Thursday, 6 June 2019

*ରବି ସ୍ୱାଧୀନ, ସଳଖ ଓ ନିର୍ଜଞ୍ଜାଳ*

ରବିକୁ ବହୁତ ଥର ସରକାରୀ ଯୋଜନା କଥା ବିପିନ୍ ବୁଝାଇଛି। କିନ୍ତୁ ରବି କୁହେ, "ମଣିଷର ନିହାତି ଭଲ ପଣରେ ତୁମର ଆସ୍ଥା ନାହିଁ। ସ୍ନେହ, ପ୍ରୀତି, ଆଶା, ବିଶ୍ୱାସଠି ତୁମର ଭରସା ନାହିଁ। ମଣିଷ କାହାକୁ ଘେନି ବଞ୍ଚିଛି ? ସନ୍ଦେହ, ଅବିଶ୍ୱାସ, ବିତର୍କ ଆଉ ଅତି ହୁସିଆରପଣିଆରେ ମଣିଷ ଗଢ଼ିଛି ସୃଷ୍ଟି ଧ୍ଵଂସକାରୀ ବୋମା, ଆଉ ତୁମେ ସେଇଆ ଆମକୁ ଶିଖାଇବାକୁ ଆସିଛ ?

ଜୀପ୍ ଚାଲିଛି। ପାଟେଳି ଗାଁ ପାଖ ହେଇ ଆସୁଛି। ବିପିନ୍ ରବିର ସେ ହସ ହସ ମୁହଁକୁ ମନେ ପକାଉଛି।  ଏହା ତ ରବିର ଗାଁ ନୁହଁ। ତଥାପି ରବିର ଆତ୍ମା ଏହି ଗାଁର କୋଠ ଘରେ ମଧ୍ୟ ବାସ କରେ। ଏଇ ଗାଁରେ ଅଛି ସିନ୍ଧୁ ଚୌଧୁରୀଙ୍କ ଝିଅ ଛବି। ଇଏ ବି ସେହି ମନ୍ତ୍ରରେ ଦୀକ୍ଷିତା। ଚେହେରା ମନେ ପଡୁଛି। ଦିହେଁ ବିଭାହେଲେ କେଡ଼େ ସୁନ୍ଦର ହୁଅନ୍ତା ! ବିପିନ ଭାବୁଛି, ନା, ତା ବି ବୋଧହୁଏ ରବିର ଯୋଜନାରେ ନ ଥିବ !

ଆପେ ଜଳି ଏ ଦୁନିଆଁକୁ ଉଷୁମ କରିବ !

ସରଳ, ମୂର୍ଖ !

ରକ୍ତ ଖତ, ମାଂସ ଖତ, ହାଡ଼ ଖତ ହୋଇ ମହଣେ ବି ହେବ ନାହିଁ। ମାଣେ ଆଳୁ କ୍ଷେତକୁ ପାଏ ନ ପାଏ।

ଆଉ ମଣିଷଗୋଷ୍ଠୀ ମନରେ ମଣିଷର ସ୍ମୃତି - ପାଣିର ଗାର।
ବୃଥା ତାର ଜୀବନଟାକୁ ଉଜାଡ଼ି ଦେଉଛି।

ପାଗଳଟାଏ। ବିପିନ ଦୀର୍ଘ ଶ୍ଵାସ ପକାଇଲା।

ଜୀପ୍ ପହଞ୍ଚିଲା ପାଟେଳି ଗାଁରେ। ଖରାବେଳ। ଗଛ ତଳେ ଗହଳି ଲାଗିଥିଲା। ସତେ କି ଗାଁ ଯାକର ସବୁ ସ୍ତ୍ରୀ ପୁରୁଷ ଉଠି ଆସିଥିଲେ। ଆଉ ଆଖ ପାଖ ଗାଁରୁ ବି କେତେ। ସେମାନଙ୍କ ଆଲୋଚନା ଚାଲିଥିଲା, ଦଣ୍ଡାବାଟେ ମଟର ଗାଡ଼ି ଆସୁଛି, ସେମାନେ କୁତୂହଳରେ ଅନାଇଁଲେ। ବିପିନ ଗାଡ଼ିରୁ ଓଲ୍ହାଇ ପଡ଼ିଲା। ଗହଳି ଭିତରୁ କିଏ ସେ ୟେ ଆଗେଇ ଆସୁଛି ? ସେ ମୁହଁ ହସିଲା। ରବି।

ରବିର ଚେହେରାରେ ବହୁତ ପରିବର୍ତ୍ତନ। ମୁହଁର ଦୀପ୍ତି ବଢ଼ିଛି। କିନ୍ତୁ ଦେହ ଶୁଖିଯାଇଛି, ଖରାରେ ପାଚି କରଡ଼ା ହୋଇଛି। ଭଦ୍ର ଭେକ ଖଣ୍ଡେ ନାହିଁ। ଶ୍ରମ ସେ ଶରୀରକୁ ଆପଣା ଛାଞ୍ଚରେ ଢାଳିଛି। କପାଳର ଗାର, ଥୋଡ଼ିର ଦାଢ଼, ଗାଲର ହାଡ଼, ଚାହାଣିର ମୁନ ଆଉ ଗମ୍ଭୀରତା, ସମୁଦାୟ ଠାଣି, ସବୁ ଏକାଠି ହୋଇ ସେ ମୁହଁରେ ଛବି ଫୁଟାଇଛି। ଗୋଟିଏ ବିଶିଷ୍ଟ ଚରିତ୍ରର, ଅନାଇଁଦେଲେ ବୁଝି ହୁଏ, ଏ ମଣିଷ ଏ କାଟର, ଏଇ ଏଇ ବ୍ୟବହାର ଏଠି ସମ୍ଭବ, ଏଇ ଏଇ ବ୍ୟବହାର ସମ୍ଭବ ନୁହେଁ।

ରବିର ଦୁଇ ହାତକୁ ଧରି ପକାଇ ତା ମୁହଁକୁ ଅନାଇଁ ହସୁ ହସୁ ବିପିନ୍ କହିଲା, "ଏକାଠି ପଢୁଥିଲେ, ଏକାଠି ବଢୁଥିଲେ, କିନ୍ତୁ ବଢୁ ବଢୁ ଖଣ୍ଡେ ଦୂର ଯାଇ ଚାପରେ ମୁଁ ଗଛ ନ ହୋଇ ଲଟା ହୋଇଗଲି, ଭାଡ଼ି ଉପରେ ଲଟାଇ ଗଲିଣି ଅରାଏ। କିନ୍ତୁ ତୁ ସ୍ୱାଧୀନ, ସଳଖ, ନିର୍ଜଞ୍ଜାଳ। ଆଉ ମୁଁ ?

୬.୬.୧୯

No comments: