଏ। ପାଖ ଲୋକେ ଦୁହିଁଙ୍କ କଥା ଶୁଣୁଥାନ୍ତି।

ବିପିନ ଦୀର୍ଘଶ୍ଵାସ ପକାଇ କହିଲା, "ହଉ, ମୁଁ ଯାଉଛି ରବି। ମୋର ହୃଦବୋଧ ହେଉଛି - ତୁମେ ରାଜାର ଚାକର ନୁହଁ, ସାହୁର ଖାତକ ନୁହଁ, ମନଇଚ୍ଛା ଆପଣା ରୁଚି ଅନୁସାରେ ଅନୁଷ୍ଠାନ ଗଢ଼ି ପାରିବ, ନାନା ପରଖ କରି କରେଇ ପାରିବ, ତୁମେ ସ୍ୱାଧୀନ, ଜୀବନର ସୁଆଦ ଚାଖିବାକୁ ତୁମର ଅବସର ଅଛି। ମୋର ତ ଭାଇ ସେ ସୌଭାଗ୍ୟ ନାହିଁ, ବେକରେ ପଟି, ପଟିରେ ଶିଂକୁଳି, ଶିଂକୁଳି ପର ହାତରେ, କଣ୍ଠରେ ଧ୍ଵନିବର୍ଦ୍ଧକ, ଯଦି କେତେବେଳେ କେଉଁ ସଂସ୍ଥାକୁ ବିରୋଧ କରିବି, ତେବେ ତାହା ମୋ ଇଚ୍ଛାରେ ନୁହେଁ, ମୋ ଜାଗାରେ ଆଉ ଯିଏ ଥିଲେ ବି ସେ ବଡ଼ ବାବୁଙ୍କ କଥା ମାନିବ। ପ୍ରକୃତରେ ସେ ବ୍ୟବସ୍ଥା ଭିତରେ ମୁଁ ଗୋଟେ ଯନ୍ତ୍ର ପାଲଟିଯାଇଛି।"

ରବି କହିଲା, "ନା, ସେମିତି ଭାବ ନାହିଁ, ଯେତେ ହେଲେ ବି ତୁମେ ଆଗ ମଣିଷ, ସାମୟିକ ଖିଆଲିରେ ମନ ପଶି ବେଳେବେଳେ ବିକୃତ ହୋଇଯାଏ, କିନ୍ତୁ ସରଳ ଭାବେ ନିଜକୁ ବଞ୍ଚିବାକୁ ଛାଡ଼ିଦେଲେ ସବୁ ଖାପିଯାଏ, ଆରେଇ ଯାଏ, ଗୋବରରୁ ରସ ଘେନି ବାସ୍ନା ଫୁଲ ଫୁଟେ। ନୈରାଶ୍ୟ ଆସେ ନାହିଁ, ଦୁଃଖ ଛୁଏଁ ନାହିଁ, ଜୀବନ ସତେଜ ରହେ।"

ନଉଁ ନଉଁ ବିପିନ ପୁଣି ତେଜି ଉଠିଲା ରବିର ଜୀବନ-ଦର୍ଶନର ବ୍ୟାଖ୍ୟାନରେ।

୯.୬.୧୯

No comments: