Tuesday, 25 June 2019

*ନିରପେକ୍ଷ ତଦନ୍ତ*

ସକାଳ ଆଠଟାରେ ବସରେ ଯାଇ ବିନୋଦ ଦିନ ଏଗାରଟାରେ ଗଣ୍ଡିକଟା ଗାଁରେ ପହଁଚିଲା। ବଡ଼ ଗାଁ, ବହୁତ ଧନୀଲୋକ, ଭଦ୍ରଲୋକ, ଆହୁରି ଏଣୁତେଣୁ ଲୋକ ଖୁବ୍।

ଗାଁର ବଡ଼ ବଡ଼ ଲୋକଙ୍କର ମନ୍ତ୍ରୀଙ୍କ ସହ ବି ଖୁବ୍ ଚିହ୍ନା ଜଣା। ଯାହା କିଛି ହେଲେ ଚାଲିଲେ ତାଙ୍କ ପାଖକୁ। ଅନ୍ୟ ବିରୋଧୀ ପାର୍ଟି ମଧ୍ୟ ଗାଁରେ ଆସି ଲୋକଙ୍କୁ ମତାଇଥାନ୍ତି।  ଗଣ୍ଡଗୋଳ ହେଇଛି ଗୋପୀନାଥ ମୂର୍ତ୍ତି କେଉଁ ବାଟରେ ଯିବ ଓ ରଘୁନାଥ ମୂର୍ତ୍ତି କେଉଁ ବାଟରେ ଯିବ, ତାକୁ ନେଇ।

ସ୍ୱାଧୀନତା ବେଳେ ଯେଉଁମାନେ କହୁଥିଲେ ଇଂରେଜକୁ ଡର ନାହିଁ, ତାଙ୍କ ବିରୋଧରେ ଲଢ଼, ସେଇମାନେ ଆଜି ଗାଁରେ ଇଂରେଜ ସାଜିଛନ୍ତି, କହୁଛନ୍ତି ଆମେ ଯାହା ଚାହିଁବୁ ସେଇଆ ହେବ, ସେମାନଙ୍କ ପାଖେ ଧନ ଅଛି, ନେତା ବି କିଛି ନ ବୁଝି ତାଙ୍କରି ପକ୍ଷରେ।

ସ୍ଥାନୀୟ ଥାନା ବାବୁ ବିନୋଦର ରହିବା ଓ ବୈଠକ କରିବାର ସବୁ ବ୍ୟବସ୍ଥା କରିଥିଲେ। ବସ୍ ରୁ ଓଲ୍ହାଇବା ପରେ ଥାନା କନଷ୍ଟେବଲ ଠାରୁ ଏପରି ବ୍ୟବସ୍ଥା ଶୁଣି ବିନୋଦ ସ୍ଥାନ ବଦଳାଇଦେଲା।  ରହିବା ସ୍ଥାନ ହେଲା ସ୍କୁଲ ଘର। ସେଠାରେ ପହଞ୍ଚିବା ଭିତରେ କୁଲି ଠାରୁ ସେ ଗାଁର ପରିସ୍ଥିତି ସମ୍ପର୍କରେ ଅନେକ ତାଜା ତଥ୍ୟ ସଂଗ୍ରହ କରିନେଇଥିଲା।

ପୋଲିସ ଇନସ୍ପେକ୍ଟର, ସବ ଇନସ୍ପେକ୍ଟର ସମେତ ଗାଁର ପନ୍ଦର ଜଣ ଭଦ୍ରଲୋକ ବିନୋଦ ଆଡ଼କୁ ଆଗେଇ ଆସିଲେ। ନମସ୍କାର ଓ ପରିଚୟ ଆଦି ଚାଲିଲା। ବିନୋଦ ବୁଝିଲା ଯେତେ ଲୋକ ଆସିଛନ୍ତି, ତହିଁରେ ପାଞ୍ଚ ଜଣ କେବଳ ରଘୁନାଥ ଦଳର, ଅନ୍ୟ ସମସ୍ତେ ଗୋପୀନାଥ ଦଳର, ଗାଁର ଧନୀ ମୁଖିଆ ଲୋକେ।

ସେତେବେଳକୁ ସାଢ଼େ ଏଗାର ହେଲାଣି। ବିନୋଦ କହିଲା ଏବେ ସମସ୍ତେ ଯାଅ। ମୁଁ ଗାଧୁଆ ପାଧୁଆ, ଖିଆ ପିଆ ସାରେ, ସାଢ଼େ ତିନିଟା ବେଳେ ଆସ, ଗାଁ କଥା ବୁଝିବା।

ସବ ଇନସ୍ପେକ୍ଟର ମିଶ୍ରବାବୁ କହିଲେ, "ଆପଣ ସେଠି ରହିବେ ବୋଲି ସବୁ ସୁବିଧା ହୋଇଥିଲା ସାର।"

କୋଉଠି ?

ଏ ଗାଁର ଦାଶରଥି ସାହୁଙ୍କ ବଗିଚା ଘରେ। ସାହୁ ବାବୁ ଏ ଅଞ୍ଚଳରେ ଖୁବ୍ ବଡ଼ ଲୋକ। ତାଙ୍କ ସାନ ଭାଇକୁ ସେ ପଠେଇଛନ୍ତି, ଆମେ ବି ସବୁ ସେଇଠି ଅଛୁ। ସବୁ ସୁବିଧା ସେଇଠି ଅଛି। ଆପଣ ସେଇଠିକି ଚାଲନ୍ତୁ।

ନାଁ, ସେଠିକି କାହିଁକି ଯିବି। ଏଇଠି ମୋର ଚଳିଯିବ। ଖଟିଆ ଖଣ୍ଡେ ହୋଇଥିଲେ ହୋଇଥାନ୍ତା, ନ ହେଲେ ବି ଚଳିବ।

ଖଟ ଆସିଯିବ ସାର।

ନାହିଁ ଥାଉ। ରାତିକି ଯଦି ରହେଁ ତେବେ ଦେଖିବା।

ଭାଗୁ ସାହୁ - ସେଇଠିକି ପାଦପଡୁ ସାର।

ନା, ଏଇଠି ଚଳିଯିବ।

ଭାଗୁ - ବାପାଙ୍କ ଅମଳରୁ ଏ ଗାଁକୁ ଯେତେ ଅଫିସର ଆସନ୍ତି ସବୁ ଆମକୁ କୃତାର୍ଥ କରିଥାନ୍ତି। ଆପଣ ବି ଚାଲନ୍ତୁ ନିଦୟା ହୁଅନ୍ତୁ ନାହିଁ।

ହେଲା ହେଲା ସାହୁଏ, ମନରେ ଏମିତି ଦୟା ଥାଉ। ବହୁତ ବହୁତ ଧନ୍ୟବାଦ। ମୁଁ ତ ସରକାରୀ କାମରେ ଆସିଛି। ତଦନ୍ତ ସରିଲେ ଫେରିଯିବି।

ଇନସ୍ପେକ୍ଟର ରାୟ ବାବୁ କହିଲେ, "ସାରଙ୍କୁ ଆଉ ବଳାନ୍ତୁ ନାହିଁ। ଯାଉନ୍ତୁ ସମସ୍ତେ। ସାଢ଼େ ୩ଟାରେ ଗାଁ ମଝିକି ଆସନ୍ତୁ।"

ସବୁ ଯିବା ପରେ ରାୟ ବାବୁ କହିଲେ, "ସାହୁ ବାବୁ ବହୁତ ଭଲ ଲୋକ, ଆପଣଙ୍କ ପାଇଁ ରୋଷେଇ କରିଥିଲେ। ମୁଁ ମଗେଇ ଦେଉଛି।"

ବିନୋଦ ହସିଲା, କହିଲା, "ନା, ମଗେଇବା ଦରକାର ନାହିଁ, ମୋ ସ୍ତ୍ରୀ ରାନ୍ଧି ଘରୁ ଯାହା ପଠାଇଛି, ସବୁ ନଷ୍ଟ ହେବ ଯେ, ବରଂ ଆପଣ ଦିହେଁ ମୋ ସାଙ୍ଗରେ ବସିଯାନ୍ତୁ, ଯଥେଷ୍ଟ ଅଛି।"

ନା ସାର, ଆମର ତେଣେ ହୋଇଛି।

ହଉ ଯାଉନ୍ତୁ, "ମୋତେ ଖାଲି କାଗଜପତ୍ର କଣ ଅଛି ଟିକେ ବୁଝେଇ ଦେଇଯାଆନ୍ତୁ।"

୨୫.୬.୧୯

No comments: