Sunday, 16 June 2019

*ଏହା କଣ ରାମରାଜ୍ୟ ?*

ସ୍ୱାଧୀନ ଦେଶରେ ପ୍ରଥମ ନିର୍ବାଚନ ସରିଛି। ମନ୍ତ୍ରୀମଣ୍ଡଳ ଗଠିତ ହୋଇସାରିଛି। ବିନୋଦ ଦାସ ଉତ୍ସୁକତାର ସହ ଅପେକ୍ଷା କରିଛି ନେତାଙ୍କର ଭାଷଣକୁ। ଜଣେ ମୁଣ୍ଡିଆଳ, ପ୍ରଦେଶର ସର୍ବେସର୍ବା ଆସିଲେ। ତାଙ୍କ ପାଇଁ ଜୟ ଜୟକାର ଓ ଜିନ୍ଦାବାଦ୍ ଚାଲିଲା। ସ୍ୱାଧୀନତା ଆସିବା ଦିନ ବିନୋଦ ଦାସ ଦୀପ ଜାଳି ସ୍ୱାଧୀନତାକୁ ସ୍ୱାଗତ କରିଥିଲା, ଏବେ ନେତା ଓ ମନ୍ତ୍ରୀମାନଙ୍କ ହାଵ ଭାବରୁ ତା'ର ଆଶା ପୂରଣ ହେବା ଭଳି ହୃଦ କହୁ ନ ଥାଏ। ଆଜି ଭାଷଣ ବି ତା ମନକୁ ଗଲା ନାହିଁ। ତଥାପି ସେ ନିଜକୁ ଓ ଅନ୍ୟମାନଙ୍କୁ ମତାଇ ଚାଲିଥାଏ ଯେ, ନିରାଶା ହେବାର କାରଣ କିଛି ନାହିଁ, - ଏତେ ସମସ୍ୟା ! ପଦେ ପଦେ ଏତେ ଜଟିଳତା ! କେଡ଼େ ବିଶାଳ ଦେଶ ! ଶୁଭ ପରିବର୍ତ୍ତନ ଆସିବା ପାଇଁ ନିଶ୍ଚୟ କିଛି ସମୟ ଲାଗିବ।

ସମାଜରେ ଯେଉଁ ଅଳ୍ପ ଲୋକେ ଏତେକାଳ ସୁଖ ସୁବିଧାର ବଡ଼ ଭାଗକ ପାଇ ଯାଉଥିଲେ, କ୍ଷମତା ପ୍ରତିପତ୍ତି ମୁଠେଇ ଧରିଥିଲେ, ସେମାନେ ଆପଣାର ସେହି ନିହିତ ସ୍ୱାର୍ଥକୁ ଅତୁଟ ରଖିବାକୁ କି ବଢ଼େଇବାକୁ ନାନା ଉପାୟ ଲଗାଇ ଚେଷ୍ଟା କରିବା ସ୍ୱାଭାବିକ। ସେମାନେ ସବୁ କ୍ଷମତା କେନ୍ଦ୍ରକୁ ଦଖଲ କରିବାକୁ ଚେଷ୍ଟା କରିବେ। ସବୁ ପ୍ରକାର ପରିବର୍ତ୍ତନକୁ ଆପଣା ସ୍ୱାର୍ଥକଣ୍ଟରେ  ମାପି, ତା ପ୍ରତି ନିଜ ସମର୍ଥନ କି ବିରୋଧ ଠିକଣା କରିବେ। ସେ ଭାବୁଥିଲା ଯେ, ଏ ପରିସ୍ଥିତିରେ ଖାଲି ଗୋଟିଏ ପ୍ରକାର ପରିବର୍ତ୍ତିତ ରୂପ ଦୀର୍ଘକାଳ ରହିଯିବା ସମ୍ଭବ ନୁହେଁ - ଚିରକାଳ ରହିବା ତ କାହିଁ ଦୂରର କଥା। କ୍ରିୟା ପ୍ରତିକ୍ରିୟା ହୋଇ କେତେ କେତେ ଅବସ୍ଥା ଆସିବ। ବିନୋଦ ଦୁଃଖିତ ହୋଇ ଭାବେ ଶାସନ କିଛି ଭଲ ଲୋକଙ୍କ ହାତରେ ପଡ଼ିଥିଲେ ଭଲ ହୋଇଥାନ୍ତା। ପୁଣି ଭାବେ ହୋଇଥାନ୍ତା କେମିତି ? ପ୍ରତି ଲୋକର ନିଜ ଉଦ୍ଦେଶ୍ୟ, ନିଜ ରୁଚି, ନିଜ ବିଚାର ଅଛି, ନିଜର ସ୍ୱାର୍ଥ ଅଛି। ସମସ୍ତେ ନୁହଁନ୍ତି ଆତ୍ମତ୍ୟାଗୀ ମହାପୁରୁଷ। ଏ ଯେଉଁ ଗଣତନ୍ତ୍ର ଶାସନ ପଦ୍ଧତି ଅଛି, ଏହା ବି ଆମ ଲୋକଙ୍କ ପାଇଁ ନୂଆ। ଆମକୁ ଏ ପଦ୍ଧତି ବୁଝିବାକୁ କିଛି ସମୟ ଲାଗିବ। ଅନ୍ୟ ଲୋକଙ୍କୁ ନିଜ ପେଟପାଟଣା ଧନ୍ଦା ହିଁ ବଳେଇଛି। ଅନ୍ୟ କଥାକୁ ବୁଝିବାକୁ ସେମାନଙ୍କର ଗରଜ ନ ଥାଏ। କାହୁଁ ମନ ଯିବ 'ଗଣତନ୍ତ୍ର' କଣ 'ଶାସନ ଦାୟିତ୍ୱ' କଣ ଏତେ କଥା ଶିଖିବାକୁ, ନିଜକୁ ବିଜ୍ଞ ଭାବି ଠିକଣା ବାଗରେ ଭାବିଚିନ୍ତି ନିଜ ଭୋଟ୍ ଦେଇଦେବାକୁ ? ତାଙ୍କୁ ଶିକ୍ଷା ଦେଇ ବୁଦ୍ଧିଆ କଲେ କେଉଁ ରାଜନୈତିକ ଦଳକୁ ସୁହାଇବ ଯେ ସେମାନେ ଏହା କରିବେ ? ଯିଏ ତ ଶିଖାଇବାକୁ ଆସିବ, ପ୍ରକୃତରେ ସେ ମତାଇବାକୁ ଆସିବ - "ଆମେ ଭଲ, ଆମ ବାଟ ଶ୍ରେଷ୍ଠ, ଆମ ଆଡ଼େ ଆଉଜ।" ମତେଇବା ବାଗ ବି ଖାଲି କଥାରେ ନୁହେଁ। ଲୋକ ଦେଖି ବାଗ ଭିନେ, ଯେ ଯହିଁରେ ବଶ।

କିନ୍ତୁ ରାମରାଜ୍ୟ ସ୍ୱରାଜ୍ୟ ସଙ୍ଗେ ସଙ୍ଗେ ନ ଆସିଲା ବୋଲି ନିରାଶ ହେବା ଯାହା, ଜହ୍ନମାମୁଁ ମୋ କାହ୍ନୁ ହାତରେ ଖସି ନ ପଡ଼ିଲା ବୋଲି ନିରାଶ ହେବା ସେଇଆ। ରାମରାଜ୍ୟ ଥିଲା ସେ କାଳର ରାଜତନ୍ତ୍ର। ଅଯୋଧ୍ୟାର ପ୍ରଜା ସୀତାଙ୍କ ନାମରେ ଅପବାଦ ଦେଲେ, ସୀତା ଶୁଦ୍ଧ ଥିବା ଜାଣି ମଧ୍ୟ ରାମଚନ୍ଦ୍ର ତାଙ୍କୁ ରାଜ୍ୟରୁ ବାହାର କରିଦେଲେ -

ସ୍ନେହଂ ଦୟାଂ ଚ ସୌଖ୍ୟଂ ଚ
ୟଦି ବା ଜାନକୀମପି।
ଆରାଧନାୟ ଲୋକାନାଂ
ମୁଞ୍ଚତୋ ନାସ୍ତି ମେ ବ୍ୟଥା।।

ବିନୋଦ ଭାବୁଛି, ଗାନ୍ଧିଜୀ ତ ରାମରାଜ୍ୟ ଆସିବା କଥା କହୁଥିଲେ। ଏଇ ଯେଉଁ ଗଣତନ୍ତ୍ର ଆସିଛି, ଏହା କ'ଣ ରାମରାଜ୍ୟ ?

୧୫-୧୬.୬.୧୯

No comments: