Friday, 28 June 2019

*ଗଣତନ୍ତ୍ର ଓ ଲୋକ ଚରିତ୍ର*

ଧୀର ବଳବନ୍ତ ରାୟ କହିଲେ, "ଯେଉଁ ଲୋକଗୁଡ଼ାକ ଗାଁରେ ଉତ୍ପାତ କରୁଛନ୍ତି, ତାଙ୍କୁ ଧରି ଦଣ୍ଡ ଦିଆଯାଉ, ଜେଲ ଖଟନ୍ତୁ ସେଗୁଡ଼ାକ।"

ରଘୁନାଥ ଦଳରୁ ପାଟି ହେଲା - "ଆମେ ବି ଖୋଜୁଛୁ ସେଇଆ ଯେ, ତମ ଅଦୋଉତିରେ ଆମେ ମଲୁଣି, କୋଉ ବଞ୍ଚି କରି ଅଛୁ  ? ହାତରେ ମାରିଲ, ଭାତରେ ମାରିଲ, ମକଦ୍ଦମା ଲଗେଇ କେତେ ଲୋକଙ୍କୁ ଝୁଣି ଖାଇଲ, ଅଇଛା ପନ୍ଦର ଷୋଳ ଗୁଣ୍ଡାଙ୍କୁ ସହରରୁ ଡାକି ଆଣି ଆମକୁ ପିଟେଇବ ବୋଲି ରଖେଇଚ -"

"ମିଛ ମିଛ ମିଛ -"

"କଣ ଏଠି ଠାକୁରଙ୍କ ଆଗରେ ଭୁରୁଡ଼ି ମାରୁଛ ?"

"କଣ କରି ପାଇଲୁ କିରେ, କଣ ଭାରି ବଢ଼ି ବଢ଼ି କହିଲୁଣି ?"

ବିନୋଦ କହିଲା, "ପୁଣି ଏମିତି କଳି କଲେ ମୁଁ ଆଉ କାମ କରି ପାରିବି ନାହିଁ। ଆଗ ତମ ପଟରୁ ଜଣେ କହୁ, କିଏ ତୁମ ମାନଙ୍କ କି କି ଅନିଷ୍ଟ କଲା, ଯଦି ସେ ସବୁ ନ କହି ପାରିବ, ତେବେ ଆଉ ଜଣେ କହିବ, ସେମିତି ଆର ପଟର ଲୋକ କହିବେ। ଉତ୍ତର ଶୁଣାହେବ। ତା'ପରେ ପୁଣି ତୁମକୁ ପଚରା ହେବ, ଏହି କ୍ରମ ଚାଲିବ। ମାନିବ ମୋ କଥା ? ଯଦି ମାନିବ ତେବେ ଆଗକୁ ବଢ଼ିବା ନ ହେଲେ ଏ ହାଉ ଯାଉରେ କେମିତି ସଭା ଚାଲିବ ?

ଉଭୟ ପକ୍ଷ ଏକ ସ୍ୱରରେ କହିଲେ, "ଆଜ୍ଞା ତେମେ ଆପଣ ଯାହା କହିଲେ, ସେମିତି ସଭା ଚାଲୁ।"

"ଦେଖ, ଏଠି କେହି କାହାକୁ ଗାଳି ଦେବ ନାହିଁ, ଅଭଦ୍ର କଥା କହିବ ନାହିଁ, ମୁଣ୍ଡ ଥଣ୍ଡା ରଖ, ଘଟନାମାନ କହିଯାଅ।"

"ଆମେ ଆଗେ କହିବୁ।"

"ଆମେ ଆଗ।"

ବିନୋଦ କହିଲା, "ଏବେ ଗୋପୀନାଥ ମହାପ୍ରଭୁଙ୍କ ଯାତ୍ରା ଆସୁଛି, ତେଣୁ ସେହିପଟ ଲୋକ ଆଗ କହିଯାନ୍ତୁ।"

ଏବେ ସଭା ଠିକ୍ ବାଟରେ ଆରମ୍ଭ ହେଲା। ଜଣେ କହୁଥିବା ବେଳେ ବିନୋଦ ତାଙ୍କୁ ପ୍ରଶ୍ନ ପଚାରେ, କଥାର ସାରାଂଶ ଟିପି ରଖେ, ଅବାନ୍ତର କଥା କୁହାଇ ଦିଏ ନାହିଁ, ରୋକେ। ଏମିତି ପଚାରି ପଚାରି ସେ ଦୁଇ ପଟର ସାରାଂଶ ଟିପି ରଖିଲା।

ଉଭୟଙ୍କ କଥାରୁ ଜଣା ପଡ଼ିଲା ଯେ ଦଶ ବର୍ଷ ହେଲା ଗାଁ ଦି' ଦଳ ହେଲାଣି। ଧୀର ବଳବନ୍ତରାଏ ବୁଢ଼ା ମହନୀ ବେହେରା ଗଉଡ଼ର ବାଁ କାନକୁ ଜାବୁଡ଼ାଏ ପକାଇଥିଲା, ସେ କାନଟି କାଲ ହୋଇଗଲା  ବୋଲି ଅଭିଯୋଗ କରି ମହନୀ ବେହେରା ପଞ୍ଚାୟତ ଡାକିଲା। ପଞ୍ଚାୟତ ଏ ବଡ଼ ବଡ଼ିଆ ମାନଙ୍କ ପଟେ ରହି ମହନୀ ଉପରେ ପାଞ୍ଚ ଟଙ୍କା ଜୋରିମାନା କଲା। ଧୀରେ ଧୀରେ ଗଉଡ଼ ମେଣ୍ଟ ସୁଦୃଢ଼ ହେଲା। ଗଉଡ଼ ମାନେ ଶବାରି କାନ୍ଧେଇବାକୁ ମନାକଲେ।
ଏଇଠୁ କଥା ଆରମ୍ଭ ହୋଇ ମକଦ୍ଦମା, କଳି ତକରାଳ, ଜିଦା ଜିଦ୍, ଗଣ୍ଡଗୋଳ ଘଟିଲା, ଲମ୍ବା କାହାଣୀ।

ବିନୋଦ ବୁଝିଲା - ଦଶ ବର୍ଷ ହେଲା ଶାନ୍ତି ସୌହାର୍ଦ୍ଦ୍ୟ ପାଇଁ କେହି ଟିକେ ଚେଷ୍ଟା କରି ନାହାନ୍ତି, ଖାଲି କୁହୁଳିବାରେ ଲାଗିଛନ୍ତି।

ଗାଁ ଲୋକଙ୍କ ସହ ଦି' ପଦ କଥା ହେବା ପାଇଁ ସରକାରଙ୍କର କୌଣସି ବିଭାଗ ନାହିଁ। ଯାହା କରିବେ ନିଜେ ଗାଁ ଲୋକେ, କିମ୍ବା ଯଦି କେଉଁ ବେସରକାରୀ ପରୋପକାରୀ ସଂସ୍ଥା ଜନ୍ମିଥିବ, ସେ ହୁଏତ କରିପାରେ, କି କୌଣସି ବିଶାଳ ହୃଦୟ ବ୍ୟକ୍ତି ଯଦି ସେଠି ଜନ୍ମ ହୋଇଥିବ, ସେ କରିପାରେ।

ସରକାରୀ କର୍ମଚାରୀ ତ ଆଇନ ଆଦେଶରେ ବନ୍ଧା। ସମସ୍ତଙ୍କର ନିର୍ଦିଷ୍ଟ ସୀମା ଅଛି। ପୂରା ସମସ୍ୟା ସମାଧାନ ପାଇଁ କାହାର ଚିନ୍ତା ନାହିଁ।

ଗାଁ ଲୋକଙ୍କର ବ୍ୟକ୍ତିଗତ ଓ ସାମାଜିକ ସୁଖଦୁଃଖ ଅଛି।

ଏ ଦୁହିଁଙ୍କ ଭିତରେ ସିଢ଼ି ନାହିଁ। ସ୍ୱାଧୀନତା ଆସିଲା। ଲୋକଙ୍କ ମତରେ ସରକାର ଆସିଲା। ତେବେ ଏ ଅନ୍ତର, ଖାଲ, ଖାପଛଡ଼ା ବ୍ୟବସ୍ଥା କାହିଁକି ? କେବେ ଏଥିପ୍ରତି ଦୃଷ୍ଟି ପଡ଼ିବ ? ଏମିତି ଚାଲିଲେ ଏ ଦେଶର ଭବିଷ୍ୟତ ପିଢ଼ି କୁଆଡ଼କୁ ଯିବ ?

ଆଇନ ଦେଖାଇ, ଠେଙ୍ଗା ଦେଖାଇ, ସାମୟିକ ବକ୍ତୃତା ଦେଇ, ଲୋକଙ୍କ ମନରେ ଉତ୍ତମ ନାଗରିକତା ଉପଯୋଗୀ ନାନା ପ୍ରବୃତ୍ତି ନିର୍ମାଣ କରିବା କ'ଣ ସମ୍ଭବ ? ଡେମୋକ୍ରାସୀର ଅସଲ ମୂଳଦୁଆ ହେଉଛି ଲୋକ ଚରିତ୍ର।

ସେହି ଅସଲ ମୂଳଦୁଆ ପକାଇବା, ଦମ୍ଭକରିବା ଦାୟିତ୍ୱ କିଏ ନେବେ ?  ଯେମିତି ତହିଁରେ ଏତେ ଟିକିଏ ବି ପୋଲା ନ ଥିବ, ଯେତେ ବୋଝ ଲଦା ହେଉ, ଆସୁ ଯେତେ ବର୍ଷା କି ଭୂମିକମ୍ପର ଝାଙ୍କ, ସେ ଦବିବ ନାହିଁ, ଚହଲିବ ନାହିଁ, ତଳୁ ଉଇ ଉଠିବାକୁ ବାଟ ନ ଥିବ।

କାହିଁ, ଏମିତି କିଛି ମତି ଗତି ଏ ସ୍ୱାଧୀନ ଦେଶର ସରକାର ପାଖରେ ଥିବା ଭଳି ବୋଧ ହେଉ ନାହିଁ !

ତେବେ ଖାଲି ଆଶା, ଶୁଭେଚ୍ଛା ଓ ଭାଷଣରେ କଣ ଚରିତ୍ର ନିର୍ମାଣ ହେବ ?

କୁଲି ଯାହା କହିଥିଲା, ପୋଲିସ ଅଫିସର ଦୁଇଜଣ ଯାହା କହିଥିଲେ, ଉଭୟ ପକ୍ଷ ସେହି କଥାକୁ ବଖାଣିଲେ। ଗାଁ ଟି ବର୍ତ୍ତମାନ ବାରୁଦ ଗଦା ଉପରେ ଠିଆ ହୋଇଛି ବୋଲି ସେ ଅନୁଭବ କଲା।

୨୮.୬.୧୯

No comments: